ଅନୁଗୁଳ : ଜାତୀୟ ରାଜପଥ-୫୫ର ଶୋଚନୀୟ ଅବସ୍ଥା ନେଇ ବୁଧବାର ଦିନ ବିଧାନସଭାରେ ପ୍ରସଙ୍ଗ ଉଠାଇଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ସେ କହିଛନ୍ତି ଯେ, ବଅଁରପାଳରୁ ଅନୁଗୁଳ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ ଥିବାରୁ ନିୟମିତ ଦୁର୍ଘଟଣା ହେଉଛି। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। କିଛିଦିନ ଆଗରୁ ଜିଲ୍ଲାର ବିଧାୟକମାନେ ଏ ବାବଦରେ ଏକ ସମୀକ୍ଷା କରିଥିଲେ। ବର୍ଷା ପୂର୍ବରୁ ରାସ୍ତା ମରାମତି ଶେଷ ହୋଇଯିବ ବୋଲି ସେମାନେ କହିଥିଲେ। କିନ୍ତୁ ରାସ୍ତା ମରାମତି ହୋଇ ନ ଥିବାରୁ ଏବେ ଏଥିରେ ଗାଡ଼ି ଚଳାଚଳ କରିବା କଷ୍ଟକର ହୋଇ ପଡ଼ିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ବିଧାୟକ ଦାବି କରିଛନ୍ତି।
ଏପଟେ ରାସ୍ତା ନେଇ ସବୁଆଡ଼ୁ ସମାଲୋଚନା କରାଯିବା ପରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ଥିତି ସମୀକ୍ଷା କରିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ, ରାଜ୍ୟର ବରିଷ୍ଠ ଅଧିକାରୀ ଓ ଅନୁଗୁଳ ଜିଲ୍ଲାପାଳଙ୍କୁ ନେଇ ରାସ୍ତା ସଂପର୍କରେ ଆଲୋଚନା କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ପାଇଁ ନିର୍ଦେଶ ଦେଇଛନ୍ତି। ଗାଡ଼ିମୋଟର ସୁବିଧାରେ ଚଳାଚଳ କରିବା ପାଇଁ ବଅଁରପାଳଠାରୁ ଅନୁଗୁଳ ସହର ପର୍ଯ୍ୟନ୍ତ ରାସ୍ତାର ମରାମତି ତୁରନ୍ତ କରାଯିବ। ଏହାସହିତ ଅନୁଗୁଳ ବାଇପାସ୍ ନିର୍ମାଣ କାମ ପୁଣି ଥରେ ଆରମ୍ଭ କରିବାକୁ ଏନ୍ଏଚ୍ଏଆଇକୁ ନିର୍ଦେଶ ଦିଆଯାଇଛି। ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିବା ସହ ଶୀଘ୍ର କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ, ମୁଖ୍ୟଯନ୍ତ୍ରୀ ମନୋରଂଜନ ମିଶ୍ର, ମୁଖ୍ୟ ସଚିବଙ୍କ ଓଏସଡି ଦିଲୀପ ରାଉତରାୟ, ଏନ୍ଏଚ୍ଏଆଇର ସିଜିଏମ୍ ରାମଚନ୍ଦ୍ର ପଣ୍ଡା, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/anugl-nh55.jpg)