ରାୟଗଡ଼ା: ଶୁଖିଲା ପଡ଼ିଛି ଚିରସ୍ରୋତା ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ। ନଦୀ ଜଳ ପରିଚାଳନାରେ ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁ ଏହାର ଫାଇଦା ଉଠାଉଛି ଆନ୍ଧ୍ର। ସବୁ ନଦୀର ତଳମୁଣ୍ଡରେ ଆନ୍ଧ୍ର ବ୍ୟାରେଜ୍ ନିର୍ମାଣ କରି ଚାଷ ଜମିକୁ ଜଳସେଚନ କରିବା ସହ ପାନୀୟ ଜଳ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରୁଛି। ରାଜ୍ୟ ସରକାରଙ୍କ ପଦକ୍ଷେପ କେବଳ ଘୋଷଣାରେ ରହିଛି। ଫଳରେ ଗ୍ରୀଷ୍ମରେ ପାନୀୟ ଜଳ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବା ସହ ଜଳସେଚନ ପାଇଁ ପାଣିକୁ ଚାହିଁ ଚାହିଁ ଚାଷୀ ଜଳକା ପାଲଟୁଛି। ରବି ଋତୁରେ କୃଷି ବିଭାଗ ୫୪ ହଜାର ୧୮୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୩ ହଜାର ୬୦୦ ହେକ୍ଟର ଜମିରେ ଧାନ, ୧୯ ହଜାର ୧୦୦ ହେକ୍ଟରରେ ଡାଲି ଜାତୀୟ ଶସ୍ୟ, ୧୭ ହଜାର ୩୮୦ ହେକ୍ଟରରେ ତୈଳ ଜାତୀୟ ଶସ୍ୟ, ୯ ହଜାର ୫୭୦ ହେକ୍ଟରରେ ପନିପରିବା, ୧୯୬୦ ହେକ୍ଟରରେ ମସଲା, ୨୨୭୦ ହେକ୍ଟରରେ ଗହମ, ଡାଲି ଓ ଅର୍ଥକାରୀ ଫସଲ ଏବଂ ୩୦୦ ହେକ୍ଟରରେ ଅନ୍ୟାନ୍ୟ ଫସଲ ଚାଷ ପାଇଁ ବିଭାଗ ଆକଳନ କରିଛି। ୩ ହଜାର ୬୦୦ ହେକ୍ଟରରେ ହେବାକୁ ଥିବା ଧାନ ଚାଷରୁ ୯ ହଜାର ୩୨୦ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରହିଛି। ୯ ହଜାର ୫୭୦ ହେକ୍ଟର ଜମିରୁ ୧ ଲକ୍ଷ ୮୩ ହଜାର ୭୯୦ ମେଟ୍ରିକ୍ ଟନ୍ ପରିବା ଉତ୍ପାଦନ ହେବ। କିନ୍ତୁ ନଦୀ, କେନାଲ୍, ଚେକ୍‌ଡ୍ୟାମ୍ ଶୁଖିଲା ପଡିବା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

Advertisment

ବିଦ୍ୟୁତ୍ ସମସ୍ୟା ସହ ଭୂତଳ ଜଳସ୍ତର କମିବା କାରଣରୁ ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ ଅଚଳ ଅବସ୍ଥାରେ। ପଦ୍ମପୁର ବଡ଼ନାଳ ଡ୍ୟାମ୍ ଗୁଣପୁର, ପଦ୍ମପୁର, ରାମନାଗୁଡା, ଗୁଡାରି ବ୍ଲକର ୮ ହଜାର ୫ ଶହ ହେକ୍ଟର ଜମିକୁ ପାଣି ଯୋଗାଉଛି। ଡ୍ୟାମରେ ଆବଶ୍ୟକ ପରିମାଣର ପାଣି ରହୁନଥିବାରୁ ରବି ଋତୁରେ ଜଳସେଚନ ହୋଇପାରୁନି।
ଦୁଇ ଋତୁରେ ଚାଷ ଜମିକୁ ଜଳସେଚିତ କରିବା ଲାଗି ସାନନଦୀକୁ ବଡନାଳ ଡ୍ୟାମ୍ ସହ ସଂଯୋଗୀକରଣ ପାଇଁ ପ୍ରସ୍ତାବ ରହିଛି। ଯାହା ଏଯାବତ୍ ସରକାରୀ ନାଲିଫିତା ତଳୁ ମୁଣ୍ଡ ଟେକିପାରୁନି। ଚିରସ୍ରୋତା ବଂଶଧାରା ମଧ୍ୟ ଜିଲ୍ଲାର ଚାଷ ଜମିକୁ ପାଣି ଯୋଗାଇବାରେ ବିଫଳ ହୋଇଛି। ୨୧୭ କିମି ଲମ୍ବା ବିଶିଷ୍ଟ ବଂଶଧାରାର ସିଂହଭାଗ ଅର୍ଥାତ୍ ୧୨୫ କିମି ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ନଦୀ ଉପରେ ବ୍ୟାରେଜ୍ ନିର୍ମାଣ କରି ଜଳକୁ କୃଷି କାର୍ଯ୍ୟରେ ବ୍ୟବହାର କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ଆନ୍ଧ୍ର ସରକାର ବଂଶଧାରା ଉପରେ ଗୋଟା, କାଟ୍ରାଗୁଡା ନଦୀବନ୍ଧ କରିବା ସହ ତୃତୀୟ ପ୍ରକଳ୍ପ ନେରେଡ଼ି ପାଇଁ ପ୍ରୟାସ ଜାରି ରଖିଛନ୍ତି। ୨୦୦୫ରେ ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇଥିଲେ। ୯୦୦ କୋଟି ଟଙ୍କା ବ୍ୟୟରେ ୨୭୩୦ ବର୍ଗ କିମି ଅବବାହିକା କ୍ଷେତ୍ର ବିଶିଷ୍ଟ ଏହି ପ୍ରକଳ୍ପ ଦୀର୍ଘ ୫୪ କିମି କେନାଲ ୨ଟି ଟନେଲ୍ ‌ଦେଇ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ୍ ଗୋପାଳପୁର ନିକଟରେ ଋଷିକୂଲ୍ୟାରେ ମିଶିବା ଯୋଜନା ହୋଇଥିଲା। ୧୩.୮୫ ହଜାର ମିଲିୟନ୍ କ୍ୟୁବିକ୍ ଫୁଟ ଜଳ ବଂଶଧାରାରୁ ଋଷିକୂଲ୍ୟାକୁ ଛାଡ଼ିବା ପ୍ରକଳ୍ପର ଲକ୍ଷ୍ୟ ଥିବା ବେଳେ ଚନ୍ଦ୍ରପୁର ବ୍ଲକ୍‌ର ମୀନାଝୋଲା ନିକଟରେ ପାଣିଡଙ୍ଗର ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ନଦୀ ସଂଯୋଗୀକରଣ ପ୍ରସ୍ତାବ ଓ ପାଣି ଡଙ୍ଗର ବ୍ୟାରେଜ୍ ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡ଼ିଛି। ସେହିପରି ନାଗାବଳୀ ଜଳକୁ ମଧ୍ୟ ଶୋଷୁଛି ଆନ୍ଧ୍ର। ନାଗାବଳୀ ଉପରେ ଓଡ଼ିଶା ସରକାର ଡ୍ୟାମ୍ ନିର୍ମାଣ କରିବାରେ ବିଫଳ ହୋଇଥିବା ବେଳେ ଆନ୍ଧ୍ରର ତୋଟାପଲ୍ଲୀରେ ନିର୍ମିତ ବ୍ୟାରେଜ୍ ଲକ୍ଷାଧିକ ଏକର ଜମିକୁ ଜଳସେଚିତ କରୁଛି। ଏପଟେ ଦୀର୍ଘ ୧୭ ବର୍ଷ ହେଲା ସର୍ଭେରେ ସୀମିତ ରହିଛି ନାଗାବଳୀ ଉପରେ ନିର୍ମିତ ହେବାକୁ ଥିବା ବେଲକଣା ମେଗା ଜଳସେଚନ ପ୍ରକଳ୍ପ। ୨୦୧୪ରେ କଲ୍ୟାଣସିଂହପୁରରେ ନିର୍ମିତ କଲ୍ୟାଣୀ ଜଳସେଚନ ପ୍ରକଳ୍ପ ରାୟଗଡ଼ା ବଦଳରେ କଳାହାଣ୍ଡିର ଜମିକୁ ଶସ୍ୟ ଶ୍ୟାମଳା କରୁଛି।