ଦୀର୍ଘ ୮ବର୍ଷ ପରେ ବି ସରୁନି ଜୋରକଣି ଦୟା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ପିପିଲି : ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ ସାଉରିଆ ଜୋରକଣି ଦୟା ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରିଲାନି। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବ୍ରିଜ୍‌ କାମ ସରିବାକୁ ଆଉ କେତେ ବର୍ଷ ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଫଳରେ ନଦୀ ଅପରପାର୍ଶ୍ବରେ ଥିବା ପ୍ରାୟ ୩ ହଜାର ଅଧିବାସୀ ଦୀର୍ଘ ବର୍ଷ ଧରି ଅତି ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି। ବିଶେଷ କରି ଦୟାନଦୀରେ ବନ୍ୟା ଆସିଲେ ଡେଲାଙ୍ଗର ଉପାନ୍ତ ଅଞ୍ଚଳ କୁହାଯାଉଥିବା ଯୋରକଣି, ଟିଗିରିଆ, ବିତିପୁର ଗାଁର ଦୁଃଖ ବଢ଼ିଯାଏ। ନଦୀ ପାର ହୋଇ ଏମାନେ ସାଉରିଆ ଦେଇ ଯାତାୟାତ କରିଥାନ୍ତି। ମାସାଧିକ କାଳ ଅଞ୍ଚଳବାସୀ ଜଳବନ୍ଦି ହୋଇ ରୁହିବା ସହ ଖାଦ୍ୟାଭାବ ଏହି ସମସ୍ୟାକୁ ଦ୍ବିଗୁଣିତ କରିଦିଏ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା, ନିର୍ମାଣ ଶେଷ ହେବା ପୂର୍ବରୁ ବୈଷୟିକ ତ୍ରୁଟି ଯୋଗୁ ବ୍ରିଜ୍‌ର ଗୋଟିଏ ଖୁଣ୍ଟ ବଙ୍କା ହୋଇ ଯାଇଥିବା ଅଭିଯୋଗ ହୋଇଛି। ଡେଲାଙ୍ଗ ବ୍ଲକ୍‌ ଘନିପୁର ପଞ୍ଚାୟତ ଅନ୍ତର୍ଗତ ଏହି ବ୍ରିଜ୍‌ର ନିର୍ମାଣ ପାଇଁ ୨୦୧୪ ଫେବୃୟାରୀ ୧୫ ତାରିଖରେ ତତ୍କାଳୀନ ବିଧାୟକ ପ୍ରଦୀପ ମହାରଥୀ ଶୁଭ ଦେଇଥିଲେ। ତେବେ ଏହା ପୂର୍ବରୁ ପ୍ରାୟ ୩ଥର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଟିଗିରିଆର ୨ ଟି ୱାର୍ଡ ଓ ଜୋରକଣି ଗାଁର ୩ଟି ୱାର୍ଡ ଘନିପୁର ପଞ୍ଚାୟତ ଅଧୀନରେ ଯାଉଛି। ଏତଦ୍‌ବ୍ୟତୀତ ଏହି ଦୁଇ ଗାଁର କିଛି ଅଂଶ ଜଟଣୀ ଓ କଣାସ ବ୍ଲକ୍‌ ଅଞ୍ଚଳ ଅନ୍ତର୍ଗତ ହୋଇଥିବା ବେଳେ ସେଠାକାର ପ୍ରାୟ ୩ହଜାର ଲୋକ ବନ୍ୟା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାନୁସାରେ ଏହି ବ୍ରିଜ୍‌ ନିର୍ମାଣରେ ନିୟୋଜିତ ଠିକାଦାର କାମ ନ କରି ଅଧାରୁ ଛାଡ଼ି ଚାଲିଯିବାରୁ ଏବେ ବ୍ରିଜ୍‌ ପାଇଁ ଆଉଥରେ ଟେଣ୍ତର ହୋଇଛି। ତେବେ ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସରୋଜ ପଣ୍ତାଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହେବ ଓ ମାର୍ଚ୍ଚ ସୁଦ୍ଧା ନିର୍ମାଣ ଶେଷ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର