ବାଲେଶ୍ବର: ରାଜ୍ୟର ୧୪ଟି ଡ୍ୟାମ୍ ଓ ଜଳଭଣ୍ଡାର ଚିହ୍ନଟ କରାଯାଇ ସେଗୁଡ଼ିକର ପାରିପାର୍ଶ୍ବିକ ଉନ୍ନତି ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି ଜଳସମ୍ପଦ ବିଭାଗ। ହେଲେ ବିଡ଼ମ୍ବନାର ବିଷୟ ବାଲେଶ୍ବର ଜିଲ୍ଲାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଉକ୍ତ ଯୋଜନାରେ ଜିଲ୍ଲାର ନାଁକୁ ସାମିଲ କରାଯାଇନାହିଁ, ଯାହାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜଳସମ୍ପଦ ବିଭାଗ ଦ୍ବାରା ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଡ୍ୟାମ୍ ଓ ଜଳଭଣ୍ଡାରଗୁଡ଼ିକର ପାରିପାର୍ଶ୍ବିକ ଉନ୍ନତି କରାଯିବ। ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହେବାକୁ ଥିବା ଡ୍ୟାମ୍ରେ ବୋଟିଂ ସୁବିଧା ତଥା ଖାଇବା ପାଇଁ କାଫେଟେରିଆ, ବଣଭୋଜି ପାଇଁ ପିଣ୍ଡି, ବିଶୁଦ୍ଧ ପିଇବା ପାଣି, ପର୍ଯ୍ୟଟକ ଚାଲିବା ପାଇଁ ସ୍ବତନ୍ତ୍ର ଟ୍ରାକ୍, ଗାଡ଼ି ପାର୍କିଂ ସୁବିଧା, ରୋପ୍ ୱେ ଆଦି ରଖିବାକୁ ଯୋଜନା କରାଯାଇଛି। ତେବେ ଯୋଜନାରେ ସାମିଲ ହୋଇଥିବା ରାଜ୍ୟର ୧୪ଟି ଜଳ ଭଣ୍ଡାର ଓ ଡ୍ୟାମ୍ ମଧ୍ୟରୁ ଉତ୍ତର ଓଡ଼ିଶାର କେନ୍ଦୁଝର ଜିଲ୍ଲାରୁ କାନଝରି ଡ୍ୟାମ୍, ସାଳନ୍ଦୀ ଡ୍ୟାମ୍, କେନ୍ଦୁଝରର ସାନମାଛ କନ୍ଦନା ଏମ୍ଆଇପି ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଖଡ଼ଖାଇ ଡ୍ୟାମ୍କୁ ସାମିଲ କରାଯାଇଛି। ଯଦିଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି ଜଳଭଣ୍ଡାରର ଉନ୍ନତୀକରଣ ହେବ ବୋଲି କୁହାଯାଇଛି, ବାଲେଶ୍ବର ଜିଲ୍ଲାର ଏତେଗୁଡ଼ିଏ ଡ୍ୟାମ୍ ଓ ଜଳ ଭଣ୍ଡାର ରହିଥିବା ବେଳେ ଦୀର୍ଘବର୍ଷ ଧରି ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି।
ଜିଲ୍ଲାରେ ୧୧ଟି ଛୋଟବଡ଼ ଡ୍ୟାମ୍ ତଥା ଜଳଭଣ୍ଡାର ରହିଥିବା ବେଳେ ନୀଳଗିରି, ସୋର ଓ ଜଳେଶ୍ବର ବ୍ଲକ୍ରେ ଏହାର ସଂଖ୍ୟା ଅଧିକ ରହିଛି। ସେଥିରୁ ଯଦି ନୀଳଗିରି ବ୍ଲକ୍ର ରିସିଆ ଡ୍ୟାମ୍କୁ ଦେଖାଯିବ, ତା’ହେଲେ ଏହାର ଜଳଧାରଣ ଅଞ୍ଚଳ ୦.୯୭ ବର୍ଗ କିଲୋମିଟର ହୋଇଥିବା ବେଳେ ୧୮୨୨ ହେକ୍ଟର ଜମିକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଏଠାରୁ ଜଳସେଚିତ କରାଯାଉଛି। ଅନ୍ୟପକ୍ଷରେ କୁଲଡ଼ିହା ଅଭୟାରଣ୍ୟ ଭିତରେ ଏହି ପ୍ରକଳ୍ପଟି ଥିବାରୁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବର୍ଷର ଅଧିକାଂଶ ସମୟରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ମାତ୍ର ପର୍ଯ୍ୟଟକଙ୍କ ପାଇଁ ସେଭଳି କୌଣସି ସୁବିଧା ଏଠାରେ ଉପଲବ୍ଧ କରାଯାଇନାହିଁ। ସେହିପରି ନୀଳଗିରି ବ୍ଲକ୍ର ଖୁମକୂଟ, ଔପଦା ବ୍ଲକ୍ର ଷୋଳଭଉଣୀ, ଜଳେଶ୍ବର ବ୍ଲକ୍ର ରାଜାବନ୍ଧ ଏବଂ ସୋର ବ୍ଲକ୍ର ସିନ୍ଧୁଆ ଡ୍ୟାମ୍ ରହିଥିବା ବେଳେ ସେଗୁଡ଼ିକର ପାରିପାର୍ଶ୍ବିକ ବିକାଶର ଆବଶ୍ୟକତା ରହିଛି। ଡ୍ୟାମ୍ ଓ ଜଳଭଣ୍ଡାରଗୁଡ଼ିକର ବିକାଶ ହେଲେ ସେଗୁଡ଼ିକ ସୁରକ୍ଷିତ ରହିବା ସହ ଅଧିକରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଏବଂ ସରକାରଙ୍କୁ ରାଜସ୍ବ ମିଳିବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାର ମିଳିପାରିବ। ତେଣୁ ଏଥିପ୍ରତି ବାଲେଶ୍ବର ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଓ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ବିଶେଷ ଦୃଷ୍ଟି ଦେବାକୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/18-14.jpg)