ପୁରୀ : ରଥଖଳାରେ ଆଜି ତିନିରଥର ‘ବେଦି’ ନିର୍ମାଣ ଆରମ୍ଭ ହୋଇଛି। ରଥ ଚାରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ସହ ଆଗଆଣି, ପଛଆଣି ଢମକ ମଝିରେ ୫ଟି ଲେଖାଁଏ ‘ଜଗତପୃଷ୍ଠ ଶେଣି’ ପକାଯାଇଛି। ଏହି ବେଦିର ପରିସରକୁ ବୃଦ୍ଧି କରିବା ପାଇଁ ଜଗତପୃଷ୍ଠ ଶେଣି ଉଭୟ ପାର୍ଶ୍ୱର ଚାରି ନାହାକା ଓ ଚଉଦ ନାହାକାରେ ତିନୋଟି ଲେଖାଁଏ ୨ବାହୁଟ ଫାଳିଆ ପଟା ବାଡ଼ିଆ ଯାଇଛି। ତିନିରଥର ୨୦ ଫୁଟର ଆଠକୋଣ ବିଶିଷ୍ଠ ଦୁଇଟି ଲେଖାଁଏ ‘ଘୋଡ଼ା ଈଷ’ ନିର୍ମାଣ ଶେଷ ହୋଇଛି। ଏଥିସହ ତିନି ରଥ ପାଇଁ ୪ଟି ଲେଖାଁଏ ‘ଧ୍ୱଜବତା’ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ‘ଧ୍ୱଜବତା’ ଦୁଆର ବେଢ଼ାକୁ ଟାଣି ଧରିବା ପାଇଁ ପ୍ରଥମ ଭୂଇଁ ଅଗ୍ରଭାଗରୁ ଦ୍ୱିତୀୟ ଭୂଇଁ ଶେଣି ପର୍ଯ୍ୟନ୍ତ ସଂଯୋଗ ହେବ।
/sambad/media/post_attachments/wp-content/uploads/2023/06/p77-671x430.jpg)
ସୋମବାର ଦିନ ତାଳଧ୍ୱଜ ରଥର ମୁଖ୍ୟ ରୂପକାର ସେବକ ପ୍ରଭାରେ ରୂପ ଖୋଦେଇ ପୂର୍ବରୁ ମାହାର୍ଦ୍ଦ ରଖି ଅନୁକୂଳ ପୂଜା ଆରମ୍ଭ କରିବା ପରେ ନନ୍ଦିଘୋଷ ରଥ ଓ ଦର୍ପଦଳନ ରଥର ‘ପ୍ରଭା’ର ଅନୁକୂଳ ପୂଜା ବଢ଼ିଥିଲା। ରୂପକାର ସେବକମାନେ ତିନିରଥର ପ୍ରଭା ଉପର ଭାଗରେ ରାହୁ ରୂପ ଚିତ୍ର ସହ ପ୍ରଭା ନିମ୍ନ ଭାଗ ଦୁଇ ପାର୍ଶ୍ୱରେ ମଗର ମୁଖ ଚିତ୍ର ଆଙ୍କି ରୂପ ଖୋଦେଇ ଆରମ୍ଭ କରିଛନ୍ତି। ଏଥିସହ ତିନି ରଥର ଆସୁଆରୀରେ ରୂପକାର ସେବକମାନେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକର ସେବକମାନେ ରଥ ପାର୍ଶ୍ୱ ଦେବଦେବୀଙ୍କ ରୂପ ରଙ୍ଗ ଚିତ୍ର ସହ ହଂସ ପଟା, କନ୍ୟା ପଟା, ଓଲଟ ଶୁଆ, ସଖୀ ଆଦି ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦୁଆର ବେଢ଼ା ରୂପ ଚିତ୍ର, ରଥ ବାହ୍ୟ ପାର୍ଶ୍ୱ ଗୁଜ, ଚକ ଆଦି ବି ରଙ୍ଗ କାର୍ଯ୍ୟ ଜାରି ରହିଛି। ଦୋଳବେଦି କମାର ଶାଳରେ ଓଝା ସେବକମାନେ କଣ୍ଟା ନିର୍ମାଣ ସହ ଚାର ବନ୍ଧା ପାଇଁ ଭୋଇ ସେବକମାନଙ୍କ ନିମନ୍ତେ କଟୁରି ନିର୍ମାଣ କରୁଛନ୍ତି। ଦରଜି ସେବକମାନେ ତିନିରଥର ବତା କନାରେ ଲେସ୍ ସଂଯୋଗ କରିଛନ୍ତି। ଦୁଆର ବେଢ଼ା କନାରେ ସିଲଭର୍ ଫୁଲ, ଲେସ ସିଲାଇ କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/p76.jpg)