ସମ୍ବଲପୁର: ରାଜ୍ୟର କରୋନା ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ କରିଥିବା ବେଳେ ପଶ୍ଚିମ ଓଡ଼ିଶାରେ ବି ସ୍ଥିତି ସଂଗିନ ହେବାରେ ଲାଗିଛି। ବୁଧବାର ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରୁ ମୋଟ ୩୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା କୋଭିଡ୍ ଟେଷ୍ଟ୍ କମିଥିବା ସତ୍ତ୍ବେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଟିପିଆର୍(ଟେଷ୍ଟ ପଜିଟିଭ୍ ରେସିଓ) ସାରା ରାଜ୍ୟରେ ଅଧିକ ରହିଛି। ସୁବର୍ଣ୍ଣପୁରରେ କୋଭିଡ୍ ଟେଷ୍ଟ କରୁଥିବା ପ୍ରତି ୨ ଜଣଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଚିହ୍ନଟ ହେଉଛନ୍ତି।
ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲାରେ ୮୮ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବୁଧବାର ଘୋଷଣା କରାଯାଇଛି। ଏହା ଅନୁଯାୟୀ ବୁଧବାର ସୁବର୍ଣ୍ଣପୁର ଜିଲ୍ଲାର ଟିପିଆର୍ ୪୭.୭୩ ରହିଛି। ଅର୍ଥାତ୍ ଟେଷ୍ଟ କରୁଥିବା ପ୍ରତି ୧୦୦ ଜଣ ମଧ୍ୟରୁ ୪୭ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସୁବର୍ଣ୍ଣପୁର ସମେତ ୪ଟି ଜିଲ୍ଲାର ଟିପିଆର୍ ୧୦ ଉପରେ ରହିଛି। ବୌଦ୍ଧର ଟିପିଆର୍ ୨୮.୫୭ ରହିଥିବା ବେଳେ ସମ୍ବଲପୁରର ୧୨.୧୩ ଏବଂ ସୁନ୍ଦରଗଡ଼ର ୧୦.୫୨ ରହିଛି। ଅନ୍ୟପଟେ ସୁନ୍ଦରଗଡ଼ରୁ ରାଜ୍ୟରେ ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଜିଲ୍ଲା ଟେଷ୍ଟ ସଂଖ୍ୟା ସଂକ୍ରମିତ ଚିହ୍ନଟ ଟିପିଆର୍(%) ଚିକିତ୍ସାଧୀନ ଅଛନ୍ତି
ବରଗଡ଼ ୨୮୩ ୮ ୨.୮୩ ୪୦
ବଲାଙ୍ଗୀର ୫୫୦ ୧୨ ୨.୧୮ ୪୯
ବୌଦ୍ଧ ୨୧ ୬ ୨୮.୫୭ ୫୪
ଦେବଗଡ଼ ୩୫୦ ୭ ୨ ୨୬
ଝାରସୁଗୁଡ଼ା ୯୫୧ ୨୫ ୨.୬୩ ୮୩
କଳାହାଣ୍ଡି ୩୫୯ ୧୩ ୩.୬୨ ୭୨
ନୂଆପଡ଼ା ୬୯୨ ୧୩ ୧.୮୮ ୪୬
ସମ୍ବଲପୁର ୫୩୬ ୬୫ ୧୨.୧୩ ୨୮୮
ସୁବର୍ଣ୍ଣପୁର ୮୮ ୪୨ ୪୭.୭୩ ୧୯୧
ସୁନ୍ଦରଗଡ଼ ୧୮୭୨ ୧୯୭ ୧୦.୫୨ ୮୦୨