ଶଙ୍ଖାରୀରେ ମନ୍ମଥ-ମନୋଜ ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉ

ପଣ୍ଡିଚେରୀରେ ଥିବା ଲେଖକଙ୍କ ବ୍ୟବହୃତ ସାମଗ୍ରୀ ସବୁକୁ ତୁରନ୍ତ ଓଡ଼ିଶା ଅଣାଯାଉ
ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲା ମନୋଜ ଦାସ ସ୍ମୃତି ସଂସଦ
ଖୁବ୍‌ଶୀଘ୍ର ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର : ଯଶସ୍ବୀ ଲେଖକ ପଦ୍ମଭୂଷଣ ମନୋଜ ଦାସ ଏବଂ ତାଙ୍କ ବଡ଼ଭାଇ ପ୍ରଖ୍ୟାତ ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ପୈତୃକ ଗ୍ରାମ ବାଲେଶ୍ବର ଜିଲ୍ଲାର ଶଙ୍ଖାରୀଠାରେ ବହୁ କୋଟି ଟଙ୍କା ବ୍ୟୟରେ ମନ୍ମଥ-ମନୋଜ ସ୍ମାରକୀ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ପ୍ରକଳ୍ପ ଅନ୍ତର୍ଗତ ଗାଁରେ ଥିବା ଦୁଇ ବରପୁତ୍ରଙ୍କ ବାସଗୃହକୁ ଐତିହ୍ୟ ଅଟ୍ଟାଳିକା ଭାବେ ମାନ୍ୟତା ଦେବା ସହ ଏଠାରେ ପାଠାଗାର, ସମ୍ମିଳନୀ କକ୍ଷ, ପ୍ରତିମୂର୍ତ୍ତି ନିର୍ମାଣ ସାଙ୍ଗକୁ ଭବିଷ୍ୟତପିଢ଼ି ଲାଗି ଉଭୟଙ୍କ ପୁସ୍ତକ, ପାଣ୍ଡୁଲିପି ଓ ଆସବାବପତ୍ରକୁ ସୁରକ୍ଷିତ ରଖିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏଥିଲାଗି ନିକଟରେ ସ୍ବର୍ଗତ ମନୋଜ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ପରିବାର ପକ୍ଷରୁ ବାସଗୃହ ସମେତ ସାଢ଼େ ତିନି ଏକର ପରିମିତ ଜମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇସାରିଛି। ମାତ୍ର ଏଯାଏ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ମନ୍ମଥ-ମନୋଜପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ତେଣୁ ଏହି ପ୍ରସ୍ତାବିତ ସ୍ମାରକୀ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ତ୍ବରାନ୍ବିତ କରିବାକୁ ମନୋଜ ଦାସ ସ୍ମୃତି ସଂସଦ ଦାବି କରିଛି।

ନିକଟରେ ଭୁବନେଶ୍ଵରରେ ଅନୁଷ୍ଠିତ ସଂସଦର କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଅନୁମୋଦିତ ହେବା ପରେ ସଂସଦର ଉପଦେଷ୍ଟା ତଥା ସ୍ଵର୍ଗତ ମନ୍ମଥ ନାଥ ଦାସଙ୍କ ପୁତ୍ରବଧୂ ଡ. ରଂଜିତା ଦାସ, ସଂପାଦକ ଗୌତମବୁଦ୍ଧ ଦାସ, ସାଂସ୍କୃତିକ ସଂପାଦକ ସରୋଜ ବଳ ପ୍ରମୁଖ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ତିନିଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସ୍ୱର୍ଗତ ଦାସ ଦୀର୍ଘ ବର୍ଷ ଧରି ପଣ୍ଡିଚେରିସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଅବସ୍ଥାନ କରୁଥିବାରୁ ଏହିଠାରେ ତାଙ୍କର ସମସ୍ତ ପୁସ୍ତକ, ପାଣ୍ଡୁଲିପି, ପୁରସ୍କାର, ପ୍ରଶଂସାପତ୍ର ଓ ବ୍ୟବହୃତ ସାମଗ୍ରୀ ମାନ ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ବା ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ତୁରନ୍ତ ଏ ସବୁକୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରି କୌଣସି ସୁରକ୍ଷିତ ସ୍ଥାନରେ ସଂରକ୍ଷିତ ରଖିବା ଜରୁରି। ପରବର୍ତ୍ତୀ ସମୟରେ ଲେଖକଦ୍ଵୟଙ୍କ ଗ୍ରାମରେ ପ୍ରସ୍ତାବିତ ସ୍ମାରକୀ ନିର୍ମାଣ ହୋଇସାରିଲେ, ଏସବୁ ସେଠାକୁ ସ୍ଥାନାନ୍ତର କରାଯାଇପାରିବ ବୋଲି ସଂସଦ ତରଫରୁ ପ୍ରସ୍ତାବ ଦିଆଯାଇଛି।

ଏହା ବ୍ୟତୀତ ମନୋଜ ଦାସଙ୍କ ସ୍ମୃତିରେ ସର୍ବଭାରତୀୟସ୍ତରରେ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ଜଣେ ବିଶିଷ୍ଟ ଲେଖକଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ସାଙ୍ଗକୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମନୋଜ ସାହିତ୍ୟ ଉପରେ ବିଭିନ୍ନ ପ୍ରତିଯୋଗିତା କରାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେଣୁ ଏହି ସବୁ ପୁରସ୍କାର ପ୍ରଦାନ ଲାଗି ଏକ ଚୟନ କମିଟି ଗଠନ କରି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସଂସଦ ତରଫରୁ ଦାବି କରାଯାଇଥିଲା।

ଆଲୋଚନା ବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ସଂସଦର ଏହି ସବୁ ଦାବି ଓ ପ୍ରସ୍ତାବ ଯଥାର୍ଥ ବୋଲି ଉପଲବ୍ଧି କରିଥିଲେ ଏବଂ ସ୍ମାରକୀ ନିର୍ମାଣ ଲାଗି ଅର୍ଥ ମଞ୍ଜୁର ହୋଇ ସାରିଥିବାରୁ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ଏଥି ସହିତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପଣ୍ଡିଚେରୀ ଆଶ୍ରମରେ ଥିବା ସ୍ଵର୍ଗତ ମନୋଜ ଦାସଙ୍କ ପୁସ୍ତକ ଓ ବ୍ୟବହୃତ ସାମଗ୍ରୀକୁ ଓଡ଼ିଶା ଆଣି ସୁରକ୍ଷିତ ଭାବେ ସଂରକ୍ଷିତ ରଖିବାକୁ ସେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପୁରସ୍କାର ଚୟନ ପ୍ରକ୍ରିୟା ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ। ଏହି ଆଲୋଚନା ବେଳେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମାନସ ରଞ୍ଜନ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର