କଂଗ୍ରେସକୁ ମିଳିଲେନି କାଉନ୍‌ସିଲର ପ୍ରାର୍ଥୀ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ପୌର ପରିଷଦ, ବିନିକା ଓ ତରଭା ଏନ୍‌ଏସି ପାଇଁ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ଦାଖଲ ସରିବା ସହ ଯାଞ୍ଚ ମଧ୍ୟ ସରିଛି। ପ୍ରାର୍ଥୀ ତାଲିକା ଦେଖିଲେ ପୌର ନିର୍ବାଚନରେ କଂଗ୍ରେସରେ ଥିବା ଦୁର୍ବଳ ରଣନୀତି ସ୍ପଷ୍ଟ ଜଣାପଡୁଛି। ସୋନପୁର ପୌର ପରିଷଦର ୧୫ଟି ୱାର୍ଡ ମଧ୍ୟରୁ ୫ଟିରେ, ବିନିକା ଏନ୍‌ଏସିର ୧୨ ୱାର୍ଡ ମଧ୍ୟରୁ ୮ଟିରେ ଏବଂ ତରଭା ଏନ୍‌ଏସିର ୧୨ଟି ୱାର୍ଡ ମଧ୍ୟରୁ କୌଣସି ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇ ପାରିନାହିଁ। ଗୋଟିଏ ଜାତୀୟ ଦଳର ଜିଲ୍ଲାରେ ଏପରି ଅବସ୍ଥାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି। ଗତ କିଛି ବର୍ଷ ହେଲା ଜିଲ୍ଲାରେ କଂଗ୍ରେସ ସଂଗଠନ ମଜଭୁତ ସ୍ଥିତିରେ ନଥିବା ଏହି ଚିତ୍ରରୁ ସ୍ପଷ୍ଟ ହେଉଛି।

ପୌର ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହୋଇଥିବା ବେଳେ କଂଗ୍ରେସ ସବୁ ୱାର୍ଡରେ ପ୍ରାର୍ଥୀ ନପାଇବା ଦଳର ସଂଗଠନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସୋନପୁର ପୌରାଧ୍ୟକ୍ଷ, ବିନିକା ଓ ତରଭା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇଛି। ସମସ୍ତ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ନଥିବାରୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ମତ ପ୍ରକାଶ ପାଇଛି। କିଛି ବର୍ଷ ମଧ୍ୟରେ ଜିଲ୍ଲାରେ କଂଗ୍ରେସର ଏପରି ସ୍ଥିତି ହେବ ତାହା ରାଜନୈତିକ ବିଶେଷଜ୍ଞମାନଙ୍କ କଳ୍ପନା ବାହାରେ ଥିଲା। ତେବେ ସବୁ ୱାର୍ଡରେ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇନଥିବା କଂଗ୍ରେସ ଅଧ୍ୟକ୍ଷ ପଦରେ ପ୍ରତିଦ୍ୱନ୍ଦିତା କରୁଥିବା ନିଜର ପ୍ରାର୍ଥୀଙ୍କ ପାଇଁ କିପରି ରଣ କୌଶଳ ଅବଲମ୍ବନ କରିବ ତାହା କିଛିଦିନ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର