ପୁରୀ : ଶବଦାହକୁ ବ୍ୟବସ୍ଥିତ କରିବା ସହ ଶୃଙ୍ଖଳା ଆଣିବା ଲକ୍ଷ୍ୟରେ ସ୍ବର୍ଗଦ୍ବାରର ନବକଳେବର ହେଲା। ତଥାପି ସ୍ଥିତିରେ ସୁଧାର ଆସୁନଥିବା ‌ଅଭିଯୋଗ ହୋଇଛି। ଏବେ ବି ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ମୃତକଙ୍କ ଆତ୍ମୀୟସ୍ବଜନମାନେ ଅଭିଯୋଗ କରିଛନ୍ତି। ଅନ୍ତ୍ୟେଷ୍ଟିକ୍ରିୟାର ପୂଜା ଓ ପଥଶ୍ରାଦ୍ଧ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ବ୍ରାହ୍ମଣ ନ ଥିବାରୁ ପ୍ରତିଦିନ ଏଭଳି ଶବଦାହରେ ବିଳମ୍ବ ହେଉଥିବା ବେଳେ ପ୍ରଶାସନ ଏହାକୁ ଅଣଦେଖା କରି ଚାଲିଥିବା ଅଭିଯୋଗ ହୋଇଛି। ସେପଟେ ବାହାର ବ୍ରାହ୍ମଣଙ୍କୁ ପୂଜାକାର୍ଯ୍ୟ ପାଇଁ ଅନୁମତି ନ ଥିବାରୁ ଆତ୍ମୀୟସ୍ବଜନମାନେ ମୃତକଙ୍କ ଶବକୁ ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସ୍ବର୍ଗଦ୍ବାରକୁ ଦୈନିକ ୫୦ରୁ ୮୦ ଶବ ଦାହ ପାଇଁ ଆସୁଛି। ଦିନେ ଦିନେ ଏହି ସଂଖ୍ୟା ୯୦ ଟପିଯାଉଛି। ଶବଦାହ ପାଇଁ ସ୍ବର୍ଗଦ୍ବାରରେ ସ୍ବତନ୍ତ୍ର ଶବଦାହକ ଥିବା ବେଳେ ସ୍ବତନ୍ତ୍ର ପୂଜକ ବି ରହିଛନ୍ତି। ଏମାନେ ତିନିଟି ସିଫ୍ଟରେ କାମ କରୁଛନ୍ତି। ତିନିଟି ସିଫ୍ଟରେ ଯେଉଁ ଯେଉଁମାନେ କାମ କରୁଛନ୍ତି, ସେମାନଙ୍କୁ ସ୍ବର୍ଗଦ୍ବାର ସେବା ସମିତି ଶବ ପିଛା ନି‌ର୍ଦ୍ଦିଷ୍ଟ ଦେୟ ଦେଉଛି। ଯେଉଁ ଅର୍ଥ ମୃତକଙ୍କ ଆତ୍ମୀୟସ୍ବଜନଙ୍କଠାରୁ ଆଦାୟ କରାଯାଉଛି। ଯେଉଁମାନେ ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ କରୁଛନ୍ତି, ସେମାନଙ୍କ ହରିଶ୍ଚନ୍ଦ୍ର ଯୋଜନା ଦେୟରୁ ପୂଜକ ଓ ଶବଦାହ ବାବଦ ଅର୍ଥ ପ୍ରଦାନ କରାଯାଉଛି। ବାକି ଯେଉଁମାନେ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ୍‌ ନୁହନ୍ତି, ସେମାନେ ସ୍ବର୍ଗଦ୍ବାର ସେବା ସମିତି ନିକଟରେ ନିର୍ଦ୍ଦିଷ୍ଟ ଦେୟ ଜମା ଦେଇ ଶବଦାହ କରୁଛନ୍ତି।

publive-image NewsBytes

ଯେଉଁ ବ୍ରାହ୍ମଣମାନେ ଅନ୍ତ୍ୟେଷ୍ଟିକ୍ରିୟା ପୂଜା କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରତି ଶବ ପିଛା ସ୍ବର୍ଗଦ୍ବାର ସେବା ସମିତି ୪୫୦ ଟଙ୍କା ପାରିଶ୍ରମିକ ଦେଉଛି। ବ୍ରାହ୍ମଣ ସଂଖ୍ୟା ଦେଖିଲେ, ସ୍ବର୍ଗଦ୍ବାରରେ ମାତ୍ର ୪ଜଣ କାମ କରୁଛନ୍ତି। ୪ଜଣରୁ ତିନିଜଣ ସର୍ବାଧିକ ସମୟ କାମ କରୁଛନ୍ତି। ଏମାନେ ୮ ଘଣ୍ଟା ହିସାବରେ ତିନି ସିଫ୍ଟରେ ପୂଜାକାର୍ଯ୍ୟ କରୁଛନ୍ତି। ଯଦି ପାରିଶ୍ରମିକ କଥା ହିସାବ କରାଯାଏ, ଦୈନିକ ହାରାହାରି ୫୦ଟି ଶବ ଦାହ ପାଇଁ ସ୍ବର୍ଗଦ୍ବାରକୁ ଆସିଲେ, ପୂଜା ବାବଦକୁ ବ୍ରାହ୍ମଣମାନଙ୍କୁ ଦୈନିକ ୨୨ହଜାର ୫୦୦ ଟଙ୍କା ପ୍ରଦାନ କରାଯାଉଛି। ମାସିକ ହିସାବ କଲେ, ବ୍ରାହ୍ମଣମାନଙ୍କୁ ଲକ୍ଷାଧିକ ଟଙ୍କା ସ୍ବର୍ଗଦ୍ବାର ସେବା ସମିତି ପ୍ରଦାନ କରୁଛି। ଯାହା ମୃତକଙ୍କ ଦେୟରୁ ଅବା ମୃତକଙ୍କ ବାବଦକୁ ମିଳୁଥିବା ହରିଶ୍ଚନ୍ଦ୍ର ଯୋଜନା ଅର୍ଥରୁ ପ୍ରଦାନ କରାଯାଉଛି।

ସ୍ବର୍ଗଦ୍ବାର ସେବା ସମିତି ଅବା ପ୍ରଶାସନ ଚାହିଁଲେ, ଅଧିକ ବ୍ରାହ୍ମଣ ନିଯୁକ୍ତି କରି ଶବଦାହ ବ୍ୟବସ୍ଥାକୁ ସରଳୀକରଣ କରିପାରନ୍ତା। ଲୋକେ ସୁବିଧାରେ ଓ ସଅଳ ଶବଦାହ କରି ଫେରିପା‌ରନ୍ତେ। କିନ୍ତୁ ସେଭଳି କିଛି ବ୍ୟବସ୍ଥା କରାଯାଉନି। ଫଳସ୍ବରୂପ ଲୋକେ ମୃତକଙ୍କ ଶବ ସହ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଗସ୍ତ କାଳରେ ବି ଅଧିକ ବ୍ରାହ୍ମଣ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା। ଶ୍ରୀ ମହାପାତ୍ର ପ୍ରଶାସନକୁ ଅଧିକ ବ୍ରାହ୍ମଣ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ସ୍ବର୍ଗଦ୍ବାର ସେବା ସମିତିର ପରିଚାଳନା କମିଟି ବୈଠକରେ ବି ଏହି ପ୍ରସଙ୍ଗ ଉଠିଥିଲା। ଆଉ ଦୁଇରୁ ତିନିଜଣ ଅଧିକ ବ୍ରାହ୍ମଣ ନିଯୁକ୍ତି ପାଇଁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅବା ପରିଚାଳନା କମିଟି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ। ଏ ସମ୍ପର୍କରେ ସ୍ବର୍ଗଦ୍ବାର ସେବା ସମିତି ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ମୁଖ୍ୟ ସଚିବ ସଫେଇ ପାଇଁ ଅଧିକ କର୍ମଚାରୀ ନିଯୁକ୍ତି କଥା କହିଥିଲେ। ତାହା ଆମେ କରିଛୁ। ବାକି ଅଧିକ ବ୍ରାହ୍ମଣ ନିଯୁକ୍ତି ସମ୍ପର୍କରେ ବିଚାର କରିବୁ। ସ୍ବର୍ଗଦ୍ବାରରେ କାମ କରିବାକୁ ବ୍ରାହ୍ମଣମାନେ ଆଗ୍ରହୀ ନୁହନ୍ତି। ତଥାପି ଯେଉଁମାନେ ପୂଜା କାର୍ଯ୍ୟ କରିବାକୁ ଆଗ୍ରହୀ, ତାହା ଦେଖିବା ପରେ ଯାହା କିଛି କରିପାରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।