ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ପୁଣି ସରକାରୀ ଅଧିକାରୀ ଏବଂ ଲୋକପ୍ରତିନିଧି ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ପରିଷଦ ସଭ୍ୟ ପରସ୍ପର ବିରୋଧରେ ଏତଲା ଦେବାରୁ ବିବାଦ ଉଗ୍ରରୂପ ନେଇଛି। ନବରଙ୍ଗପୁର ଥାନା ପୁଲିସ ଉଭୟ ଏତଲାକୁ ଗ୍ରହଣ କରି ଦୁଇଟି ପୃଥକ୍ ମାମଲା ରୁଜୁ କରିଛି।
ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ କହିବା ହେଲା, ଗତକାଲି ନିଜ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହିସମୟରେ ନନ୍ଦାହାଣ୍ଡି ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଠିକା କାମ କାହିଁକି ତାଙ୍କୁ ଦିଆଯାଉନି ବୋଲି ଦିବ୍ୟଦାନ ପାଟିତୁଣ୍ଡ କରିଥିଲେ। ସେହିପରି ବିଡିଓ ମଧ୍ୟ ସହଯୋଗ କରୁନଥିବା କହିଥିଲେ। ତେବେ ଏହି ବିଷୟରେ ବିଡିଓଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେବାରୁ ଜିଲ୍ଲା ପରିଷଦ ସଭ୍ୟ ଉତ୍କ୍ଷିପ୍ତ ହୋଇ ପାଟିତୁଣ୍ଡ କରି ଚାଲି ଯାଇଥିଲେ। ତେଣୁ, ଶନିବାର ସକାଳେ ଥାନାରେ ଏତଲା ଦେଇଥିବା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା କହିଛନ୍ତି, ନିଜ ଅଞ୍ଚଳର କିଛି ସମସ୍ୟା ସଂପର୍କରେ ଆଲୋଚନା କରିବାକୁ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ନିକଟକୁ ଯାଇଥିଲେ। ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିବାରୁ ହଠାତ୍ ଶ୍ରୀ ସାହୁ ରାଗି ଯାଇଥିଲେ। ଏପରିକି ତାଙ୍କୁ ଗାଳିଗୁଲଜ କରିବାକୁ ପଛାଇ ନଥିଲେ। ପୁଣି ସେଠାରୁ ତୁରନ୍ତ ଚାଲିଯିବାକୁ ଚେତାବନୀ ଦେଇଥିଲେ। ଅପମାନିତ କରିଥିବାରୁ ଗତକାଲି ରାତିରେ ହିଁ ଏତଲା ଦେଇଥିବା କହିଛନ୍ତି। ପୁଲିସ ଉଭୟ ପକ୍ଷର ଏତଲାକୁ ଗ୍ରହଣ କରି ଦୁଇଟି ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/nabarangapur.jpg)