ରେଭେନ୍ସାରେ ଜାଲ କାଗଜପତ୍ର ଦେଇ ନାମଲେଖା ମାମଲା; ଦୋଷୀକୁ ଦୁଇ ବର୍ଷ ଜେଲ

କଟକ: ଜାଲ କାଗଜପତ୍ର ଜରିଆରେ ରେଭେନ୍ସା କଲେଜରେ ନାମ ଲେଖାଇଥିବା ମାହାଙ୍ଗା ଥାନା ଅଞ୍ଚଳର ବିଶେଷ କୁମାର ସାହୁଙ୍କୁ ମହଙ୍ଗା ପଡିଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ବିଜୟ କୁମାର ପାତ୍ର ଏଭଳି ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ବିଶେଷକୁ ଆଇପିସିର ଦଫା ୪୨୦, ୪୬୮, ୪୭୧ ଓ ୩୪ରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ତିନି ମାସ ଅଧିକ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ସର୍ବେଶ୍ବର ବାରିକ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଶେଷ ଚୌଦ୍ବାର କଲେଜରେ ଯୁକ୍ତ ତିନି କଳାରେ ନାଁ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ବାପାଙ୍କ ଜାଲ ବଦଳି ସଂପର୍କିତ କାଗଜପତ୍ର ଜରିଆରେ ରେଭେନ୍ସାରେ ‘ଟ୍ରାନ୍ସଫର କୋଟା’ରେ ନାମଲେଖାବାକୁ ଦରଖାସ୍ତ କରିଥିଲେ। ଏଥି ପାଇଁ ଅନୁମତି ମିଳିବା ପରେ ୧୯୯୨ରେ ସେ ରେଭେନ୍ସା କଲେଜରେ ନାଁ ଲେଖାଇଥିଲେ। ତାଙ୍କ ନାମ ଲେଖା ସଂପର୍କିତ ନଥିପତ୍ରରେ ତତ୍କାଳୀନ ରେଭେନ୍ସା କଲେଜ ଉପାଧ୍ୟକ୍ଷଙ୍କ ଦସ୍ତଖତ ଜାଲ କରାଯାଇଥିବା ମଧ୍ୟ ପରବର୍ତ୍ତୀ ସମୟରେ ଅଭିଯୋଗ ହୋଇଥିଲା। ଏହି ନାମଲେଖା ପ୍ରକ୍ରିୟାରେ ରେଭେନ୍ସାର ଜଣେ ବରିଷ୍ଠ କିରାଣୀ ତାଙ୍କୁ ସମସ୍ତ ସହଯୋଗ କରିଥିଲେ। ଏହି ଘଟଣାକୁ ନେଇ ଛାତ୍ରସଂଘ ତଦନ୍ତ ଦାବି କରିଥିଲା ଓ ଖବର କାଗଜରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଏହାପରେ ଭିଜିଲାନ୍ସ ବିଭାଗ ୧୯୯୪ରେ ଏ ନେଇ ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ରେଭେନ୍ସାର ତତ୍କାଳୀନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମିଶ୍ର ଓ ବିଶେଷଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିଥିଲା। ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ବିଚିତ୍ରାନନ୍ଦ ମିଶ୍ରଙ୍କ ପରଲୋକ ହୋଇଥିବା ବେଳେ ବିଶେଷଙ୍କ ବିରୋଧରେ ମାମଲା ଶୁଣାଣି ଚାଲିଥିଲା।

ସମ୍ବନ୍ଧିତ ଖବର