ପୁଣି ଜାତିବାଦର ଶିକାର ହେଲା ଶବ, ମାନବିକତାର ହାତ ବଢ଼ାଇଲେ ଶ୍ମଶାନବନ୍ଧୁ

ସୁନ୍ଦରଗଡ଼ : ଜାତି ନାମରେ କିଛି ନିର୍ଦ୍ଦିଷ୍ଟ ମଣିଷକୁ ଅଛୁଆଁ କରି ରଖିବା ଭଳି ଘୃଣ୍ୟ ଓ ଅମାନବୀୟ ପ୍ରଥା ଆଜି ବି ସମାଜରୁ ଯାଇ ନାହିଁ। କେବଳ ଜୀବନ କାଳରେ ନୁହେଁ, ମୃତ୍ୟୁ ପରେ ବି ଜାତିବାଦ ଶବ ର ପିଛା ଛାଡ଼ୁ ନାହିଁ। ସୁନ୍ଦରଗଡ଼ରେ କିଛି ଦିନ ତଳେ ଜାତିବାଦର ଶିକାର ହୋଇଥିଲା ଏକ ମହିଳାଙ୍କ ଶବ। ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ପରିବାର ଲୋକେ ତାର ଶେଷକୃତ୍ୟ କରିବାକୁ ମନା କରି ଦେଇଥିଲେ। ଆଜି ପୁଣି ଜଣେ ମହିଳାଙ୍କ ଶବ ଏହି ଘୃଣା ପ୍ରଥା ଯୋଗୁଁ ପରିବାର କାନ୍ଧରେ ଯାଇ ପାରି ନଥିଲା। ତାର ଏକ ମାତ୍ର ଭୁଲ୍ ଥିଲା, ସେ ତଥାକଥିତ ଉଚ୍ଚ ଜାତି ଦ୍ବାରା ଚିହ୍ନିତ ଜଣେ ନୀଚ୍ଚ ଜାତିର ଯୁବକଙ୍କୁ ବିବାହ କରିଥିଲା। ତେଣୁ ପରିବାର ଲୋକେ ଶବର ପାଖ ମାଡ଼ି ନଥିଲେ। ବଡ଼ କଥା ହେଲା, ପୁଅ ଘର ପରିବାର ଲୋକେ ମଧ୍ୟ ସମାନ କଥା କହି ଶବ ସତ୍କାର କରିବା ଠାରୁ ଦୂରେଇ ରହିଥିଲେ। ଶେଷକୁ ସୁନ୍ଦରଗଡ଼ର ଟିମ୍ ଶ୍ମଶାନବନ୍ଧୁ ମାନବିକତାର ହାତ ବଢ଼ାଇ ମହିଳାଙ୍କ ଶବ ସତ୍କାର କରିଥିଲେ।

ମୃତା ମହିଳା ହେଲେ ଜିଲ୍ଲାର କିଞ୍ଜିରକେଲା ଥାନା ଅନ୍ତର୍ଗତ ସାଙ୍କୋବାହାଲ ଗାଁର ବର୍ଷା କଉଡି (୨୩) ପାଖ ବାଙ୍କିଡିହି ଗାଁର ଯୁବକ ଉଦିତ ତନ୍ତୀଙ୍କୁ ଗତ ୨୦୨୧ ଅକ୍ଟୋବରରେ ପ୍ରେମ ବିବାହ କରିଥିଲେ। ଉଦିତ ଭିନ୍ନ ଜାତିର ହୋଇଥିବାରୁ ବର୍ଷାଙ୍କ ପରିବାର ଏହାକୁ ଗ୍ରହଣ କରିପାରି ନଥିଲେ। କିନ୍ତୁ ବର୍ଷା ଓ ଉଦିତ ସ୍ବାମୀସ୍ତ୍ରୀ ଭାବେ ବାଙ୍କିଡିହିରେ ରହିଥିଲେ। କିଛି ମାସ ଦାମ୍ପତ୍ୟ ଜୀବନ ଠିକଠାକ ଥିଲା। କିନ୍ତୁ କିଛି ଦିନ ହେଲା ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଗଲା। ଘଟଣାକ୍ରମେ ସୋମବାର ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଏଥିରେ ମାନସିକ ଆଘାତ ପାଇ ବର୍ଷା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କିଞ୍ଜିରକେଲା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ବର୍ଷାକୁ ମୃତ ଘୋଷଣା କରିଥିଲେ।

କିଞ୍ଜିରକେଲା ପୁଲିସ ଶବ ଜବତ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲେ। ଏହା ପରେ ଶବ ହସ୍ତାନ୍ତର ସମୟରେ ବର୍ଷାଙ୍କ ପରିବାର ଲୋକେ ମନା କରି ଦେଇଥିଲେ। ଅନ୍ୟ ଜାତିରେ ବିବାହ କରିଥିବାରୁ ଶବ ଗ୍ରହଣ କଲେ ଜାତି ସମାଜ ସେମାନଙ୍କୁ ବାସନ୍ଦ କରିଦେବ କହି ଦୂରଛଡ଼ା ହୋଇଥିଲେ। ସେପଟେ ଉଦିତଙ୍କ ପରିବାର ମଧ୍ୟ ସମାନ କଥା କହି ଶବକୁ ଛୁଇଁ ନଥିଲେ। ବହୁ ସମୟ ଧରି ବ୍ୟବଚ୍ଛେଦ ଗୃ୍ହରେ ଶବ ପଡ଼ି ରହିବା ପରେ ଟିମ ଶ୍ମଶାନ ବନ୍ଧୁ ଖବର ପାଇ ଶବକୁ ସ୍ବର୍ଗଦ୍ବାରକୁ ଆଣି ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର