ଅନ୍ୟ ଆକାଉଣ୍ଟକୁ ଯାଇଥିବା ଟଙ୍କା ଫେରିପାଇଲେ ହିତାଧିକାରୀ

ରେଢ଼ାଖୋଲ: ରେଢ଼ାଖୋଲ ଷ୍ଟେଟ୍‌ ବ୍ୟାଙ୍କର ଅବହେଳା ହେଉ କି ଭୁଲ୍‌ ବଶତଃ ହେଉ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଚାଲି ଯାଥିବା ଟଙ୍କା ଫେରି ପାଇଛନ୍ତି ପ୍ରକୃତ ହିତାଧିକାରୀ। ପ୍ରାପ୍ତ ସୂଚନାନୁସାରେ ଚାରମାଳ ଥାନା ବିଶ୍ବନାଥପୁର ଗ୍ରାମର ରୀନା ପ୍ରଧାନଙ୍କ ଆକାଉଣ୍ଟ ରେଢ଼ାଖୋଲ ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖା‌ରେ ରହିଛି।

ତେବେ କିଛି ଦିନ ତଳେ ବ୍ୟାଙ୍କର ଖାମଖିଆଲି ଯୋଗୁଁ ତାଙ୍କ ଆକାଉଣ୍ଟରୁ ୧୧୬୦୪ ଟଙ୍କା ଉକ୍ତ ଗ୍ରାମର ରୀମା ପ୍ରଧାନଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା। ଏହା ଜାଣିବା ପରେ ରୀନା ବିବ୍ରତ ହୋଇ ପଡ଼ିବା ସହ ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ମାତ୍ର ବ୍ୟାଙ୍କ୍‌ ପକ୍ଷରୁ ଏଥି ପ୍ରତି କର୍ଣ୍ଣପାତ କରାଯାଇ ନଥିଲା। ଫଳରେ ହତାଶ ହୋଇ ଶେଷରେ ରୀନା ରେଢ଼ାଖୋଲ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ଚିନ୍ମୟ ଦେହୁରୀଙ୍କୁ ଅଭିଯୋଗ ଜଣାଇଥିଲେ। ଫଳରେ ସମିତି ଅଧ୍ୟକ୍ଷ ମଙ୍ଗଳବାର ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଓ ଟଙ୍କା ଯାଇଥିବା ଆକାଉଣ୍ଟର ଉପଭୋକ୍ତା ରୀମା ପ୍ରଧାନଙ୍କୁ ଡକାଇ ମାମଲାର ସମାଧାନ କରିଥିଲେ। ଯଦ୍ବାରା ରୀନା ତାଙ୍କ ଟଙ୍କା ଫେରି ପାଇଥିବା ଜଣାପଡ଼ିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର