ମାନିଲା ଯୋଗାଣ ବିଭାଗ, ଡିଲରଙ୍କ ମର୍ଜିରେ ଚାଲିଛି କଣ୍ଟ୍ରୋଲ ଦୋକାନ!

ରାଉରକେଲା: ସହରରେ ଯୋଗାଣ ବିଭାଗରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସୁଛି। କେତେବେଳେ ଭୂତ କାର୍ଡକୁ ନେଇ ତ ଅନ୍ୟ କେତେବେଳେ କିରାସିନ କୋଟା ଚଳୁ ଘଟଣା, ଅନେକ ସମୟରେ ଯୋଗାଣ ବିଭାଗକୁ ଅଡୁଆ ପରିସ୍ଥିତିରେ ପକାଇଛି।

ଏବେ ସହରର ଅଧିକାଂଶ କଣ୍ଟ୍ରୋଲ ଦୋକାନୀ ଯୋଗାଣ ବିଭାଗର ଅଧିକାରୀଙ୍କ ତାଗିଦକୁ ଫୁ କରି ଦେଉଛନ୍ତି। ମନମର୍ଜିରେ ଦୋକାନ ଖୋଲୁଛନ୍ତି। ହିତାଧିକାରୀଙ୍କୁ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରୁଛନ୍ତି। ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ବଣ୍ଟନ ହେଉଥିବା ମାଗଣା ଚାଉଳ ଠିକ୍‌ ଭାବେ ବଣ୍ଟନ କରୁଛନ୍ତି। ଯୋଗାଣ ବିଭାଗର ମାର୍କେଟିଂ ଇନ୍ସପେକ୍ଟର (ଏମ୍‌ଆଇ) ସହକାରୀ ଯୋଗାଣ ଅଧିକାରୀଙ୍କୁ ପଠାଇଥିବା କେତୋଟି ମେସେଜ୍‌ରୁ ସ୍ପ‌ଷ୍ଟ ହୋଇଛି। ଗତକାଲି ଏମ୍‌ଆଇ ଓ ଯୋଗାଣ ବିଭାଗର କର୍ମଚାରୀ କିଛି କଣ୍ଟ୍ରୋଲ ଦୋକାନକୁ ଅଚାନକ ପରିଦର୍ଶନ କରିଥିଲେ। କିଛି କଣ୍ଟ୍ରୋଲ ଦୋକାନର ବଣ୍ଟନ ବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାଗଜପତ୍ର ଯାଞ୍ଚରୁ କିଛି ଦୋକାନୀ ଠିକ୍‌ ଭାବେ ତାଙ୍କର ଗଚ୍ଛିତ ପିଡିଏସ୍‌ ସାମଗ୍ରୀର ସଠିକ୍‌ ପରିଚାଳନା କରୁ ନଥିବା ଜାଣିବାକୁ ପାଇଥିଲେ। ଏଥିସହ କିଛି ଦୋକାନୀ ଠିକ୍‌ ଭାବେ ଦୋକାନ ମଧ୍ୟ ଖୋଲୁ ନଥିବା ଦେଖିବାକୁ ପାଇଥିଲେ। କେବଳ ଏତିକି ନୁହେଁ କିଛି ଦୋକାନୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ ହେଉଥିବା ମାଗଣା ଚାଉଳକୁ ମଧ୍ୟ ଠିକ୍‌ ଭାବେ ବଣ୍ଟନ କରୁନାହାନ୍ତି। ୧୨ରୁ ଅଧିକ କଣ୍ଟ୍ରୋଲ ଦୋକାନୀ ମନଇଚ୍ଛା କାମ କରୁଛନ୍ତି। ସେମାନଙ୍କ ଷ୍ଟକ୍‌ ମଧ୍ୟ ଉଠାଉ ନାହାନ୍ତି।

କାର୍ଯ୍ୟର ଅବହେଳା ପାଇଁ ‌ବିଭାଗୀୟ ଅଧିକାରୀ ଗୋଟିଏ ଦୁଇଟି କଣ୍ଟ୍ରୋଲ ଦୋକାନୀଙ୍କୁ  କାରଣ ଦର୍ଶାଅ ନୋଟିସ୍‌ ଜାରି କରି କାମ ସାରି ଦେଇଛନ୍ତି। କର୍ମଚାରୀମାନେ ସହକାରୀ ଯୋଗାଣ ଅଧିକାରୀଙ୍କୁ ପଠାଇଥିବାରୁ ‌କିଛି ମେସେଜ୍‌ରୁ ସହରରେ ପିଡିଏସ୍‌ ବଣ୍ଟନ ବ୍ୟବସ୍ଥା ଗୁମର ଖୋଲିଛି। ସେପଟେ  ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ନଯାଇ କେବଳ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଚୁପ୍‌ ବସିଥିବାରୁ ବିଭାଗର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଗତ ପ୍ରାୟ ୨୬ ମାସ ଧରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ବଣ୍ଟନ କରୁଥିବା ମାଗଣା ଚାଉଳର କମିସନ ଏଯାଏଁ କଣ୍ଟ୍ରୋଲ ଦୋକାନୀଙ୍କୁ ମିଳିଥିବା ଅଭିଯୋଗ ହେଉଛି।

କିଲୋ ପିଛା କଣ୍ଟ୍ରୋଲ ଦୋକାନୀମାନେ ୭୦ ପଇସା କମିସନ ପାଇଥାନ୍ତି। ସହରରେ ପ୍ରାୟ ୬୮ ହଜାର କାର୍ଡଧାରୀ ରହିଛନ୍ତି। ପ୍ରତି କାର୍ଡ ଯଦି ହାରା ହାରି ୪ ଜଣ ସଦସ୍ୟ ରହିଥାନ୍ତି ତେବେ ୨ ଲକ୍ଷ ୭୨ ହଜାର ସଦସ୍ୟକୁ ମାଗଣା ଚାଉଳ ବଣ୍ଟନ କରାଯାଉଛି। ପ୍ରତି ସଭ୍ୟ ପିଛା ମାସିକ ୫ କେଜି କରି  ମାସକୁ ପାଖାପାଖି ୧୩ ଲକ୍ଷ ୬୦ ହଜାର କେଜି ଚାଉଳ ବଣ୍ଟନ କରାଯାଉଛି। ପ୍ରତିମାସକୁ କଣ୍ଟ୍ରୋଲ ଦୋକାନୀଙ୍କୁ ୯ ଲକ୍ଷ ୫୨ ହଜାର ଟଙ୍କା କମିସନ୍‌ ମିଳିବ କଥା। ୨୬ ମାସରେ ପାଖାପାଖି  ୨ କୋଟି ୪୭ ଲକ୍ଷ ଟଙ୍କା ମିଳିବାକୁ ଥିଲେ ହେଁ , ଏଯାଏଁ ଟଙ୍କାଟିଏ ମିଳି ନଥିବା କଣ୍ଟ୍ରୋଲ ଦୋକାନୀମାନେ କହିଛନ୍ତି। ତେବେ କଣ୍ଟ୍ରୋଲ ଦୋକାନୀ ଓ ଯୋଗାଣ ବିଭାଗର ବିବାଦ ମଧ୍ୟରେ ପେସି ହେଉଛନ୍ତି ସାଧାରଣ ଖାଉଟି। ଅଧିକାଂଶ ଖାଉଟି ଏଯାଏଁ  ଠିକ୍‌ ଭାବେ ମାଗଣା ଚାଉଳ ପାଇନଥିବା ଅଭିଯୋଗ ହେଉଛି।

ଉଲ୍ଲେଖଯୋଗ୍ୟ, ଉଲ୍ଲେଖଯୋଗ୍ୟ, ବର୍ଷ ବର୍ଷ ଧରି ୧୯୩୨ ଭୂତ କାର୍ଡରେ ଉଠୁଥିଲା ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଯୋଗାଣ ବିଭାଗରେ ଚାଲିଥିବା ଦୁର୍ନୀତି ପଦାକୁ ଆସିଥିଲା। ୧୯୩୨ ଭୂତ କାର୍ଡକୁ ଶେଷରେ ବାତିଲ୍ କରାଯାଉଛି। ଅର୍ଥାତ୍ କାର୍ଡ ପିଛା ୪ ଜଣ ସଦସ୍ୟ ଥିଲେ ୭ ହଜାର ୭୨୭ ଜଣଙ୍କ ନାଁରେ ଉଠାଯାଉଥିବା ଚାଉଳ ଓ ଗହମକୁ ମିଳିମିଶି ଚଳୁ କରୁଥିଲେ। ସାମିଲ ଥିଲେ ଯୋଗାଣ ବିଭାଗର କରିତକର୍ମା ଅଧିକାରୀ, କର୍ମଚାରୀ ଓ କିଛି କଣ୍ଟ୍ରୋଲ ଦୋକାନୀ ସହ ଏସ୍ଏଚ୍ଜି ଗ୍ରୁପ୍। କାର୍ଡ ସିନା ବାତିଲ ହେଲା, ଯୋଗାଣ ବିଭାଗର ଅଧିକାରୀ କେବଳ ତଦନ୍ତ କରି କାମ ସାରିଦେଲେ।

କିନ୍ତୁ ଏଯାଏ ଜଣେ ହେଲେ ଯୋଗାଣ ଅଧିକାରୀ, କର୍ମଚାରୀ, କଣ୍ଟ୍ରୋଲ ଦୋକାନୀ ଓ ଏଚ୍‌ଏଚ୍‌ଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ସେମିତି  ଏବେ କିରାସିନରେ ଚାଲିଛି ବ୍ୟାପକ ହରିଲୁଟ୍। ସମସ୍ତଙ୍କ ଘରେ ବିଜୁଳି ଆଲୋକ ଅଛି। ସମସ୍ତ ବସ୍ତିବାସିନ୍ଦାଙ୍କୁ ଉଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସ ମିଳିଛି। ପୂର୍ବପରି କିରାସିନର ଆବଶ୍ୟକତା ନଥିବାରୁ କାର୍ଡଧାରୀ କଣ୍ଟ୍ରୋଲ ଦୋକାନକୁ ଯାଉନାହାନ୍ତି।  ରାଉରକେଲା ସହରରେ ମୋଟ ୬୭ ହଜାର ୯୭୧ କାର୍ଡ ମିଳିଛି। କାର୍ଡ ପିଛା ମାସକୁ ୧.୫ ଲିଟର କରି ପାଖାପାଖି ୧ ଲକ୍ଷ ୧୯  ହଜାର ଲିଟରରୁ ଅଧିକ କିରାସିନ ଉଠୁଛି। ଲିଟର ପିଛା ୫୨ ଟଙ୍କା କରି ପାଖାପାଖି ୫୩ ଲକ୍ଷର କିରାସିନ ଉଠାଯାଉଛି। ୪୫% ଅର୍ଥାତ୍ ପାଖାପାଖି ୧୧ ଲକ୍ଷ ଟଙ୍କାର କିରାସିନ କଣ୍ଟ୍ରୋଲ ଦୋକାନରେ ବିକ୍ରି ହେଉନାହିଁ। କଳାବଜାରରେ ଏସବୁ କିରାସିନ ୮ରୁ ଅଧିକ ଟଙ୍କା ଅର୍ଥାତ୍ ୬୦ ଟଙ୍କାରେ ବିକ୍ରି କରାଯାଉଛି। ଏପରି ଭାବେ ମାସକୁ ୪ ଲକ୍ଷରୁ ଅଧିକ ଟଙ୍କାକୁ ମିଳି ମିଶି ଚଳୁ କରୁଥିବା ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍।

ସମ୍ବନ୍ଧିତ ଖବର