ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଘୋଷଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶାସ୍ତ୍ରୀୟ ବନଜାଗ ବିଧିରେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ନିର୍ମାଣର ଅନୁକୂଳ ହୋଇଛି। ଶ୍ରୀମନ୍ଦିରରୁ ତିନି ରଥ ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ଦେଉଳ ପୁରୋହିତ ଅଭିମନ୍ତ୍ରିତ ସୁନା କୁରାଢ଼ିରେ ତିନି ଧଉରା କାଠକୁ ଚୋଟ ମାରି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରିଛନ୍ତି। ଏହାପରେ ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ବ୍ରାହ୍ମଣଙ୍କଠାରୁ ବରଣ ଗ୍ରହଣ କରିବା ସହ ଶାଢ଼ିବନ୍ଧା ପରମ୍ପରା ପାଳିତ ହୋଇଥିଲା। ପରେ ରଥକାଠ ଛେଦନ କରାଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଶାସ୍ତ୍ରୀୟ ବିଧି ଅନୁଯାୟୀ, ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପୂର୍ବରୁ ଆଜି ଅପରାହ୍ଣରେ ବନଜାଗ ବିଧିରେ ହୋମ କାର୍ଯ୍ୟ କରାଯାଇଥିଲା। ଦେଉଳ ପୁରୋହିତ, ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣମାନେ ମିଶି ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଥିଲେ। ବନଜାଗର ଇଷ୍ଟ ଦେବ ପ୍ରଭୁ ନୃସିଂହଙ୍କୁ ଆରାଧନା କରାଯିବା ସହ ନୃସିଂହ ମନ୍ତ୍ରରେ ଯଜ୍ଞରେ ଆହୂତି ଦିଆଯାଇଥିଲା। ପରେ ସ୍ବତନ୍ତ୍ର ମଣି ବିମାନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣ ଏବଂ ପଞ୍ଚ ମହାଦେବ ଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ରଥଖଳାରେ ବିରାଜମାନ କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ପୂଜାପଣ୍ଡା ସେବକମାନେ ଶ୍ରୀମନ୍ଦିରରୁ ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାକୁ ବିଜେ କରିବା ପରେ ପୂର୍ବପ୍ରସ୍ତୁତ ତିନି ଧଉରା କାଠରେ ଲାଗି କରାଯାଇଥିଲା। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା ସୁନାର ତିନିଟି ଛୋଟ କୁରାଢ଼ିରେ ପ୍ରଥମେ ଦେଉଳ ପୁରୋହିତ ରଥଖଳାରେ ଥିବା ତିନି ଧଉରା କାଠରେ ଚୋଟ ମାରିଥିଲେ। ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ସୂଚନାଯୋଗ୍ୟ, ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥକାଠ ଚିରଟ କାମ ପରେ ଆଜି ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଛି। ଭଉଁରିରେ ଚକଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ। ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ, ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ସକାଳେ ବନଜାଗ ବିଧିରେ ରଥ ପ୍ରତିଷ୍ଠା ହେବ।
Follow Us