ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଖାଲଖମା ରାସ୍ତାର ଅପନିନ୍ଦା ମୁଣ୍ଡାଇବା ପରେ ପାର୍ବଣ ପୂର୍ବରୁ ସମସ୍ତ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ପୂର୍ତ୍ତ ମନ୍ତ୍ରୀ। କେବଳ ରାଜଧାନୀ ନୁହେଁ, ସାରା ରାଜ୍ୟର ରାସ୍ତା ପାର୍ବଣ ପୂର୍ବରୁ ମରାମତି କରିବାକୁ କୁହାଗଲା। ସେପ୍ଟେମ୍ବର ୨୦ ସୁଦ୍ଧା ମରାମତି କାମ ସାରିବାକୁ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହା ପ୍ରହେଳିକା ପାଲଟିଛି। ପୂର୍ତ୍ତ ମନ୍ତ୍ରୀ ଦେଇଥିବା କଣ୍ଟ ପୂରିଲାଣି, କିନ୍ତୁ ଦୁର୍ଭାଗ୍ୟ, ଏବେ ବି ପୂର୍ବବତ୍ ରାଜଧାନୀର ପ୍ରମୁଖ ରାସ୍ତା ଖାଲଖମାରେ ଭରି ରହିଛି।
ରାଜଧାନୀର ସବୁ ରାସ୍ତା ଖାଲଖମାରେ ଭର୍ତ୍ତି। ସେ ପୂର୍ତ୍ତ ବିଭାଗ ହେଉ କି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି), ସବୁଠି ରାସ୍ତା ସ୍ଥିତି ଚାଳକଙ୍କୁ ଯନ୍ତ୍ରଣା ଦେଉଛି। କେଉଁଠି ରାସ୍ତାରୁ ପିଚୁ ଉଠି ଗୋଡ଼ି ଚରିଗଲାଣି ତ କେଉଁଠି ବଡ଼ ବଡ଼ ଖାଲ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ରସୁଲଗଡ଼ରୁ ଲିଙ୍ଗିପୁର, ଲକ୍ଷ୍ମୀସାଗରରୁ ଝାରପଡ଼ା ଜେଲ୍ ଦେଇ କେଶୁରା, ଜିଜିପି ରାସ୍ତା, ସବୁଠି ସମାନ ସ୍ଥିତି। କେଉଁଠି ବଡ଼ ବଡ଼ ଖାଲ ତ’ କେଉଁଠି ଗୋଡ଼ି ରାସ୍ତାସାରା ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି। ଧୂଳିମୟ ରାସ୍ତା ଚାଳକଙ୍କୁ ଅଣନିଃଶ୍ବାସୀ କରି ପକାଉଛି। ବମିଖାଲ ହେଉ କି ଲକ୍ଷ୍ମୀସାଗର, ବ୍ରିଜ୍ ତଳେ ରାସ୍ତାରେ ଏଭଳି ଗର୍ତ୍ତ ସୃଷ୍ଟି ହୋଇଛି ଯେ ଚାଳକ ଓଭରଟେକିଂ କଲେ ଅବା ସାମାନ୍ୟ ଅନ୍ୟମନସ୍କ ହେଲେ ଗାଡ଼ି ସହ ଛିଟିକି ପଡ଼ିବାର ଆଶଙ୍କା ରହିଛି।
ଲୋକଙ୍କ ଦୁଃଖ ଜଗନ୍ନାଥନଗର ଏକନମ୍ବର ରୋଡ୍
ଜଗନ୍ନାଥନଗରରୁ କେସୁରାକୁ ସଂଯୋଗ କରୁଥିବା ଜଗନ୍ନାଥନଗର ଏକ ନମ୍ବର ରୋଡ୍ ଲୋକଙ୍କ ଦୁଃଖ ପାଲଟିଛି। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ପ୍ରାୟ ପାଞ୍ଚ ମାସ ହେବ ଏହି ରାସ୍ତା ପ୍ରଶସ୍ତୀକରଣ ଚାଲିଛି ଯେ ସରିବାର ନାଁ ଧରୁନି। ଡ୍ରେନ୍ ନିର୍ମାଣ ଚାଲିଥିବାରୁ ରାସ୍ତା ନିର୍ମାଣକୁ ଗୁରୁତ୍ବ ଦିଆଯାଉନାହିଁ। ପାର୍ବଣ ପୂର୍ବରୁ ରାସ୍ତା କାମ ସରିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ସ୍ଥାନୀୟ କର୍ପୋରେଟର୍ ଶ୍ରୀଧର ଜେନା ମଧ୍ୟ ତିନିମାସ ତଳେ କହିଥିଲେ ଯେ ଆସନ୍ତା ଦେଢ଼ମାସ ମଧ୍ୟରେ ରାସ୍ତାକାମ ସରିବ। ରାସ୍ତା କାମ ସରିବା ତ ଦୂରର କଥା, ଖାଲଖମା ହୋଇଥିବା ରାସ୍ତାରେ ମାଟି ମୁଠାଏ ମଧ୍ୟ ପଡ଼ିନାହିଁ। ଫଳରେ ଏହି ରାସ୍ତା ଦେଇ ଯାଉଥିବା ହଜାର ହଜାର ଲୋକ ପ୍ରତିଦିନ ଯମଯନ୍ତ୍ରଣା ଭୋଗୁଛନ୍ତି। ଧକଡ଼ ଚକଡ଼ ରାସ୍ତା ଯୋଗୁ ବହୁଲୋକ ଅଣ୍ଟାରୋଗରେ ପୀଡ଼ିତ ହେଉଥିବା କହିଛନ୍ତି।
ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗତ ୬ ତାରିଖରେ ରାଜଧାନୀ ସହ ରାଜ୍ୟର ସବୁ ମହାନଗର ନିଗମ ଓ ଜିଲ୍ଲାର ରାସ୍ତାଘାଟ ସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ବିଏମ୍ସି ମେୟର ସୁଲୋଚନା ଦାସ, ସିଏମ୍ସି ମେୟର ସୁବାସ ଚନ୍ଦ୍ର ସିଂ, ବିଏମ୍ସି କମିସନର ଚଞ୍ଚଳ ରାଣା, ସିଏମ୍ସି କମିସନର କିରଣଦୀପ୍ କୌର ସହୋତା, ନଗର ଉନ୍ନୟନ ବିଭାଗ(ମ୍ୟୁନିସିପାଲ ପ୍ରଶାସନ) ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଇଆଇସି ଏଲ୍.କେ. ପାଢ଼ୀ, ଇଆଇସି(ସିଭିଲ୍) ସତ୍ୟବ୍ରତ ବେହେରା, ମୁଖ୍ୟଯନ୍ତ୍ରୀ(ରାସ୍ତା-୧) ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ(ରାସ୍ତା-୨) ଶିବବ୍ରତ ତରିଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ଭୁବନେଶ୍ୱର) ମନୋଜ ମହାନନ୍ଦଙ୍କ ସମେତ ବିଭାଗୀୟ ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଯାଉଥିବା ବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର, କଟକ ସମେତ ସବୁ ସହର ଓ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତା ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ। ବୈଠକର ଦୁଇଦିନ ଭିତରେ ସଂପୃକ୍ତ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ରାସ୍ତାର ସ୍ଥିତି ସଂପର୍କିତ ବିସ୍ତୃତ ରିପୋର୍ଟ ଦେବା ସହ ସେପ୍ଟେମ୍ବର ୨୦ ଭିତରେ ରାସ୍ତାର ଖାଲଖମା ମରାମତି କଡ଼ା ନିର୍ଦ୍ଦେଶ ମିଳିଥିଲା। ଇଞ୍ଜିନିୟରମାନେ ସେମାନଙ୍କ ଜ୍ଞାନର ଉପଯୋଗ କରି ସ୍ଥାୟୀ ଓ ସୁନ୍ଦର ରାସ୍ତା ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ରାଜ୍ୟର ସବୁ ପ୍ରମୁଖ ରାସ୍ତାକୁ ଖାଲଖମାମୁକ୍ତ କରିବା ଓ ଅକ୍ଟୋବର ୨ରୁ ଖରାପ ରାସ୍ତାର ସମ୍ପୂର୍ଣ୍ଣ ନବୀକରଣ ପାଇଁ ଇଞ୍ଜିନିୟରଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ସମନ୍ବୟ ଅଭାବ କଥା ବି ଉଠିଥିଲା। କିନ୍ତୁ ରାସ୍ତାର ସ୍ଥିତି ଏପରି ଯେ ରାଜଧାନୀର ଖାଲଖମା ରାସ୍ତା ପାର୍ବଣରେ ଲୋକଙ୍କୁ କଲବଲ କରିବା ସାର ହୋଇଛି।