ସମବାୟ ସମିତି ନିର୍ବାଚନ ପାଇଁ ବାଟ ଖୋଲିଲା: ତୁରନ୍ତ ପଦକ୍ଷେପ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ସମବାୟ ସମିତିର ନିର୍ବାଚନରେ ବିଳମ୍ବ ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଏହି ପ୍ରସଂଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସ୍ଥିତିରେ ସୁଧାର ଆସିବା ସହିତ ପରିସ୍ଥିତି ବହୁମାତ୍ରାରେ ସ୍ବାଭାବିକ ହୋଇଛି। ନିକଟ ଅତୀତରେ ରାଜ୍ୟରେ ଉପନିର୍ବାଚନ ହୋଇଛି। ଏଭଳି ସ୍ଥିତିରେ ସମବାୟ ନିର୍ବାଚନ ତୁରନ୍ତ କରିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ‌ସମବାୟ ବ୍ୟାଙ୍କର ସମିତି ଓ ଏହା ସହିତ ଅନୁବନ୍ଧିତ ସମବାୟ ସମିତି ଗୁଡିକର ନିର୍ବାଚନ ଉପଯୁକ୍ତ ସମୟ ଭିତରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ସମବାୟ ନିର୍ବାଚନ କମିସନ୍ ଚାରି ସପ୍ତାହ ଭିତରେ ଆବଶ୍ୟକ ଅନୁମୋଦନ କରିବେ। ଏହାପରେ ଯଥାଶୀଘ୍ର ଉପଯୁକ୍ତ ସମୟ ଭିତରେ ସମବାୟ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ। ଏଥିପାଇଁ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜିଲ୍ଲାପାଳଙ୍କୁ ସମବାୟ ସଂସ୍ଥା ପରିଚାଳନା ଦାୟିତ୍ବ ପ୍ରଦାନ ପାଇଁ ରାଜ୍ୟ ସମବାୟ ସମୂହ ନିବନ୍ଧକ ଜାରି କରିଥିବା ନିର୍ଦ୍ଦେଶନାମାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୌରସଂସ୍ଥା ଗୁଡିକ ଭଳି ସମବାୟ ସମିତି ଗୁଡିକର ପରିଚାଳନା ଦାୟିତ୍ବ ସରକାର ଗତ ବର୍ଷ ପ୍ରଶାସକଙ୍କ ହାତରେ ଟେକି ଦେଇଥିଲେ। ସମବାୟ ସମିତିର ପ୍ରଶାସକ ଭାବେ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଥିଲା। ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ହେବ ଶେଷ ହୋଇଥିବାବେଳେ ସରକାର ସମବାୟ ନିର୍ବାଚନ କରୁନାହାନ୍ତି। ଏହା ସମବାୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ କରି ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ‌ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଭବାନୀ ପ୍ରସାଦ ମାଝୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଆବେଦନରେ ଦର୍ଶାଯାଇଥିଲା ଯେ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମିତିର ନର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦, ଏପ୍ରିଲ ୩୦ରୁ ଶେଷ ହେବାପରେ ଜିଲ୍ଲାପାଳଙ୍କୁ ପ୍ରଶାସକ ଭାବେ ସରକାର ଦାୟିତ୍ବ ଦେଇଥିଲେ। ଜିଲ୍ଲାପାଳଙ୍କୁ ସମବାୟ ସମିତି ପରିଚାଳନା ଦାୟିତ୍ବ ପ୍ରଦାନ ପ୍ରସଂଗରେ ସମବାୟ ସମୂହ ନିବନ୍ଧକ ୨୦୨୦, ମେ ୧ରେ ନିର୍ଦ୍ଦେଶନାମା ଜାରି କରିଥିଲେ। ଇତିମଧ୍ୟରେ ଦେଢ ବର୍ଷ ବିତି ଯାଇଥିବାବେଳେ ରାଜ୍ୟରେ ସମବାୟ ନିର୍ବାଚନ କରୁ ନାହାନ୍ତି। ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷର ଏକ ବର୍ଷ ଭିତରେ ନିର୍ବାଚନ ହେବା କଥା। କିନ୍ତୁ ଏପରି କରାଯାଇ ନାହିଁ। ଅନ୍ୟପକ୍ଷରେ ପ୍ରଶାସକ ଏକ ବର୍ଷରୁ ଅଧିକ ସମୟ ସମବାୟ ସମିତି ପରିଚାଳନା ଦାୟିତ୍ବରେ ରହିପାରିବେ ନାହିଁ ବୋଲି ନିୟମ ରହିଛି। ନିୟମ ଉଲ୍ଲଂଘନ କରି ଏକ ବର୍ଷ ପରେ ମଧ୍ୟ ପ୍ରଶାସକଙ୍କୁ ସମବାୟ ସମିତି ପରିଚାଳନା ଦାୟିତ୍ବ ଦିଆଯାଇଛି। ଏକ ବର୍ଷର ଅବଧି ଶେଷ ହେବା ପୂର୍ବରୁ ସମବାୟ ସମିତିର ନିର୍ବାଚନ କରାଯିବା ନିୟମ ରହିଛି। କିନ୍ତୁ ୨୦୨୧, ମେ ୧ ପୂର୍ବରୁ ନିର୍ବାଚନ କରାଗଲାନାହିଁ। ‌ତୁରନ୍ତ ସମବାୟ ନିର୍ବାଚନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ କରୋନା ସଂକ୍ରମଣ ସ୍ଥିତି ‌ଯୋଗୁଁ ସମବାୟ ନିର୍ବାଚନ ବିଳମ୍ବ ହେଉଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ସମବାୟ ବିଭାଗ, ସମବାୟ ସମିତି ସମୂହ ନିବନ୍ଧକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର