ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର/ବିମାନ ବୁଲା ନେଇ ବିବାଦ ଥମୁନି। ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ୫୦୦କୋଟି ଛୁଇଁବ ବୋଲି ଚର୍ଚ୍ଚା ହେବା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ନିଜ ଆଡ଼ୁ ଟ୍ବିଟର୍‌ରେ ସଫେଇ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟବହାର କରୁଥିବା ହେଲିକପ୍ଟର ଉଡ଼ାଣ ଖର୍ଚ୍ଚ ୫୦କୋଟି। ହେଲେ ସୂଚନା ଅଧିକାର ଆଇନରେ ପରିବହନ ବିଭାଗକୁ ପାଣ୍ଡିଆନଙ୍କ ହେଲିକପ୍ଟର ଉଡ଼ାଣ ଖର୍ଚ୍ଚ ବାବଦରେ ତଥ୍ୟ ମଗା ଯାଇଥିଲେ ହେଁ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏନେଇ ବିଭାଗ ପାଖରେ ସୂଚନା ନାହିଁ। ଏପରିକି ହେଲିକପ୍ଟର ଭଡ଼ା ବାବଦକୁ କେଉଁ ସଂସ୍ଥାକୁ କେତେ ଟଙ୍କା ଦିଆଯାଇଛି, ସଂସ୍ଥାର ନାମ ଓ ଠିକଣା ମଗାଯାଇଥିଲେ ବି ସେନେଇ ବିଭାଗ ପାଖରେ ତଥ୍ୟ ନାହିଁ ବୋଲି କୁହାଯାଇଛି।

Advertisment

ଏହାକୁ ନେଇ ଏବେ ବିବାଦ ନୂଆ ମୋଡ଼ ନେଇଛି। ଯଦି ବିଭାଗ ପାଖରେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ ନାହିଁ ତେବେ ବିଭାଗର ମନ୍ତ୍ରୀ ଟୁକୁନି ସାହୁ କେଉଁଠି ତଥ୍ୟ ପାଇଲେ ବୋଲି ବିଜେପି ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି। ଶ୍ରୀ ନାୟକ କହିଛନ୍ତି ‌େଯ ଜଣେ ସଚିବଙ୍କ ପାଇଁ ଜଣେ ମନ୍ତ୍ରୀ ଉତ୍ତର ରଖୁଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଭାଗ ପାଖରେ ଯଦି ହିସାବ ନାହିଁ ତେବେ ମନ୍ତ୍ରୀ କ’ଣ ତାଙ୍କ ଘରେ ରଖି ହିସାବ କରୁଥିଲେ କି ? ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଗଣତାନ୍ତ୍ରିକ ଭାବେ ଦାଦାଗିରି କଲା ଭଳି ହେଲିକପ୍ଟର ଧରି ବୁଲୁଛନ୍ତି। ଯେତେବେଳେ ବିରୋଧୀ ପ୍ରଶ୍ନ କରୁଛନ୍ତି ସେତେବେଳେ ସଚିବଙ୍କ ପାଇଁ ମନ୍ତ୍ରୀ ଆସି ସଫେଇ ଦେଉଛନ୍ତି। ଏହାଠାରୁ ଆଉ ଲଜ୍ଜାର ବିଷୟ କ’ଣ ଥାଇପାରେ। ମନ୍ତ୍ରୀଙ୍କ କଥାରେ ସତ୍ୟତା ନାହିଁ, ଏ ସରକାର କେମିତି ଚାଲିଛି ସାଢ଼େ ୪କୋଟି ଓଡ଼ିଆ ଜାଣିପାରୁଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।