ଧାନ ବିକ୍ରି ପାଇଁ ଚାଷୀଙ୍କ ଆବେଦନକୁ ଗ୍ରହଣ କରୁନାହିଁ ସମବାୟ ସମିତି

ଖୋର୍ଦ୍ଧା: ଆଉ କିଛି ସପ୍ତାହ ପରେ ୨୦୨୧-୨୨ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ । ଏହାମଧ୍ୟରେ ଚାଷୀଙ୍କ ପଞ୍ଜିକରଣ ଶେଷ ହୋଇଛି। କିନ୍ତୁ ପଞ୍ଜିକରଣରେ ପ୍ରକୃତ ଚାଷୀଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇ ଅଣଚାଷୀ ଓ ଦଲାଲାଙ୍କୁ ପଞ୍ଜିକୃତ କରାଯାଇଥିବା ଭଳି ଅଭିଯୋଗ ଆଣିଛନ୍ତି ବେଗୁନିଆ ବ୍ଲକ ବଡ଼ବେରଣା ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀ । ଏନେଇ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଆଜି ପୂର୍ବାହ୍ଣରେ ବଡ଼ବେରଣା ସେବା ସମବାୟ ସମିତିର ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଚାଷୀ ବିରଞ୍ଚି ନାରାୟଣ ପଣ୍ଡାଙ୍କ କହିବାନୁସାରେ, ସେମାନେ ସମସ୍ତେ ଗଁପୁର କଂଟାମଲିମ ମୌଜାର ଚାଷୀ ଅଟନ୍ତି । ଚଳିତ ବର୍ଷ ରାଜ୍ୟ ସରାକରଙ୍କ ନିର୍ଦ୍ଦେଶାନୁସାରେ ସେମାନେ ପ୍ରଥମ ପର୍ଯ୍ୟାୟର ଧାର୍ଯ୍ୟ ସମୟ ୧୫ ଅଗଷ୍ଟ ପୂର୍ବରୁ ଧାନବିକ୍ରି ପାଇଁ ପଞ୍ଜିକରଣର ଆବେଦନ କରିଥିଲେ । କିନ୍ତୁ ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଥିଲା । ଏନେଇ ସେବା ସମବାୟ ସମିତିର ସମ୍ପାଦକଙ୍କ ସହ ଯୋଗାଯୋଗ କରିବା ପରେ ବି ସେ କୌଣସି ଉତ୍ତର ଦେବା ଅପେକ୍ଷା ସରକାରଙ୍କୁ ପଚାରନ୍ତୁ ବୋଲି କହିଥିଲେ । ଅଞ୍ଚଳର ପ୍ରକୃତ ଚାଷୀଙ୍କୁ ପଞ୍ଜିକୃତ କରାନଯାଇ ବ୍ୟବସାୟୀ, ଦଲାଲ ଓ ଅଣଚାଷୀଙ୍କୁ ପଞ୍ଜିକୃତ କରାଯାଇଛି ।

ଚାଷୀମାନେ ନିଜର ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ଚଳିତ ବର୍ଷ ମୌସୁମୀର ସମସ୍ୟା ସତ୍ତ୍ବେ ସେମାନେ ଋଣ ଆଦି କରି ଜମିରେ ଧାନ ଚାଷ କରିଛନ୍ତି । ମଣ୍ଡିରେ ଧାନ ବିକ୍ରି କରିନପାରିଲେ ସେମାନଙ୍କୁ ଉଚିତ ପ୍ରାପ୍ୟ ମିଳିବ ନାହିଁ, ଯଦି ପ୍ରଶାସନ ଏନେଇ ପଦକ୍ଷେପ ନନିଏ ତେବେ ପରିବାର ସମେତ ଅନଶନରେ ବସିବେ ଓ ଆତ୍ମାହୁତି ଦେବେ ।

ସମ୍ବନ୍ଧିତ ଖବର