ବ୍ରହ୍ମପୁର: ପରିବେଶ ସନ୍ତୁଳନ ରକ୍ଷା ଓ ପ୍ରକୃତିର ସୁରକ୍ଷା ଦିଗରେ ପ୍ରାଣୀଜଗତର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ସଂପ୍ରତି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଆଧୁନିକ ଜୀବନଶୈଳୀର ନକାରାତ୍ମକ ପ୍ରଭାବରେ ବିଶ୍ବରୁ ଆଜି ଅନେକ ପଶୁ ଓ ପକ୍ଷୀଙ୍କ ସତ୍ତା ଲୋପ ପାଇଗଲାଣି। ଆଧୁନିକ ଯୁଗରେ ଜନମାନସରୁ ପ୍ରାୟତଃ ହଜିସାରିଥିବା ଏମିତି ଏକ ଛୋଟ ପକ୍ଷୀ ହେଉଛି ଘରଚଟିଆ। ଦିନ ଥିଲା ଘରଚଟିଆ ଆମ ଦୈନନ୍ଦିନ ଜୀବନର ପ୍ରମୁଖ ଅଂଶ ଭାବେ ପରିଗଣିତ ହେଉଥିଲା। ସମୟକ୍ରମେ କ˚କ୍ରିଟ୍, ଛାତଘର, କ˚କ୍ରିଟ୍ ରାସ୍ତା, ମୋବାଇଲ୍ ଟାଵାର୍ ଓ ବିଦ୍ୟୁତ୍ ଖୁଣ୍ଟ ସ˚ଖ୍ୟା ବୃଦ୍ଧି ପାଇବାରୁ ଘରଚଟିଆ ପକ୍ଷୀ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। କାରଣ ଚାଳଘର, ସ୍କାଏଲାଇଟ୍, କାନ୍ଥର ସନ୍ଧି ଓ ଲାଇଟପୋଷ୍ଟ୍ ଭଳି ସ୍ଥାନରେ ଘରଚଟିଆ ତା’ର ବସା ବାନ୍ଧିଥାଏ। କିନ୍ତୁ ବର୍ତ୍ତମାନ କଂକ୍ରିଟ୍ ଜଙ୍ଗଲରେ ଘରଚଟିଆ ନିଜର ଘର ହଜାଇସାରିଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ଏକ ସର୍ବେକ୍ଷଣ ଅନୁସାରେ, ବିଶ୍ବରୁ ୬୦ରୁ ୭୦ ପ୍ରତିଶତ ଘରଚଟିଆ ଲୋପ ପାଇସାରିଲେଣି। ବିଶେଷକରି ମୋବାଇଲ୍ ଟାୱାର୍ର ବିକିରଣର ଦ୍ବାରା ଏହି ପକ୍ଷୀ ଦିଗହରା ହେବା ସହ ପ୍ରଜନନ କ୍ଷମତା ହ୍ରାସ ପାଇଛି।
ତଥାପି ଗତ କିଛିବର୍ଷ ହେଲା ଏହି ଛୋଟିଆ ପକ୍ଷୀଟିର ସ˚ରକ୍ଷଣ ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। ଆଉ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ୍ ଦକ୍ଷିଣପୁର ଗ୍ରାମପଞ୍ଚାୟତ ଗୁଣ୍ଠବନ୍ଧ ଗ୍ରାମରେ ଘରଚଟିଆଙ୍କ ନିଆରା ସ˚ରକ୍ଷଣ ଆଜି ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। କହିବାକୁ ଗଲେ ଏହି ଗାଁ ଘରଚଟିଆଙ୍କ ପ୍ରଥମ ‘ପ୍ରବାସୀ ଗ୍ରାମ’ ଭାବେ ପରିଗଣିତ ହୋଇସାରିଛି। ଆଞ୍ଚଳିକ ବିକାଶ ପରିଷଦ ନାମକ ଏକ ଯୁବ ସ˚ଗଠନ ଏହାର ପ୍ରୟାସ ପାଇଁ ରୀତିମତ ଉଦ୍ୟମ ଜାରି ରଖିଥିବା ବେଳେ ପ୍ରଶାସନ ଓ ବନ ବିଭାଗ ବି ଏହାକୁ ସ୍ବାଗତ କରିବା ସହ ପ୍ରୋତ୍ସାହିତ କରିଆସୁଛି। ୨୦୧୧ ମସିହାରେ ଗ୍ରାମର କିଛି ଯୁବକଙ୍କୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଗଠିତ ହୋଇଥିଲା। ସେବେଠୁ ଘରଚଟିଆ ସଂରକ୍ଷଣ ଦିଗରେ ପଦକ୍ଷେପ ନେବାକୁ ସେମାନେ ପଣ କରିଥିଲେ। ସାଗର ପାତ୍ର, ବିଜେନ୍ଦ୍ର ମାଝୀ, ରାକେଶ ବିଷୋୟୀ, ଧର୍ମରାଜ ପାତ୍ର, ସିଲୁ ମହାନ୍ତି ଓ ସତ୍ୟନାରାୟଣ ଜେନାଙ୍କ ସମେତ ଅନ୍ୟମାନେ ଏଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ। ପ୍ରଥମେ ବାଘଝରି ଓ ବିରିବାଡ଼ିଆରେ ୫ରୁ ୬ଟି ଘରଚଟିଆ ଥିବା ଜାଣିବା ପରେ ଗ୍ରାମବାସୀଙ୍କ ଘର ଆଗରେ ପ୍ଲାଇବୋର୍ଡ, ମାଟିହାଣ୍ଡି, ଶୁଖିଲା ନଡ଼ିଆ ଓ ଶୁଖିଲା ଲାଉତୁମ୍ବାରେ ସେମାନଙ୍କ ପାଇଁ ବସା ତିଆରି ସହ ଖାଦ୍ୟସ୍ଥଳୀ ବ୍ୟବସ୍ଥା କରାଗଲା। ଧୀରେ ଧୀରେ ଘରଚଟିଆଙ୍କ ବଂଶବୃଦ୍ଧି ହେଲା।
ବର୍ତ୍ତମାନ କୁକୁଡ଼ାଖଣ୍ଡି ବ୍ଲକ୍ର ଲାଞ୍ଜିଆ, ଗୁଣ୍ଠବନ୍ଧ, ଅନନ୍ତେଇ, ରଘୁନାଥପୁର, ବ୍ରହ୍ମପୁରର ଧର୍ମନଗର, ଶାସ୍ତ୍ରୀନଗର ଏବଂ ଗୋଲାରଘୁନାଥପୁରରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଭଳି ଭାବେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ର ବିଭିନ୍ନ ଗ୍ରାମ ସମେତ ଗତବର୍ଷ ନୟାଗଡ଼, ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ଏହି ଘରଚଟିଆ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବା ସହ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହାସହ କୃତ୍ରିମବସା ବଣ୍ଟନ କରାଯାଇଛି। ଏଥିପାଇଁ କେବଳ ଘରଚଟିଆ ନୁହେଁ, ବଣି ଓ କାଉ ସମେତ ଅନ୍ୟ ପକ୍ଷୀଙ୍କ ବଂଶବୃଦ୍ଧି ହେଉଥିବା ସମ୍ପାଦକ ବିଜେନ୍ଦ୍ର ମାଝୀ କହିଛନ୍ତି l ସଭାପତି ସାଗର ପାତ୍ର କହିଛନ୍ତି, ବର୍ତ୍ତମାନ ପ୍ରତି ଗାଁରେ ଜଣେ ସ୍ବେଚ୍ଛାସେବୀଙ୍କୁ ଘରଚଟିଆର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬୦୦ଟି କୃତ୍ରିମବସା, ୧ହଜାରରୁ ଅଧିକ ଖାଦ୍ୟସ୍ଥଳୀ ଓ ୧୦୦ଟି ପାଣିପାତ୍ର ବଣ୍ଟନ କରାଯାଇଛି। ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ଅଭିଯାନ ହାତକୁ ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଘରଚଟିଆ ଓ ପରିବେଶ ସୁରକ୍ଷା ଦିଗରେ ଆଞ୍ଚଳିକ ବିକାଶ ପରିଷଦ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇସାରିଛି।