ସୋର: ଯିଏ ଲୋକଙ୍କ ପାଇଁ ସରକାରଙ୍କଠାରେ ଦାବି ଉପସ୍ଥାପନ କରିବା କଥା, ସିଏ ନିଜେ ଆଜି ଭୋକ ଉପାସରେ ଛଟପଟ। ଦାରିଦ୍ର୍ୟ ତାଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ନିଜର ଦୁଇଟି ଛୋଟଛୋଟ ପିଲାଙ୍କୁ ଧରି ଘରଘର ବୁଲି ଭିକ ମାଗୁଛନ୍ତି। ଇଏ ହେଉଛନ୍ତି ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୭ ନମ୍ବର ୱାର୍ଡ ଲିଙ୍ଗପଡ଼ା ଅଞ୍ଚଳର ମହିଳା କାଉନ୍‌ସିଲର ଦୁର୍ଗା ସିଂ (୨୬)। ୨୦୨୨ ମାର୍ଚ୍ଚ ମାସରେ ହୋଇଥିବା ପୌର ନିର୍ବାଚନରେ ଦୁର୍ଗା ପାରିଷଦ ଭାବେ ନିର୍ବାଚନ ଲଢ଼ି ୧୩୩ ଖଣ୍ଡ ଭୋଟ୍‌ରେ ବିଜୟ ଲାଭ କରିଥିଲେ।

Advertisment

ବିଡ଼ମ୍ବନା, ନିଜେ ଜଣେ କାଉନ୍‌ସିଲର ହୋଇଥିଲେ ମଧ୍ୟ ଦାରିଦ୍ର୍ୟ କଷାଘାତରେ ବଞ୍ଚିବା ପାଇଁ ଦୁର୍ଗା ରୀତିମତ ସଂଘର୍ଷ କରୁଛନ୍ତି। ସାଙ୍ଗରେ ୩ ବର୍ଷର ଶିଶୁକନ୍ୟା ଓ ୪ ମାସର ଶିଶୁପୁତ୍ରକୁ ଧରି ୟା, ତା’ ଦୁଆରେ ହାତ ପାତୁଛନ୍ତି। ନା ନିଜର କୌଣସି ଜମି ଅଛି ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଅଛି। ସୋର ପୌରପାଳିକା ଅନ୍ତର୍ଗତ ପାରାମହଲାଠାରେ ଏକ ଖଣ୍ଡିଆ ଚାଳ ଜରିପଲା ଘରେ ରହୁଥିବା ବେଳେ ବର୍ଷାରେ ତାହା ଭାଙ୍ଗିଯାଇଛି। କେତେ ବେଳେ କାହା ବାରଣ୍ଡାରେ ତ କେତେବେଳେ ଖୋଲା ଆକାଶ ତଳେ ସ୍ବାମୀ ଓ ଦୁଇ ପିଲାଙ୍କ ସହ ରାତି କାଟୁଛନ୍ତି। କାଉନ୍‌ସିଲର ଭାବେ ନିର୍ବାଚିତ ହେବା ପରେ ବି ଦୁର୍ଗାଙ୍କ ଦୁଃଖ ତିଳେମାତ୍ର ଲାଘବ ହୋଇନି। ସ୍ବାମୀ ଚକ୍ରଧରଙ୍କ ସହିତ ଅନ୍ୟ ଲୋକଙ୍କ ଘରେ ମୂଲମଜୁରି ଓ ଭିକ୍ଷାବୃତ୍ତି କରି ପେଟକୁ ଆହାର ଯୋଗାଡ଼ କରୁଛନ୍ତି।

ସରକାରଙ୍କ ମାଳମାଳ ଯୋଜନା ତାଙ୍କ ପାଇଁ ଦିବାସ୍ୱପ୍ନ ପାଲଟିଛି। ଯିଏ ଲୋକଙ୍କ ପାଇଁ ପ୍ରଶାସନ ପାଖରେ ଦାବି ରଖିବା କଥା, ସିଏ ଆଜି ଅସହାୟ, ନିଷ୍ପେସିତ। ତେବେ ଦୁର୍ଗା ବର୍ଷାଧିକ କାଳ ଦାରିଦ୍ର୍ୟ ତାଡ଼ନାରେ ଛଟପଟ ହେଉଥିଲେ ମଧ୍ୟ ପୌରାଧ୍ୟକ୍ଷ କିମ୍ବା ଅନ୍ୟ କେହି ଜାଣି ନ ପାରିବା ଆଶ୍ଚର୍ଯ୍ୟର ବିଷୟ। ଏ ସଂପର୍କରେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ, ଦୁର୍ଗା ବ୍ୟକ୍ତିଗତ ଭାବେ କିଛି କହି ନଥିବାରୁ ଏ ବାବଦରେ ଜାଣି ନଥିଲୁ। ଏବେ ଘଟଣା ବାବଦରେ ଜାଣିଲୁ। ତାଙ୍କ ନାମରେ କୌଣସି ସ୍ଥାୟୀ ଜାଗା ନଥିବାରୁ ସେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି। ଯଥାଶୀଘ୍ର ତାଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଇ ଆବାସ ଯୋଜନାରେ ଘର ଆବଣ୍ଟନ କରାଯିବ ବୋଲି ସେ କହିଛନ୍ତି।