କୋରେଇ: ଶଙ୍ଖ ଫୁଙ୍କିବାର କଳା ତାଙ୍କୁ ଦେଇଛି ଜୀବିକା। ଏକାଥରକେ ବହୁ ସମୟ ଧରି ସେ ଶଙ୍ଖ ଫୁଙ୍କି ପାରନ୍ତି। ବୟସ ତାଙ୍କୁ ୮୫ ବର୍ଷ ଛୁଇଁଲାଣି। ହେଲେ ବାହାଘର ହେଉ କି ବ୍ରତଘର, ପୂଜାପର୍ବଠାରୁ ସଭା ସବୁଠି ସେ ଖୋଜା ହୁଅନ୍ତି। ଦୀର୍ଘ ୬୨ ବର୍ଷ ହେଲା ଶଙ୍ଖ ଫୁଙ୍କି ଜୀବିକାର୍ଜନ କରିଆସୁଥିବା ଏହି ନିଆରା ମଣିଷ ହେଉଛନ୍ତି ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ଲକ୍ଷ୍ମୀନଗର (ମହୁରିଆସାହି) ଗ୍ରାମର ପିମ୍ପ ନାୟକ। ୩୨ ବର୍ଷ ହେଲା ତାଙ୍କ ପତ୍ନୀ ଆରପାରିକୁ ଚାଲିଗଲେଣି। ତିନିଝିଅ ଓ ତିନି ପୁଅଙ୍କୁ ସେ ବିବାହ ଦେଇସାରିଛନ୍ତି। ଶଙ୍ଖଧ୍ବନିର ରୋଜଗାରରୁ ସେ ଏବେ ଚଳୁଛନ୍ତି ଏବଂ ବିଭିନ୍ନ ମଠମନ୍ଦିରରେ ରହୁଛନ୍ତି ବୋଲି କହନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ବାବୁଙ୍କ ଅମଳରୁ ବିଭିନ୍ନ ସଭାସମିତିରେ ସେ ଶଙ୍ଖ ଫୁଙ୍କି ତାଙ୍କଠାରୁ ପୁରସ୍କୃତ ହୋଇଛନ୍ତି ବୋଲି କୁହନ୍ତି।
ଭୁବନେଶ୍ବର, ରାଉରକେଲା, ସମ୍ବଲପୁର, କଟକ, ବଲାଙ୍ଗୀର ଓ ଝାଡ଼ଖଣ୍ଡର ଚାଇଁବସା ପର୍ଯ୍ୟନ୍ତ ସେ ଶଙ୍ଖ ବଜାଇବାକୁ ଯାଇଛନ୍ତି। ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର। ପ୍ରଶାସନ ପକ୍ଷରୁ ମାସକୁ ୫ଶହ ଟଙ୍କାର ଭତ୍ତା ମିଳୁଛି କିନ୍ତୁ ଘର ଖଣ୍ଡେ ମିଳିନାହିଁ। ସ୍ବର୍ଗତ ଅଶୋକ ଦାସ, ସ୍ବର୍ଗତ କଳ୍ପତରୁ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରୀତିରଂଜନ ଘଡ଼ାଇ ଓ ଅନ୍ୟ ବହୁ ନେତାଙ୍କ କାର୍ଯ୍ୟକ୍ରମରେ ସେ ଶଙ୍ଖ ବଜାଇ ପୁରସ୍କୃତ ହୋଇଛନ୍ତି। ଶଙ୍ଖ ଫୁଙ୍କିବାର ନିଆରା କଳା ଓ ସାମର୍ଥ୍ୟ ଥିବା ପିମ୍ପଙ୍କୁ ସରକାରୀସ୍ତରରେ କଳାକାର ଭାବେ ସ୍ବୀକୃତି ମିଳିନାହିଁ। ତେଣୁ ସେ କଳାକାର ଭତ୍ତାରୁ ବଞ୍ଚିତ। ବହୁ ସମୟ ଧରି ଶଙ୍ଖ ବଜାଇବା ଏକ କଳା ନୁହେଁ ବୋଲି ସରକାରୀ ବାବୁମାନେ କହୁଛନ୍ତି ବୋଲି ପିମ୍ପ କହିଛନ୍ତି। ଅନେକଥର ସେ ବ୍ଲକ୍ ପ୍ରଶାସନ ନିକଟକୁ ଯାଇ ନିରାଶ ହୋଇ ଫେରିଛନ୍ତି। ତାଙ୍କ କଳାକୁ ସ୍ବୀକୃତି ମିଳିଲେ ସେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/9-14.jpg)