ଭଦ୍ରକ: କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ଭଦ୍ରକରେ ଏହି ମିନି ଷ୍ଟାଡିୟମ ପାଇଁ ଜମି ଚିହ୍ନଟ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ଦିଆଯାଇ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ମାତ୍ର କାମ ଆରମ୍ଭରୁ ବିବାଦ ମୁଣ୍ଡ ଟେକିଛି। ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ କରାଯାଉଥିବା ଏହି ମିନି ଷ୍ଟାଡିୟମ କାର୍ଯ୍ୟକୁ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ମାମଲା ପହଞ୍ଚିବା ପରେ ପୂର୍ତ୍ତ ବିଭାଗ ଅଡୁଆରେ ପଡିଛି। କାମରେ ଅସନ୍ତୋଷକୁ ନେଇ ଭଦ୍ରକ ଓ ବାସୁଦେବପୁର ବ୍ଲକରେ ନିର୍ମାଣ କରାଯାଉଥିବା ମିନି ଷ୍ଟାୟଡିୟମ ଟେଣ୍ଡର ବାତିଲ କରି ସାନି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ଦୁଇ ଥର ଟେଣ୍ଡର ଡାକିବା ପରେ ମଧ୍ୟ କେହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲେ ନାହିଁ।
ଅଧାରୁ କାମ କରିବା ପାଇଁ କୌଣସି ଠିକାଦାର ରାଜି ହେଉନଥିବା ଜଣାପଡିଛି। ଟେଣ୍ଡର ପ୍ରକ୍ରିୟା ବଳବତ୍ତର ରହିଥିବା ବେଳେ ପୂର୍ତ୍ତ ବିଭାଗ ଏହି ଟେଣ୍ଡରକୁ ବାତିଲ କରି ଦେବା ଘଟଣାକୁ ନେଇ ସଂପୃକ୍ତ ଠିକାଦାର ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିବା ସହ ଏହି କାମରେ ତୃତୀୟ ପକ୍ଷ ଠିକାଦାର ନିଯୁକ୍ତ କରିପାରିବେ ନାହିଁ ବୋଲି ଆଦେଶ ଦେଇଥିଲେ। ପୂର୍ତ୍ତ ବିଭାଗ ଏ ନେଇ ଟେଣ୍ଡର ପରେ ଟେଣ୍ଡର ଡାକି ଚାଲିଛନ୍ତି। ମାତ୍ର ସଂପୃକ୍ତ ଠିକାଦାର ପୂର୍ତ୍ତ ବିଭାଗର ଟେଣ୍ଡର ଡାକିବାକୁ ଖାତିର ନ କରି ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଲାଗି ପଡିଛନ୍ତି। ଗତବର୍ଷ ଜିଲ୍ଲାରେ ଚାନ୍ଦବାଲି, ଧାମନଗର, ବାସୁଦେବପୁର ଓ ଭଦ୍ରକ ସହରାଞ୍ଚରେ ୪ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଭଦ୍ରକ ପୂର୍ତ୍ତ ବିଭାଗ ଟେଣ୍ଡର କରିଥିଲା। ଭଦ୍ରକ ଏବଂ ବାସୁଦେବପୁର ମିନି ଷ୍ଟାଡିୟମ ପାଇଁ ମୋଟ ୨୦ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ବେଳେ ଚାନ୍ଦବାଲି ଓ ଧାମନଗର ଏନଏସି ଅଞ୍ଚଳରେ ନିର୍ମାଣ କରାଯାଉଥିବା ମିନି ଷ୍ଟାଡିୟମ ପାଇଁ ମୋଟ ୧୫ କୋଟି ୭୦ ଲକ୍ଷ ଟଙ୍କା ମଂଜୁର କରି ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହି ୪ଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ ମୋଟ ୩୬ କୋଟି ୨୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା।
ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପରେ ଜଣେ ଠିକାଦାର ଭଦ୍ରକ ଓ ବାସୁଦେବପୁର ମିନି ଷ୍ଟାଡିୟମ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ଧାମନଗର ଓ ଚାନ୍ଦବାଲି ଷ୍ଟାଡିୟମ ନିର୍ମାଣ କାମ କରୁଥିଲେ। ଭଦ୍ରକର ବିଏମ ବାଗୁରାଇ ସ୍କୁଲ ନିକଟ ପଡିଆରେ ମିନି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଗତ ୨୮/୩/୨୨ରେ ଚୁକ୍ତିନାମା କରାଯାଇ କାମ ଆରମ୍ଭ କରାଯାଇଥିଲା। ଏହି ନିର୍ମାଣ କାମ ମାର୍ଚ୍ଚ ମାସରେ ଶେଷ ହେବାକୁ ଅବଧି ରଖାଯାଇଥିଲା। ମାତ୍ର ପୂର୍ତ୍ତ ବିଭାଗ ସେପ୍ଟେମ୍ବର ମାସରେ ବାସୁଦେବପୁର ଓ ନଭେମ୍ବର ମାସରେ ଭଦ୍ରକ ଷ୍ଟାଡିୟମ ନିର୍ମାଣ ଟେଣ୍ଡରକୁ ବାତିଲ କରି ସାନି ଟେଣ୍ଡର ଡାକିଥିଲେ। ଫଳରେ ବିବାଦ ହେବାରୁ ନିର୍ମାଣ କାମ ଅଧାରୁ ଅଟକିଛି। ପୂର୍ତ୍ତ ବିଭାଗ ଏ ସଂପର୍କରେ କିଛି କହୁ ନଥିବା ବେଳେ ଏହା ଉପର ମହଲର ନିଷ୍ପତ୍ତି ବୋଲି ଶୁଣାଯାଉଛି। ଟେଣ୍ଡର ବାତିଲ ପରେ ପୂର୍ତ୍ତ ବିଭାଗ ପାଇଁ ଅଡୁଆ ବଢିଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।