ମାଲକାନଗିରି: ସେତୁ ଯୋଜନା ମତ୍ସ୍ୟଜୀବୀଙ୍କୁ କରିପାରୁନି ସ୍ବାବଲମ୍ବୀ। ଯୋଜନାରେ ପ୍ରାୟ ୧୫‌କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଗୁଜୁରାଣ ମେଣ୍ଟାଇବା ପାଇଁ ମତ୍ସ୍ୟଜୀବୀଙ୍କୁ କଷ୍ଟ କରିବାକୁ ପଡ଼ୁଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳର ମତ୍ସ୍ୟଜୀବୀ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି। ବ୍ଲକର ୯ଟି ପଞ୍ଚାୟତକୁ ଘେରି ରହିଛି ବାଲିମେଳା ଜଳଭଣ୍ଡାର। ପ୍ରାୟ ୩୬୦ ହେକ୍ଟରରୁ ଅଧିକ ଜମିରେ ରହିଛି କେବଳ ଜଳାଶୟ। ଜଳଭଣ୍ଡାର ଆରପାରିରେ ଥିବା ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ତତ୍କାଳୀନ ସରକାର ୨୦୧୮ରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ବେଳେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କା ବିକାଶମୂଳକ ପାଣ୍ଠି ପ୍ରଦାନ କରିଥିଲେ। ଏଥିରୁ ୨୦କୋଟି ଟଙ୍କା କେବଳ ଜଳଭଣ୍ଡାରରୁ ମାଛଧରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ରହିଥିଲା। ୬ବର୍ଷରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୧୫କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୧୭କୋଟି ୪୮ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ୮ଟି କାର୍ଯ୍ୟକ୍ରମ ଇତି ମଧ୍ୟରେ ସରିଥିବା କୁହାଯାଉଥିବା ବେଳେ ଆଉ ଦୁଇଟି କାମ ଚାଲୁ ରହିଥିବା କୁହାଯାଇଛି। ଏହି କାମ ପାଇଁ ପ୍ରାୟ ୧୫କୋଟି ୮୩ଲକ୍ଷ ଟଙ୍କା ଖର୍ଚ୍ଚ ସରିଥିବା କୁହାଯାଉଛି। ଏହାସତ୍ତ୍ବେ ଗୁଜୁରାଣ ମେଣ୍ଟାଇବାକୁ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଆଜି ବି କଷ୍ଟ କରିବାକୁ ପଡୁଛି। 

Advertisment

ରିପୋର୍ଟ ଅନୁଯାୟୀ, ୨୦୨୦ ଜାନୁଆରି ୧୫ ତାରିଖରେ  ୨୮୦ ଲକ୍ଷ ଟଙ୍କାର ମାଛ ଯାଆଁଳ ଜଳଭଣ୍ଡାରରେ ଛଡ଼ା ଯାଇଥିବା ବେଳେ ୨୦୨୧ ଜାନୁଆରି ୮ ତାରିଖରେ ତାଲିମ ପ୍ରଦାନ ବାବଦକୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୧ ଜାନୁଆରି ୧୧ ତାରିଖରେ ୩୯୬ ଲକ୍ଷ ଟଙ୍କାର ମାଛ ଯାଆଁଳ ଛଡ଼ା ଯାଇଥିବା ବେଳେ ୨୦୨୨ ସେପ୍ଟେମ୍ବର ୨୩ ତାରିଖରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତାଲିମ ଦିଆଯାଇଛି। ୨୦୨୨ ଜାନୁଆରି ୧୦ ତାରିଖରେ ଷ୍ଟୋର କମ୍ ଗୋଦାମ ବାବଦକୁ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ୨୫ ତାରିଖରେ ବୋଟ୍‌ ଓ ମାଛଧରା ଜାଲ ପ୍ରଦାନ କରାଯାଇଛି। ସେହିଦିନ ହିଁ ୧୦ ଲକ୍ଷ ଟଙ୍କାର ଲାଇଫ୍‌ ଜ୍ୟାକେଟ୍‌ ଯୋଗାଣ ହୋଇଛି। ୨୦୨୨ ନଭେମ୍ବର ୧୫ ତାରିଖରେ ବୋଟ, ମାଛଜାଲ ଓ ଲାଇଫ୍‌ ଜ୍ୟାକେଟ ବାବଦକୁ ୬୦ ଲକ୍ଷ ଟଙ୍କା ଓ ତାଲିମ ବାବଦକୁ ୫ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୨୩ ନଭେମ୍ବର ୨୪ ତାରିଖରେ ଆଇସ୍ ବାକ୍ସ ସହ ଅଟୋ ରିକ୍ସା ବାବଦକୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨ ନଭେମ୍ବର ୧ ତାରିଖରେ ଆଇସ୍‌ ବାକ୍ସ ସହ ମୋଟର ସାଇକେଲ ବାବଦକୁ ୨୨ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। 

୨୦୨୨-୨୩ ଆର୍ଥିକ ବର୍ଷରେ ବୋଟ, ମାଛଜାଲ ଓ ଲାଇଫ୍‌ ଜ୍ୟାକେଟ ପାଇଁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୭୨ଲକ୍ଷ ଟଙ୍କାର ମାଛ ଯାଆଁଳ ଛଡ଼ାଯିବା ସହ ସିଏନ୍‌ଟିର ପୁନରୁଦ୍ଧାର ପାଇଁ ୧୪ଲକ୍ଷ ଏବଂ ପିଆଇସି ବାବଦକୁ ୧କୋଟି ୮୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩ କୋଟି ଟଙ୍କାର ମାଛ ଯାଆଁଳ ଛଡ଼ା ଯାଇଥିବା ବେଳେ ତାଲିମ ପ୍ରଦାନ ଗୃହ ପାଚେରି ପାଇଁ ୨୫ଲକ୍ଷ ଟଙ୍କା, ଆଇସ୍‌ ବକ୍ସ ପାଇଁ ୨ଲକ୍ଷ ଟଙ୍କା ଏବଂ ପିଆଇସି ବାବଦକୁ ୩ଲକ୍ଷ ୫୫ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମୋଟ ୧୫ କୋଟି ୮୩ଲକ୍ଷ ଟଙ୍କାର ଅଟକଳ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪କୋଟି ୭୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ସ୍ବାଭିମାନ ଅଞ୍ଚଳର ୧୦ଟି ସୋସାଇଟିକୁ ଏହି ସହଯୋଗ ପ୍ରଦାନ କରାଯାଉଛି। 

ପ୍ରାୟ ୨ହଜାର ମତ୍ସ୍ୟଜୀବୀ ରହିଥିବା ବେଳେ କେବଳ ୩୦୦ରୁ ୪୦୦ଜଣ ଉପକୃତ ହୋଇଥିବା ଜଣାପଡ଼ିଛି। ଅନ୍ୟମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ତେବେ ଶୀତଳଭଣ୍ଡାର ନଥିବାରୁ ମାଛ ରଖିବା କଷ୍ଟକର ହୋଇପଡ଼ୁଛି। ମାର୍କେଟିଂ ବ୍ୟବସ୍ଥା ନଥିବାରୁ ମଧ୍ୟ ବହୁ ମତ୍ସ୍ୟଜୀବୀ ହଇରାଣ ହେଉଛନ୍ତି। ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଏହାର କାହିଁକି ମତ୍ସ୍ୟଜୀବୀ ଉପକୃତ ହୋଇପାରୁନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଆବଶ୍ୟକ ତଦନ୍ତ ପାଇଁ ଦାବି ହୋଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ଼ଙ୍କୁ ପଚାରିବାରୁ ଶୀତଳଭଣ୍ଡାର ପାଇଁ ସରକାରଙ୍କୁ ଅବଗତ କରାଯାଇଥିବା ବେଳେ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ସେ ସ୍ବୀକାର କରିଛନ୍ତି।