ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ରେ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ପ୍ରହସନରେ ପରିଣତ ହୋଇଛି। ୫ ବର୍ଷ ପରେ ଅର୍ଥାତ୍‌ ୪ ମାସ ତଳେ ସୋର ହୋମିଓପ୍ୟାଥି ଡାକ୍ତରଖାନାକୁ ଔଷଧ ଆସିଥିଲା। ହେଲେ ନିମ୍ନମାନର ଔଷଧ ହୋଇଥିବାରୁ ରୋଗୀଙ୍କ କାମରେ ଲାଗୁନି। ଫଳରେ ଡାକ୍ତରଖାନା କର୍ତ୍ତୃପକ୍ଷ ବାହାରୁ ଔଷଧ କିଣି ରୋଗୀମାନଙ୍କୁ ଦେଉଥିବା ଜଣାପଡ଼ିଛି।

Advertisment

ସୂଚନାରେ ଅନୁସାରେ; ସୋର ବ୍ଲକ୍‌ରେ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ପାଖର, ଦାଣ୍ଡପଳସା ଓ କେଶରୀପୁରରେ ଆୟୁର୍ବେଦିକ ଏବଂ ମାଣିପୁର ଓ ବାଗୁଡ଼ି ସହ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ହୋମିଓପ୍ୟାଥି ଡାକ୍ତରଖାନା ଅଛି। ଏହି ହୋମିଓପ୍ୟାଥି ଡାକ୍ତରଖାନାଗୁଡ଼ିକ ଉପରେ ପ୍ରତିଦିନ ଶହ ଶହ ଲୋକେ ନିର୍ଭର କରନ୍ତି। ତଥ୍ୟ କହୁଛି; ସୋର ସରକାରୀ ହୋମିଓପ୍ୟାଥି ଡାକ୍ତରଖାନାକୁ ପ୍ରତିଦିନ ୬୦ରୁ ୭୦ ଜଣ ରୋଗୀ ଆସନ୍ତି। ସ୍ତ୍ରୀ ଓ ପ୍ରସୂତି ରୋଗୀଙ୍କ ସହ ଟ୍ୟୁମର୍‌, ଜ୍ୱର, କାଶ, ଝାଡ଼ା ଆଦି ରୋଗୀ ଅଧିକ ଆସନ୍ତି। ଏଠାରେ ବିଭାଗୀୟ ଡାକ୍ତର ଥିଲେ ମଧ୍ୟ ବହୁଦିନ ଧରି ଆବଶ୍ୟକ ଔଷଧ ମିଳୁନଥିଲା। ୨୦୧୮-୧୯ ମସିହାରେ ସୋର ହୋମିଓପ୍ୟାଥି ଡାକ୍ତରଖାନାକୁ ଔଷଧ ଆସିଥିବା ବେଳେ ୫ ବର୍ଷ ପରେ, ଅର୍ଥାତ୍‌ ୨୦୨୪ ସେପ୍ଟେମ୍ବର ୫ ତାରିଖ ଦିନ ସରକାରଙ୍କ ପକ୍ଷରୁ ୧୨୭ ପ୍ରକାରର ଔଷଧ ଆସିଥିଲା। ହେଲେ ଉକ୍ତ ଔଷଧ ନିମ୍ନମାନର ଓ ଏହାଦ୍ବାରା ରୋଗ ଉପଶମ ହେଉନି। ଏନେଇ ଅଭିଯୋଗ ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀ କଲ୍ୟାଣ ସମିତି ସହଯୋଗରେ ବାହାରୁ କିଛି ଅତ୍ୟାବଶ୍ୟକ ଔଷଧ କିଣି ରୋଗୀଙ୍କୁ ପ୍ରଦାନ କରୁଛନ୍ତି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଏନେଇ ସୋର ହୋମିଓପ୍ୟାଥିକ୍‌ ଡାକ୍ତର ନିରୁପମା ଜେନାଙ୍କ ସହ ଯୋଗାଯାଗ କରାଯାଇଥିଲା। ସେ କହିଛନ୍ତି, ୫ ବର୍ଷ ହେବ ଔଷଧ ଆସୁନଥିଲା। ତେବେ ୪ ମାସ ତଳେ ଆସିଛି। କିନ୍ତୁ ସେଗୁଡ଼ିକ ନିମ୍ନମାନର ବୋଲି ରୋଗୀମାନେ ଅଭିଯୋଗ କରୁଛନ୍ତି ଏବଂ ବ୍ୟବହାର କରିବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଆମେ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଅତ୍ୟାବଶ୍ୟକ ଔଷଧ ବାହାରୁ କିଣି ରୋଗୀଙ୍କୁ ଦେଉଛୁ। ଉନ୍ନତମାନର ଔଷଧ ନିୟମିତ ବ୍ୟବଧାନରେ ଡାକ୍ତରଖାନାରେ ଉପଲବ୍ଧ କରାଗଲେ ରୋଗୀମାନେ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।