ସମ୍ବଲପୁର: ସମାଜର ଅନ୍ତିମ ପାହାଚରେ ଥିବା ଆଦିବାସୀ ସମାଜର ପରିଶ୍ରମ ବଳରେ ଦେଶ ଆଗେଇ ଚାଲିଛି। ଓଡ଼ିଶାର ଆଦିବାସୀଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ଜରୁରି ହୋଇପଡ଼ିଛି। ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଅନୁଷ୍ଠିତ ‘ଜାତୀୟ ଆଦିବାସୀ ମହୋତ୍ସବ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରବିବାର ଦିନ ପରିଚୟ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆଦିବାସୀ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଜନଜାତିଙ୍କ ତ୍ୟାଗ କାରଣରୁ ଦେଶ ସ୍ୱାଧୀନ, ସ୍ୱାଭିମାନୀ ଓ ସ୍ୱାବଲମ୍ବୀ ହୋଇଛି। ପରିବେଶ ସୁରକ୍ଷା ସହ ବନଜାତ ଦ୍ରବ୍ୟ ଯୋଗାଇବାରେ ଆଦିବାସୀ ସମାଜର ବଡ଼ ଅବଦାନ ରହିଛି।

Advertisment

ବିଗତ ଦଶବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଆଦିବାସୀ ସମାଜର ବିଶେଷ ବିକାଶ ହୋଇଛି। ୨୪ ହଜାର କୋଟି ଟଙ୍କା ବ୍ୟବରାଦ କରାଯାଇ ୭୫ଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ବିକାଶ ପାଇଁ ପିଏମ୍‌ ଜନମନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶାର ୪ଟି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (ପିଭିଟିଜି) ପାଉଡ଼ି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବଣ୍ଡା ଓ ମାଙ୍କଡ଼ିଆଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି। ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ଅନେକ ସୁବିଧା ପ୍ରଦାନ କରିବା ପାଇଁ ୪୦ ହଜାର କୋଟି ଖର୍ଚ୍ଚ କରି ଦେଶରେ ୭୦୦ଟି ଏବଂ ଓଡ଼ିଶାରେ ୧୦୦ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ‌ହେଉଛି ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ବୃଦ୍ଧି ପାଇଛି। ଆଦିବାସୀ ସମାଜ ବଢ଼ିଲେ ହିଁ ବିକଶିତ ଭାରତ ସମ୍ଭବ ହେବ ବୋଲି ସେ କହିଥିଲେ। ଏଥିସହିତ, ଓଡ଼ିଶାରେ ଆଦିବାସୀଙ୍କ ଜମି ବିକିବା ପାଇଁ ଷଡ୍‌ଯନ୍ତ୍ର ହେବା ଘଟଣା ଚିନ୍ତା ଓ ନିନ୍ଦାଜନକ କଥା। ଆଦିବାସୀଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ପାଇଁ ସମାଜ ଏକାଠି ହେଉ ବୋଲି ସେ ଆହ୍ବାନ ଦେଇଥିଲେ।