ବାଲିପାଟଣା: ରବିବାର ଅପରାହ୍ଣରେ ବାଲିପାଟଣା ଅଠାନ୍ତର ନୂଆଗାଁ ନିକଟରେ ଏକ ପାଚେରି ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ତୁଇଲୋ ହୋ ଓ ଦଳେଇ ହୋ। ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍‌ କାମ ଚାଲିଥିବା ବେଳେ ରାସ୍ତାକଡ଼ ସଂଲଗ୍ନ ସ୍କୁଲ୍‌ ପାଚେରି ଭୁଶୁଡ଼ି ପଡ଼ିଥିଲା। ଫଳରେ ପଥର ତଳେ ଚାପି ହୋଇ ଏହି ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଜଣେ ଶ୍ରମିକ କନ୍ଦା ହୋ’ଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ଶ୍ରମିକମାନେ କେନ୍ଦୁଝରଜିଲ୍ଲା ହାଟଡିହି ବ୍ଳକ୍‌ ସୋସୋ ଥାନା ଅଧୀନ ଟାଇଲ ଓ ଶଙ୍ଖଣା ଗାଁ’ର ବୋଲି ଜଣାପଡ଼ିଛି।

Advertisment

ଅଠାନ୍ତର-ବନମାଳୀପୁର ପୂର୍ତ୍ତ ବିଭାଗ ରାସ୍ତା ନବୀକରଣ କାମ ଚାଲିଥିବାବେଳେ ଏବେ ନୂଆଗାଁ ନିକଟ ବେଙ୍ଗବତୀ ସରକାରୀ ସ୍କୁଲ୍‌ ନିକଟରେ ଡ୍ରେନ୍‌ କାମ ଚାଲିଛି। କିଛି ଦିନ ହେଲା ସ୍କୁଲ୍‌ ପାଚେରିକୁ ଲାଗି ଡ୍ରେନ୍‌ ଖୋଳା ହୋଇଥିବା ଗାତ ବର୍ଷା ଯୋଗୁ କିଛି ପରିମାଣରେ ପୋତି ହୋଇଯାଇଥିଲା। କିନ୍ତୁ ସ୍କୁଲ୍‌ ପାଚେରି କଡ଼ରେ ଡ୍ରେନ୍‌ କାମ ବିଳମ୍ବ ହେଉଥିବାରୁ ଭୁଶୁଡ଼ିବା ଭୟ ଥିଲା। ପାଚେରି ଅସୁରକ୍ଷିତ ଅବସ୍ଥାରେ ଥିବାରୁ ତୁରନ୍ତ ପାଚେରି କଡ଼ ଡ୍ରେନ୍‌ କାମ ସାରିବାକୁ ଲୋକେ ଦାବି କରୁଥିଲେ।

ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ
୨ ଶ୍ରମିକ ମୃତ, ଜଣେ ଗୁରୁତର

ଆଜି ରବିବାର ସ୍କୁଲ୍‌ ଛୁଟି ଥିବାରୁ ୩/୪ ଜଣ ଶ୍ରମିକ ଡ୍ରେନ୍‌ରୁ ମାଟି ବାହାର କରିବା ସହ ବାଲି ଭର୍ତ୍ତି କରୁଥିଲେ। କିନ୍ତୁ ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା। ଶ୍ରମିକମାନେ ଯେଉଁଠି କାମ କରୁଥିଲେ, ଠିକ୍‌ ସେହିଠାରେ ସାଢ଼େ ୬ଫୁଟ ଉଚ୍ଚର ପାଚେରି ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକ ସମ୍ପୂର୍ଣ୍ଣ ଭାବେ ପଥର ତଳେ ରହିଯାଇଥିଲେ ଓ ଜଣେ ସାମାନ୍ୟ ବାହାରକୁ ଥିଲେ। ସ୍ଥାନୀୟ ଲୋକଙ୍କ ପ୍ରୟାସ ସତ୍ତ୍ବେ ପଥର ତଳୁ ସେମାନଙ୍କୁ ତୁରନ୍ତ ବାହାର କରିବା ସମ୍ଭବ ହୋଇନଥିଲା। ଆମ୍ବୁଲାନ୍‌ସ ବି ପହଞ୍ଚିବାରେ ବିଳମ୍ବ ହେଲା। ଶେଷରେ ଲୋକମାନେ ଜେସିବି ସାହାଯ୍ୟରେ ୩ ଜଣଙ୍କୁ ପଥର ତଳୁ ବାହାରି କରି ସେହି ଜେସିବିରେ ସମସ୍ତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ସେମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଠିକାଦାରଙ୍କ ବେପରୁଆ କାମ ପାଇଁ ୨ନିରୀହ ଶ୍ରମିକଙ୍କ ଜୀବନ ଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏକ ବିପଦସଂକୁଳ ଜାଗାରେ ଶ୍ରମିକମାନେ କାମ କରିବାବେଳେ ଠିକାସଂସ୍ଥାର କେହି ନଥିଲେ ବୋଲି ଲୋକେ କହିଛନ୍ତି।