କବିସୂର୍ଯ୍ୟନଗର : ରାଜ୍ୟରେ ଖୁଲମ୍‌ଖୁଲା ପିସି କାରବାର ଚାଲିଛି। ଯେତେ ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ଫାଙ୍କି ଚାଲିଛନ୍ତି। ଆଉ ଏଭଳି ପରିସ୍ଥିତିରେ ପିସି କାରବାରକୁ ନେଇ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ନିର୍ମାଣ କାମ ସାରିବା ପରେ ନିଜେ ଠିକାଦାର ସୂଚନା ଫଳକରେ ପିସି ବାବଦକୁ ସେ ୨୭ ହଜାର ଟଙ୍କା ଦେଇଥିବା ଉଲ୍ଲେଖ କରିଛନ୍ତି। ବଡ଼କଥା ହେଉଛି, ଠିକାଦାର ଜଣକ ଏ ପର୍ଯ୍ୟନ୍ତ ତାଙ୍କର ଫାଇନାଲ୍‌ ବିଲ୍‌ ପୈଠ ହୋଇ ନଥିବା ଅଭିଯୋଗ କରିବା ସତ୍ତ୍ବେ ସାଥ ୩ ବର୍ଷ ହେଲା ପ୍ରାପ୍ୟ ପାଇ ନାହାନ୍ତି।
Advertisment
ଏବେ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ୍ ଦେଇ ଏହା ପ୍ରକାଶ କରିଥିଲେ ମଧ୍ୟ ତଦନ୍ତ ହେଉନି କି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ଏସି ୧୨ ନମ୍ବର ଓ୍ବାର୍ଡ଼ ଅରବିନ୍ଦନଗରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ଓ୍ବାର୍ଡ଼ରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୨୦୧୮ରେ ନଗର ଉନ୍ନୟନ ବିଭାଗର ‘ଉନ୍ନତି’ ଯୋଜନାରେ ୨ ଲକ୍ଷ ୭୫ ହଜାର ୬୫୭ ଟଙ୍କା ବ୍ୟୟ ବରାଦ ହୋଇଥିଲା। ପରେ କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ପ୍ରକ୍ସି ଠିକାଦାରଙ୍କୁ କାମ ପାଇଁ ଦାୟିତ୍ବ ଦେଇଥିଲା।
ତେବେ କାମ ୨୦୧୮ ନଭେମ୍ବରରୁ ସରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଫାଇନାଲ୍‌ ବିଲ୍‌ ହୋଇନାହିଁ। ଠିକାଦାର ଜଣକ ସୂଚନା ଫଳକରେ ପିସି ବାବଦକୁ ସେ ୨୭ ହଜାର ଟଙ୍କା, ଜିଏସ୍‌ଟି ବାବଦକୁ ୩୧ ହଜାର ଟଙ୍କା ଏଭଳି ୫୮ ହଜାର ଟଙ୍କା ଖର୍ଚ୍ଚ କରିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ଏପରିକି ବିଲ୍ ଦାଖଲ ପରେ ଉକ୍ତ ଠିକାଦାରଙ୍କୁ ଟଙ୍କା ମିଳି ନଥିବାରୁ ସେ ସଂପୃକ୍ତ ଗୋଷ୍ଠୀ କେନ୍ଦ୍ରରେ ଚାବି ପକାଇ ଦେଇଛନ୍ତି। ଏହାକୁ ବିଭାଗୀୟ ଅଧିକାରୀଙ୍କୁ ଏଯାବତ୍ ହସ୍ତାନ୍ତର କରାଯାଇନି। କିନ୍ତୁ ପିସି କାରବାରକୁ ନେଇ ଠିକାଦାରଜଣକ ଜ୍ବଳନ୍ତ ପ୍ରମାଣ ଦେବା ପରେ ପ୍ରଶାସନ ବିବାଦ ଘେରକୁ ଆସିଯାଇଛି। ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବାରୁ ଏବିଷୟରେ ସେ ଅବଗତ ନୁହଁନ୍ତି। ତଥାପି ଏଦିଗରେ ଅନୁଧ୍ୟାନ କରାଯିବ।