ସେତୁ ନିର୍ମାଣ ଅବଧି ସରି ୩ ବର୍ଷ: ଅଧା ସରିଲା, ଅଧା ରହିଲା

ବିଜୁ ସେତୁ ଯୋଜନାରେ ୨ ପୋଲ

କୋରେଇ :  କୋରେଇ ବ୍ଲକରେ ଗତ ୩ ବର୍ଷ ଧରି ବିଜୁସେତୁ ଯୋଜନାରେ ଦୁଇଟି ପୋଲ କାମ ଜାରି ରହିଥିବାବେଳେ ସରିବାର ନାଁ ଧରୁନି। ଅବଧି ସରିବାର ବର୍ଷକ ପରେ ବି ପ୍ରକଳ୍ପର ଅଧାକାମ ହୋଇନାହିଁ। ପୋଲ କାମ କେବେ ସରି ଲୋକଙ୍କ କାମରେ ଲାଗିବ ସେନେଇ ଉଠିଛି ପ୍ରଶ୍ନ।

କୋରେଇ ବ୍ଲକର ନଦୀ ତଟବର୍ତ୍ତୀ ବନ୍ଦାଳୋ ପଞ୍ଚାୟତରେ ବୈତରଣୀରେ ବିଜୁ ସେତୁ ଯୋଜନାରେ ପୋଲ କାମ ଚାଲୁ ରହିଛି। ବରୁଣ୍ତାଇ-ବନ୍ଦାଳୋ ରାସ୍ତାର ୭ କିଲୋମିଟର ସହିତ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୯ ମସିହା ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା ଏହି କାମ ୨୦୨୧ ଜୁଲାଇ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଅବଧି ସରିବାର ବର୍ଷକ ପରେ ବି କାମ ସରିବାର ନାଁ ଧରୁନି। ଏହି ପ୍ରକଳ୍ପ ପାଇଁ ୨୪ କୋଟି ୭୯ ଲକ୍ଷ ୪୩ ହଜାର ୧୬୦ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ବନ୍ଦାଳୋ, ଖପୁରିଆପଦା, ବଳିପୁର, ମଢ଼ିଆଳ, ଦୁଲାଖାପାଟଣା, ଶାଳବା ଓ ବୈତରଣୀରୋଡ୍‌ର ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ପୋଲ ଦ୍ବାରା ଉପକୃତ ହୋଇପାରିବେ। ଦୀର୍ଘ ୪ ବର୍ଷ ଧରି କାମ ଚାଲୁଥିଲେ ମଧ୍ୟ ଏଯାଏ ସମସ୍ତ ସ୍ପାନ ନିର୍ମାଣ ହୋଇନାହିଁ। ଟେଣ୍ତର ନେଇଥିବା ଠିକାଦାର ବିଲ୍ ହେଉନଥିବା ଆଳରେ ମନ୍ଥର ଗତିରେ କାମ କରୁଛନ୍ତୀ। ବିଭାଗୀୟ ଯନ୍ତ୍ରୀ ମଧ୍ୟ ଠିକାଦାରଙ୍କୁ ଦୋଷ ଦେଇ ଚୁପ୍ ବସିଛନ୍ତି।

ସେହିପରି ରଣପାଳଠାରେ ୨୦୧୭ ରେ ବିଜୁସେତୁ ଯୋଜନାରେ ଦୋଷିଆମୁହଁ ସେତୁ ଆରମ୍ଭ ହୋଇଥିଲା। ପାଖାପାଖି ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ସେତୁକାମ ୫ ବର୍ଷ ଧରି ଚାଲୁଥିଲେ ମଧ୍ୟ ସରୁନାହିଁ। ଯାଜପୁର ଜିଲ୍ଲା ସହିତ ପଡ଼ୋଶୀ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିବା ପାଇଁ ଆରମ୍ଭ ହୋଇଥିବା ଏହି ସେତୁକାମ ୨ବର୍ଷରେ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୫ ବର୍ଷରେ ବି ତାହା ସମ୍ପୂର୍ଣ୍ଣ ହୋଇନାହିଁ।

ଏନେଇ ବିଭାଗୀୟ ଯନ୍ତ୍ରୀ ଉତ୍କଳଲକ୍ଷ୍ମୀ ପଢ଼ିହାରୀଙ୍କୁ ପଚାରିବାରୁ କହିଥିଲେ, ବନ୍ଦାଳୋଠାରେ ହେଉଥିବା ପୋଲକାମରେ ମୋଟ ୨୨ଟି ସ୍ପାନ୍ ହେବାକୁ ଥିବାବେଳେ ୧୪ଟି ସରିଛି। ବାକି ୮ଟି ସ୍ପାନ ନିର୍ମାଣ ବାକି ରହିଛି। ଗତବର୍ଷ ଓ ଚଳିତ ବର୍ଷ ବୈତରଣୀରେ ଅସମୟରେ ପାଣି ଆସିବାରୁ କାମରେ ବିଳମ୍ବ ହୋଇଥିବା ସେ ସଫେଇ ଦେଇଛନ୍ତି। ଗୋଟିଏ ବର୍ଷରେ ସାରା ରାଜ୍ୟରେ ୩ ଶହ ପୋଲ କରିବାକୁ ମନ୍ତ୍ରୀ ଶ୍ରୀ ଘଡାଇ ବିଭାଗୀୟ ଯନ୍ତ୍ରୀମାନଙ୍କୁ ତାଗିଦ୍‌ କରିଥିବା ବେଳେ କୋରେଇ ବ୍ଲକରେ ବର୍ଷବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିବା ବିଜୁସେତୁ କେବେ ସରିବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର