ସମୁଦ୍ରଠାରୁ ମାତ୍ର ୨୦ ଫୁଟ ଦୂରରେ କଂକ୍ରିଟ୍‌ ୱାଲ୍‌

ସିଆରଜେଡ୍‌ ନିୟମର ଖୋଲା ଉଲ୍ଲଂଘନ:ଜିଓ ସିନ୍ଥେଟିକ୍‌ ୱାଲ୍‌କୁ ଅଣାଦେଖା କରୁଛି ପୂର୍ତ୍ତ ବିଭାଗ

ପୁରୀ: ପୁରୀ ବେଳାଭୂମିରେ କୋଷ୍ଟାଲ୍‌ ରେଗୁଲେସନ୍‌ ଜୋନ୍‌(ସିଆରଜେଡ୍‌) ନିୟମକୁ ଖୋଲା ଉଲ୍ଲଂଘନ କରାଯାଇଛି। ସ୍ଥାୟୀ ନିର୍ମାଣ ନିଷିଦ୍ଧ ଥିଲେ ବି ଏହାକୁ ଉଲ୍ଲଂଘନ କରାଯାଇ ବେଳାଭୂମିକୁ ଖୋଳି କଂକ୍ରିଟ୍‌ ୱାଲ୍‌ ନିର୍ମାଣ କରାଯାଉଛି। ପ୍ରାଚୀ ହୋଟେଲ ଛକରୁ ଷ୍ଟର୍ଲିନ୍‌ ଛକ ପର୍ଯ୍ୟନ୍ତ ଏଭଳି ୱାଲ୍‌ ନିର୍ମାଣ କରାଯାଉଛି। ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଯେଉଁଠି ଜିଓ ସିନ୍ଥେଟିକ୍‌ ୱାଲ୍‌ ଲଗାଇବାର ଯୋଜନା କରାଯାଇଥିଲା, ସେଠି ଆଜି କଂକ୍ରିଟ୍‌ ନିର୍ମାଣ କରାଯାଉଛି। ଏହା ବେଳାଭୂମିରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିବ ବୋଲି ଅଭିଯୋଗ ଉଠିଛି। ଯାହା ଭବିଷ୍ୟତ ପିଢ଼ିଙ୍କ ପାଇଁ ବିପଦ ସାଜିବ ବୋଲି ବି ଅଭିଯୋଗ ହୋଇଛି।

ପୂର୍ବରୁ ପ୍ରାଚୀ ହୋଟେଲ ଛକରୁ ଷ୍ଟର୍ଲିନ୍‌ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ସମୁଦ୍ରର ଜୁଆର ମାଡ଼ରେ ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେପଟେ ଏହି ସ୍ଥାନରେ ମଙ୍ଗଳା ନଦୀର ଜଳରାଶି ସମୁଦ୍ର ଜଳରାଶିରେ ମିଶିଥିବାରୁ ବିଭିନ୍ନ ସମୟରେ ମଙ୍ଗଳାର ଏହି ମୁହାଣ ପୋତି ହୋଇ ଦିଗ ପରିବର୍ତ୍ତନ କରି ନୂଆ ମୁହାଣ ତିଆରି କରୁଥିଲା। ଯାହା ସହର ପାଇଁ ବିପଦ ସାଜିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଥିଲା। କାରଣ ସମୁଦ୍ରର ଜଳରାଶି ସହରର ଆବର୍ଜନା ନିଷ୍କାସନ ନାଳ ଦେଇ ସହର ଭିତରୁ ପଶି ଆସିବାର ଆଶଙ୍କା ବ୍ୟକ୍ତ କରିଥିଲେ ପରିବେଶବିତ୍‌।

ଏଭଳି ବାରମ୍ବାର ବିପଦ ଦେଖା ଦେବା ଓ ଜଳସେଚନ ବିଭାଗ ମୁହାଣ ଖୋଳିବା ପରେ ବି ସମସ୍ୟାର ସମାଧାନ ନ ହେବାରୁ ଅତୀତରେ ସିଆରଜେଡ୍‌ର ଅଧିକାରୀ ଓ ଜନସେଚନ ବିଭାଗର ଅଧିକାରୀଙ୍କ ଏକ ମିଳିତ ଟିମ୍‌ ଏହାର ଅନୁଧ୍ୟାନ କରିଥିଲେ। ଏକାଧିକ ଥର ଅନୁଧ୍ୟାନ ପରେ ଏଠାର ଜିଓ ସିନ୍ଥେଟିକ୍‌ ପ୍ରାଚୀର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରାୟ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ ବି କରାଯାଇଥିଲା। କିନ୍ତୁ ଏବେ ଏହି ଜାଗାରେ ପୂର୍ତ୍ତ ବିଭାଗ ପକ୍ଷରୁ ବିସ୍ତୃତ ରାସ୍ତା ନିର୍ମାଣ କରାଯାଇଛି। ପ୍ରାଚୀ ହୋଟେଲ୍‌ ଛକଠାରୁ ଷ୍ଟର୍ଲିନ୍‌ ମୁହାଣ ପର୍ଯ୍ୟନ୍ତ ଚାରିଲେନ୍‌ର ରାସ୍ତା ତିଆରି କରାଯାଇଛି। ପୂର୍ବରୁ ପୂର୍ତ୍ତ ବିଭାଗ ସମୁଦ୍ରର ପ୍ରାକୃତିକ ପରିବେଶର ସୁରକ୍ଷା ତଥା ଏହି ରାସ୍ତାର ସୁରକ୍ଷା ପାଇଁ ଜିଓ ସିନ୍ଥେଟିକ୍‌ ପ୍ରାଚୀର କରିବାକୁ ଯୋଜନା କରିଥିଲା। କିନ୍ତୁ ଏବେ ଜାଣିଶୁଣି ପ୍ରାକୃତିକ ପରିବେଶକୁ ନଷ୍ଟ କରିଦେବାକୁ ଯୋଜନା ଚାଲିଛି। ଏଠାରେ ଜିଓ ସିନ୍ଥେଟିକ୍‌ ପ୍ରାଚୀର ବଦଳରେ ଠିକାଦାରଙ୍କୁ ସୁହାଇଲା ଭଳି କଂକ୍ରିଟ୍‌ ପ୍ରାଚୀର ନିର୍ମାଣ କରାଯାଉଛି।

ଏଥିପାଇଁ ପ୍ରାଚୀ ହୋଟେଲ୍‌ ଛକରୁ ଷ୍ଟର୍ଲିନ୍‌ ଛକ ପର୍ଯ୍ୟନ୍ତ ଖନନ ସହ କଂକ୍ରିଟ୍‌ ୱାଲ୍‌ ନିର୍ମାଣ ଜାରି ରହିଛି। ଏ ବାବଦକୁ ପୂର୍ତ୍ତ ବିଭାଗ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ଠିକାଦାର ବି ଟେଣ୍ଡର ପାଇବା ପରେ ମନଇଛା ବେଳାଭୂମିକୁ ଖୋଳି ଲୁହା ଛଡ଼, ଗୋଡ଼ି, ବାଲି, ସିମେଣ୍ଟ ଦେଇ କଂକ୍ରିଟ୍‌ ପ୍ରାଚୀର ତିଆରି କରିବାରେ ଲାଗିପଡ଼ିଛନ୍ତି।

ସିଆରଜେଡ୍‌ର ଏକ ନମ୍ବର ଜୋନ୍‌ରେ ଏହି ଅଞ୍ଚଳ ଆସୁଥିବାବେଳେ କେଉଁ ପରିସ୍ଥିତିରେ ଏଭଳି କଂକ୍ରିଟ୍‌ ନିର୍ମାଣ କରାଯାଉଛି ବୋଲି ‌ପରିବେଶବିତ୍‌ମାନେ ପ୍ରଶ୍ନ କରିଛନ୍ତି। ଜୋର ଜବରଦସ୍ତ ଏଭଳି କାର୍ଯ୍ୟ କେବଳ ସମୁଦ୍ରର ପ୍ରାକୃତିକ ଗତିପଥକୁ ଅବରୋଧ କରିବନି, ଅନେକ ନକରାତ୍ମକ ପ୍ରଭାବ ପକାଇବ ବୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ମୁଖ୍ୟଯନ୍ତ୍ରୀ ଇଂ. ଅଜିତ ମହାପାତ୍ର କହିଛନ୍ତି, ପୂର୍ବରୁ ଏହି ଜାଗାରେ ଜିଓ ସିନ୍ଥେଟିକ୍‌ ୱାଲ୍‌ କରିବାକୁ ଯୋଜନା ଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଜିଓ ସିନ୍ଥେଟିକ୍‌ର ଭଲ କ୍ବାଲିଟି ୱାଲ୍‌ ମିଳୁନି। ଏଣୁ କେବଳ ନବନିର୍ମିତ ରାସ୍ତାରୁ ଯେଭଳି ବାଲି, ମାଟି ନ ଧସିବ, ସେଥିପାଇଁ କଂକ୍ରିଟ୍‌ ୱାଲ୍‌ ନିର୍ମାଣ କରାଯାଉଛି। ସେତେ ବଡ଼ ଧରଣର କାମ କରାଯାଉନି ବୋଲି ଇଂ. ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର