ଶ୍ରୀମନ୍ଦିର ସିଂହଦ୍ବାର ରୁପାଛାଉଣୀ କାମ ଆରମ୍ଭ

ବର୍ମା ଟିକରେ ଚାଲିଛି କାଠ କାମ, ଲାଗିଛନ୍ତି ମୁମ୍ବାଇର ୧୩ କାରିଗର, ୩୦ ତାରିଖ ଭିତରେ ସରିବ କାମ

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ରୁପା ଛାଉଣୀର ପ୍ରାରମ୍ଭିକ କାମ ଆରମ୍ଭ ହୋଇଛି। ସିଂହଦ୍ବାର କବାଟ ନୂଆ କରିବାକୁ ନିଷ୍ପତ୍ତି ପରେ ମୁମ୍ବାଇରୁ ଆସିଥିବା ୧୩ଜଣ କାରିଗର ନୀଳାଦ୍ରି ଭକ୍ତ ନିବାସରେ ବର୍ମା ଟିକ(ଶାଗୁଆନ)ରେ ସିଂହଦ୍ବାର ପାଇଁ ନୂଆ ଦ୍ବାର କାମ ଆରମ୍ଭ କରିଛନ୍ତି। ଦ୍ବାର କାମ ସରିବା ପରେ ବର୍ତ୍ତମାନର ସିଂହଦ୍ବାର ଭଳି ଅବିକଳ ରୁପା ଚାଦର ଏଠାରେ ଲାଗିବ। ଏଥିସହ ଶ୍ରୀମନ୍ଦିର ଚଳନ୍ତି ବିଗ୍ରହଙ୍କ ଆସ୍ଥାନ ଦକ୍ଷିଣି ଘରର ଦ୍ବାର କାମ ବି ଆରମ୍ଭ ହୋଇଛି। ଦକ୍ଷିଣି ଘର ଦ୍ବାର ବି ରୁପା ଚାଦରରେ ଆଚ୍ଛାଦିତ କରାଯିବ।

ଶ୍ରୀମନ୍ଦିରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପୂର୍ବରୁ ସିଂହଦ୍ବାର କବାଟର ସ୍ଥିତାବସ୍ଥା ଯାଞ୍ଚ ହୋଇଥିଲା। ଯାଞ୍ଚ ପରେ ବର୍ମା ଟିକ୍‌ରେ ନୂଆ କବାଟ ତିଆରି ହେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ୧୩ଜଣ କାରିଗର ନୀଳାଦ୍ରି ଭକ୍ତ ନିବାସରେ କିଛିଦିନ ହେବ ନିର୍ମାଣ କାମ ଜାରି ରଖିଛନ୍ତି। ସିଂହଦ୍ବାର କବାଟର କାଠ କାମ ଶେଷ ପରେ ଏହା ଉପରେ ରୁପା ଚାଦର ଆଚ୍ଛାଦନ କରାଯିବ। ମୁମ୍ବାଇର ଦାତା ଏହି ରୁପା ଦାନସୂତ୍ରରେ ଦେବେ। ଏବେ ସିଂହଦ୍ବାରରେ ଦୁଇଟି ସିଂହମୂର୍ତ୍ତି ସାଙ୍ଗକୁ ଅନ୍ୟାନ୍ୟ କାରୁକାର୍ଯ୍ୟ ରହିଛି। କାଠ ଦ୍ବାର ଉପରେ ପିତଳରେ ଏହି କାରୁକାର୍ଯ୍ୟ କରାଯାଇଛି। ସିଂହ ମୂର୍ତ୍ତି ସହ ଅବିକଳ ଅନ୍ୟାନ୍ୟ କାରୁକାର୍ଯ୍ୟ ରୁପାରେ ତିଆରି ହେବ। ସଂପୃକ୍ତ ଦାତା ଏହାର ଡିଜାଇନ ବି ପ୍ରସ୍ତୁତ କରୁଛନ୍ତି। କାଠ ଦ୍ବାର ନିର୍ମାଣ ପରେ ଡିଜାଇନ ଅନୁଯାୟୀ ପ୍ରସ୍ତୁତ ରୁପା ଚାଦର ଏହା ଉପରେ ଲାଗିବ। ପରେ ପୁରୁଣା ଦ୍ବାରକୁ କାଢ଼ି ନୂ୍ଆ ନିର୍ମାଣ ହୋଇଥିବା ଏହି ଦ୍ବାରକୁ ସିଂହଦ୍ବାରରେ ସଂଯୋଗ କରାଯିବ। କିନ୍ତୁ ଦକ୍ଷିଣି ଘର ଦ୍ବାରରେ ଲାଗିବାକୁ ଥିବା ସମସ୍ତ ରୁପା ଶ୍ରୀମନ୍ଦିର ପ୍ରଶାସନ ନିଜସ୍ବ ଖର୍ଚ୍ଚରେ କରିବ। ଏଥିପାଇଁ ଆବଶ୍ୟକ ରୁପା ଶ୍ରୀମନ୍ଦିର ପ୍ରଶାସନ ଦେବ। ଶ୍ରୀମନ୍ଦିର ପ୍ରଶାସନର ବଣିଆ ବି ଦକ୍ଷିଣି ଘର ରୁପା ଚାଦର ଡିଜାଇନ ପ୍ରସ୍ତୁତ କରିବେ। ଦକ୍ଷିଣି ଘରର ଦ୍ବାର କାମ ବି ୧୩ଜଣିଆ କାରିଗର ବର୍ମା ଟିକରେ କରୁଛନ୍ତି। ଜୁନ ୩୦ ତାରିଖ ଭିତରେ ଉଭୟ ସିଂହଦ୍ବାର ଓ ଦକ୍ଷିଣି ଘର ଦ୍ବାର ସଂଯୋଗ ଓ ରୁପା ଛାଉଣୀ କାମ ଶେଷ ହେବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର