ବ୍ୟାସନଗର: ବ୍ୟାସନଗର ପୌରପରିଷଦରେ ଲାଗି ରହିଥିବା ବିବାଦ ଏବେ ମୁଖ୍ୟମନ୍ତ୍ରୀଙ୍କ ଗୋଚରକୁ ଯାଇଛି। ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ବନାମ ଉପନଗରପାଳ ସୁବାସ ଚନ୍ଦ୍ର ବଳଙ୍କ ସମେତ ସଂଖ୍ୟାଧିକ କାଉନସିଲରଙ୍କ ମଧ୍ୟରେ ବିବାଦ ଫଳରେ ସହରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଯାଜପୁର ଜିଲ୍ଲାପାଳଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଜି ଉପନଗରପାଳ ସୁବାସ ଚନ୍ଦ୍ର ବଳଙ୍କ ସମେତ ସଂଖ୍ୟାଧିକ କାଉନସିଲର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପୌରକାର୍ଯ୍ୟ ସ୍ବାଭାବିକ କରିବା ପାଇଁ ଅନୁରୋଧ କରିଛନ୍ତି। ପୌରକାର୍ଯ୍ୟ ପରିଚାଳନାରେ ଅବହେଳା କରୁଥିବା ବେଳେ ପୌରାଧ୍ୟକ୍ଷା ଦଳୀୟ ସଂଗଠନରେ ମଧ୍ୟ ବିଶୃଙ୍ଖଳା କରୁଥିବା କାଉନସିଲରମାନେ ଅଭିଯୋଗ କରିବା ସହ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।
ସହରରେ ମଶା ତେଲ ପଡ଼ୁନାହିଁ, ଆବଶ୍ୟକ ଥିବା ସ୍ଥାନରେ ଲାଇଟ୍ ଲାଗୁନାହିଁ। କୋଟିକୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ଆରମ୍ଭ ହେଉନାହିଁ ଓ ବାର୍ଷିକ ପୂର୍ଣ୍ଣାଙ୍ଗ ବଜେଟ୍ ହେଲାନାହିଁ ବୋଲି କାଉନସିଲରମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ବ୍ୟାସନଗର ସହରରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରି ବିକାଶ ମୂଳକ କାର୍ଯ୍ୟ କରାଯିବା ଓ ସହରର ବିକାଶ କରିବାକୁ ଉପନଗରପାଳ ଓ ସମ୍ପୃକ୍ତ କାଉନସିଲରମାନେ ଅନୁରୋଧ କରିଛନ୍ତି। ଏନେଇ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ବ୍ୟାସନଗର ବିଜେଡି ସଭାପତି ବ୍ରଜକିଶୋର ରାଉତଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଉପନଗରପାଳ ଶ୍ରୀ ବଳ ଓ କାଉନସିଲର ବିଜୟ ଜେନା, ରଶ୍ମିତା ଖୁଣ୍ଟିଆ, ଇଂ ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡ଼ା, ଅଶୋକ ଦାସ, ସନ୍ତୋଷ ବରାଳ, ଶିବାନନ୍ଦ ନାୟକ, ସରୋଜିନୀ ସେଠୀ, ଉର୍ମିଳା ପରିଡ଼ା, କୁମୁଦୁନି ରାଉତ, ପାର୍ଥସାରଥି ନାୟକ, ଅଶୋକ ରାଉତ, ଦିଲୀପ ସେଠୀ ପ୍ରମୁଖ ସୂଚନା ଦେଇଛନ୍ତି।
Follow Us