ରୁକୁଡା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର

ବଣାଇଗଡ଼: ଗତ ତିନିବର୍ଷ ହେବ ବଣାଇର ବହୁ ପ୍ରତିକ୍ଷିତ ରୁକୁଡା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ସରିଥିଲେ ହେଁ ମୁଖ୍ୟ ମାଟି ବନ୍ଧ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏବେ ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ମାଟି ବନ୍ଧରେ ଅନବରତ ପାଣି ଲିକ୍‌ ହେବାରେ ଲାଗିଛି।

ମିଳିଥିବା ସୂଚନାରୁ ସେକେଣ୍ତ ପ୍ରତି ୧.୪୮୬ ସେଣ୍ଟିମିଟର ପାଣି ଲିକ୍‌ ହେବା ବଦଳରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏବେ ପ୍ରତି ସେକେଣ୍ତରେ ୧୫ ଲିଟର ପାଣି ଲିକ୍‌ ହେଉଛି। ରୁକୁଡା ଡ୍ୟାମ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ଅବସ୍ଥା ହୋଇଥିବାବେଳେ ଏହାର ସ୍ଥାୟୀତ୍ବ ଓ ସୁରକ୍ଷା ପ୍ରତି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଏହି ଡ୍ୟାମରୁ ଚାଷୀ ମାନଙ୍କ କ୍ଷେତକୁ ଜଳସେଚନ ପାଇଁ କୌଣସି ଯୋଜନାହୀନ କାର୍ଯ୍ୟ ଓ ତୃଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏବେ ବନ୍ଧରୁ କେନାଲ ଦେଇ ଅଯଥାରେ ପାଣି ବୋହି ବଡ଼ଗୋଗୁଆ ନିକଟରେ ବ୍ରାହ୍ମଣୀ ନଦୀରେ ଯାଇ ମିଶୁଛି। ଫଳରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ କରିଥିବାବେଳେ ଏହା ଚାଷୀଙ୍କ କାର୍ଯ୍ୟରେ ନଆସିବା ପରିତାପର ବିଷୟ ବୋଲି ଚାଷୀ କୂଳ ପ୍ରକାଶ କରିଛନ୍ତି।

ମୁଖ୍ୟ କେନାଲକୁ ଛାଡ଼ି ଶାଖାକେନାଲର ନିର୍ମାଣ କାର୍ଯ୍ୟ ତଦାରଖ ଅଭାବରୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ଆଜି ବର୍ଷା ଅଭାବରୁ ଚାଷୀମାନେ ପାଣି ପାଇଁ ହତାସ ହେଉଥିବା ଦେଖିବାକୁ ମିଳିଛି। ମଧ୍ୟମ ଶାଖା କେନାଲ ଓ ମିନି ଶାଖା କେନାଲ ବର୍ତ୍ତମାନ ପୋତି ହେବାକୁ ବସିଲାଣି। ଠିକାଦାରଙ୍କ ଠାରୁ ମୋଟ ଅଙ୍କରେ ପିସି କାରବାର ହୋଇଥିବା ନେଇ ମଧ୍ୟମ ଶାଖା କେନାଲ ଓ ମିନି ଶାଖା କେନାଲରେ ପାଣି ନ ଆସିବା, କେନାଲର ସ୍ଥାୟିତ୍ବ ନେଇ ଜନସାଧାରଣ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶାଖା କେନାଲରେ ପାଣି ନଆସିବା, ଶାଖା କେନାଲରେ ଥିବା ଗେଟ୍‌ ଗୁଡିକ ପୋତି ହୋଇଯିବା, ଏହାର ରକ୍ଷଣାବେକ୍ଷଣ ନକରିବା, କେନାଲ କାର୍ଯ୍ୟପାଇଁ ଜଣେ ଯନ୍ତ୍ରୀଙ୍କୁ ଛାଡ଼ିଦେଲେ କୌଣସି କର୍ମଚାରୀ ନିଯୁକ୍ତି ନହେବା  ପ୍ରମୁଖ କାରଣ ବୋଲି ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଆଗାମି ବର୍ଷାଋତୁ ପୂର୍ବରୁ ଏହି ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଷ ଜମିକୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଉପଖଣ୍ତର ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର