ଛାତିଏ ପାଣି ନାଳ ପାର ହୋଇ ଶ୍ମଶାନକୁ ଗଲା ଶବ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତରେ ଶନିବାର ପ୍ରଶାସନର ଅପାରଗତା ପଦାକୁ ଆସିଛି। ଚକାମାଲ ଗ୍ରାମରେ ଉଚ୍ଚା ପୋଲ ନଥିବାରୁ ଛାତିଏ ପାଣିରେ ଗାଁ ନାଳ ପାର ହୋଇ ଶ୍ମଶାନକୁ ଶବ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଦିବାସୀ ଅଞ୍ଚଳର ଏଭଳି ବିକାଶକୁ ଦେଖିଲେ ଏହା ପ୍ରଶାସନର ଅପରାଗ ପଣିଆକୁ ସ୍ପଷ୍ଟ କରିଛି।  ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପ୍ରାପ୍ତ ସୂଚନାନୁସାରେ ଚକାମାଲ ଗ୍ରାମର ହରିଜନ ସାହିର ମଣିରାମ ସୁନାନୀ (୫୮) ନାମକ  ଜଣେ ବ୍ୟକ୍ତି ଦୀର୍ଘ ଦିନରୁ  ଅସୁସ୍ଥ ଥିଲେ। ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗାଁ ଦେଇ ଯାଇଥିବାଏକ ନାଳ ସେପଟେ ଶ୍ମଶାନ ଥିବାରୁ ସେଠାକୁ ଶବ ନେବା ଅସୁବିଧା ହୋଇଥିଲା। କାରଣ ନାଳରେ ବନ୍ୟା ପାଣି ଯାଉଥିବାବେଳେ ପୋଲ ନାହିଁ।  ଲଗାଣ ବର୍ଷାରେ ନାଳରେ ଛାତିଏ ପାଣି ସୁଅ କାଟୁଛି। ନାଳରେ ଥିବା ୮୦ ଦଶକରେ ନିର୍ମିତ ପୋଲ କମ ଉଚ୍ଚତା ବିଶିଷ୍ଟ ହୋଇ ଥିବାରୁ ଏହା ଉପରେ ଦୁଇଫୁଟ ପାଣି ଯାଉଛି। ଅନ୍ୟ ଉପାୟ ନ ପାଇ ପରିଜନ ଅତି କଷ୍ଟର ସହ ଶବ କୁ ଛାତିଏ, ପାଣିରେ କାନ୍ଧରେ ବୋହି ନାଳ ସେପଟେ ଥିବା ମଶାଣୀକୁ ନେଇ ସତ୍କାର କରି ଥିଲେ। ପ୍ରଶାସନ ଦ୍ୱାରା  ମଶାଣୀ ଗୃହ ଦିଆ ଯାଇ ନ ଥିବା ରୁ ବର୍ଷାରେ ଶବ ସତ୍କାର କରାଯାଇଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଚକାମାଳ ଏବଂ ଅନକାବେଡା ପଞ୍ଚାୟତ ସଦର ମଝିରେ ଏକ ନାଳ ରହିଛି  । ୮୦ ଦଶକ ରେ ତତ୍କାଳୀନ ଅନକାବେଡା  ସରପଞ୍ଚ ସ୍ୱର୍ଗତ ମୁକୁନ୍ଦ ପାଣ୍ଡେଙ୍କ ପ୍ରଚେଷ୍ଟାରେ କମ ଉଚ୍ଚତାର ପୋଲ ନିର୍ମାଣ କରା ଯାଇଥିଲା। ବର୍ତ୍ତମାନ ଏହା ଭଗ୍ନ ଅବସ୍ଥାରେ  । ଏହାରି ଭିତରେ ଅନକାବେଡା ଠାରୁ କୋନ୍ଦିଓଡା ଛକ ପର୍ଯ୍ୟନ୍ତ ଆର୍ଡି ରୋଡ ତିଆରି ହୋଇଛି  । ଆର୍ ଡି ରୋଡ ତିଆରି ହୋଇ ଥିଲେ ମଧ୍ୟ  ପୁରୁଣା ପୋଲକୁ ଉଚ୍ଚା ଭାବରେ ନିର୍ମାଣ କରା ନ ଯାଇ ଏହାରି ଉପରେ ପିଚୁ ପକାଇ କାମ ସାରି ଦିଆଯାଇଛି। ବର୍ଷା ମାସରେ ନାଳ ବନ୍ୟାପାଣି ରେ ଫୁଲି ଉଠିଲେ ପୋଲ ଉପରେ ୩ ରୁ ୪ ଫୁଟ ପାଣି ଯାଉଛି। ଫଳରେ ଅନକାବେଡା ଏବଂ ଚକାମାଳ ଭିତରେ ଯୋଗା ଯୋଗ ବିଛିନ୍ନ ହୋଇ ପଡ଼ୁଛି। ସ ପଟେ ଥିବା ବିଲକୁ କିମ୍ବା ପଂଚାୟତ କାର୍ଯ୍ୟାଳୟକୁ ଗଲେ ଲୋକଙ୍କୁ ୫ କିମି ବରିଗୁଡା ଛକ ଦେଇକି ଯିବାକୁ ପଡ଼ୁଛି ବୋଲି ଗ୍ରାମବାସୀ କହିଛନ୍ତି। ଏ ବାବଦ ରେ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ଙ୍କୁ ଗୁହାରି କଲେ ହଁ ରେ ହଁ ମାରି କେବଳ  ମାପ ନେଇ ସେମାନେ ଉଭାନ ହୋଇ ଜାଉଥିବା ଗ୍ରାମବାସୀ ମାନେ   ପ୍ରକାଶ କରିଛନ୍ତି  । ଏ ସଂପର୍କ ରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାଜେଶ ସୋରେନ କୁ ପଚାରିବା ରୁ ଏହା କୁ  ଉଚ୍ଚତା ବିଶିଷ୍ଟ କରି ନିର୍ମାଣ କରା ଯିବା ପାଇଁ ପଦକ୍ଷେପ ନିଆଜିବ ବୋଲି ସେ ପ୍ରକାଶ କରିଛନ୍ତି  । ଏ ଦିଗରେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି  ।

ସମ୍ବନ୍ଧିତ ଖବର