ଅସ୍ତରଙ୍ଗ:ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଦଳୀୟ ଅର୍ନ୍ତକନ୍ଦଳ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ରାଜନୈତିକ ଭବିଷ୍ୟତକୁ ବିଗାଡ଼ି ପାରେ ବୋଲି କୁହାଯାଉଛି। ବିଶେଷ କରି ବିଜେଡି ଟିକେଟ୍ ଆଶାୟୀଙ୍କ ସଂଖା ବଢୁଥିବାରୁ ଆଗାମୀ ଦିନରେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି। କାକଟପୁର ନିର୍ବାଚନରମଣ୍ଡଳୀର ୧୫ ବର୍ଷର ଇତିହାସ ଦେଖିଲେ ୩ଟି ନିର୍ବରଚନରେ ବିଜେଡି ଦଳ ୩ ଜଣ ଭିନ୍ନ ପ୍ରାର୍ଥୀଙ୍କୁ ଅବତୀର୍ଣ୍ଣ କରି ସଫଳ ହୋଇଛି। ସାଧାରଣ ବର୍ଗରୁ ଅନୁସୂଚିତ ଜାତିକୁ ସଂରକ୍ଷିତ ହେବା ପରେ ପ୍ରଥମେ ୨୦୦୯ରେ ବିଜେଡିରୁ ରବି ମଲ୍ଲିକ, ୨୦୧୪ରେ ସୁରେନ୍ଦ୍ର ସେଠୀ ଓ ୨୦୧୯ରେ ତୁଷାରକାନ୍ତି ବେହେରା ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ।
୨୦୧୯ରେ ସୁରେନ୍ଦ୍ର ସେଠୀଙ୍କୁ ଯଦିଓ ଟିକେଟ ମିଳିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପିରୁ ତୁଷାରକାନ୍ତି ବେହେରାଙ୍କୁ ଆଣି ଟିକେଟ୍ ଦେବାରୁ ଶ୍ରୀ ସେଠୀ ନିରବ ରହିଥିଲେ। ପୂର୍ବରୁ ବିଜେଡିରେ ଥିବା ରବି ମଲ୍ଲିକ ଟିକେଟ୍ ନ ପାଇ ବିଜେପିକୁ ଡେଇଁଥିଲେ। ସେପଟେ କଂଗ୍ରେସରୁ ସତ୍ୟବ୍ରତ ପାତ୍ର ଓରଫ ରମୁ ପାତ୍ର ବିଜେଡିରେ ମିଶିବାରୁ ଗୋପ ଓ କୋଣାର୍କରେ ତାଙ୍କ ସହଯୋଗ ଯୋଗୁ ବିଜେଡିରୁ ତୁଷାରକାନ୍ତି ବେହେରା ବିଜୟୀ ହୋଇଥିଲେ। ଗତଥର ନିର୍ବାଚନରେ ୧୭୧୧୮୦ ଭୋଟର ମତଦାନ କରିଥିଲେ। ଶ୍ରୀ ବେହେରାଙ୍କୁ ୯୧୮୯୭ ଖଣ୍ଡ ଭୋଟ ବା ୫୩.୬୮ପ୍ରତିଶତ ଭୋଟ୍ ମିଳିଥିଲା। ସେହିପରି ୨୦୧୪ରେ ବିଜେଡି ସୁରେନ୍ଦ୍ର ସେଠୀଙ୍କୁ ୫୭.୪୨ପ୍ରତିଶତ ମତଦାନ ମିଳିଥିଲା। ୨୦୧୯ର ରିପୋର୍ଟ କହୁଛି ବିଜେଡିର ଭୋଟ୍ ୩.୭୪ ପ୍ରତିଶତ ହ୍ରାସ ପାଇଥିଲା।
ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଆଶାୟୀ ସଂଖ୍ୟା ବଢୁଛି। ବର୍ତ୍ତମାନର ବିଧାୟକ ତଥା ପୁରୀ ଜିଲ୍ଲାର ଏକମାତ୍ର ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପୁଅ ସ୍ୱାଧୀନ ନାୟକ ରହିଛନ୍ତି। କିନ୍ତୁ ମନ୍ତ୍ରୀ ଶ୍ରୀ ବେହେରା ଓ ସ୍ୱାଧୀନ ବାବୁଙ୍କୁ ଟକ୍କର ଦେବାକୁ ପୂର୍ବତନ ବିଧାୟକ ଶ୍ରୀ ସେଠୀଙ୍କ ପଛରେ ଅଞ୍ଚଳର ସଫଳ ସଙ୍ଗଠକ ଦିବାକର ଛାଟୋଇଙ୍କ ସମର୍ଥନ ରହିଛି। ଖାଲି ଏତିକି ନୁହେଁ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ଗୋପ ଓ କୋଣାର୍କର କେତେକ ବରିଷ୍ଠ କର୍ମୀ ଶ୍ରୀ ସେଠୀଙ୍କ ସମର୍ଥନରେ ମେଳିବାନ୍ଧିବା ଆରମ୍ଭ କରିଛନ୍ତି। ଏପରିକି ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ କାକଟପୁର ଗସ୍ତରେ ଆସିଥିବା ବେଳେ ଏହି ଦୁଇ ଗୋଷ୍ଠୀ ନିଜ ନିଜ ସମର୍ଥକଙ୍କୁ ସଭାକୁ ପଠାଇବା ନେଇ ଯେଉଁ ଉଦ୍ୟମ କରିଥିଲେ, ସେତେବେଳେ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ହୋଇଥିଲା। ପୂର୍ବତନ ବିଧାୟକ ଶ୍ରୀ ସେଠୀଙ୍କ ସମର୍ଥକ ବିଜେଡି କର୍ମୀଙ୍କୁ ଅବହେଳା କରାଯାଉଥିବ ଅଭିଯୋଗ କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ପ୍ରଫୁଲ୍ଲ ବେହେରା, ଧୀରେନ୍ଦ୍ର ମଲ୍ଲିକ, ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ବେହେରା ସମେତ ଅନ୍ୟ କେତେକ ନେତା ବିଜେଡି ଟିକେଟ୍ ପାଇଁ ଲବି ଆରମ୍ଭ କରିଦେଇଛନ୍ତି। କଂଗ୍ରେସ ପକ୍ଷରୁ ବିଶ୍ୱଭୂଷଣ ଦାସ, ବିଜେପିରୁ ରବି ମଲ୍ଲିକ, ବାଇଧର ମଲ୍ଲିକ, ପ୍ରସନ୍ନ ବେହେରା, ଅଧିକାରୀ ବେହେରା ଟିକେଟ୍ ଲବିରେ ରହିଛନ୍ତି।