ଦେଶ କେନ୍ଦ୍ରୀୟ ଶାସନ ଆଡ଼କୁ ଗତି କରୁଛି : ତୁଷାର ଗାନ୍ଧୀ

ସମ୍ବଲପୁର : ସଂଘୀୟ ବ୍ୟବସ୍ଥା ଏବେ ଲୁପ୍ତ ହେବାକୁ ଯାଉଛି। ‌ଦେଶ ଏବେ କେନ୍ଦ୍ରୀୟ ଶାସନ ଆଡ଼କୁ ଗତି କରୁଛି। ଆସାମ ଭଳି ରାଜ୍ୟରେ ଲୋକଙ୍କୁ ନାଗରିକତା ପାଇଁ ନିଜର ପୂର୍ବଜ ଭାରତରେ ନାଗରିକ ଥିଲେ ବୋଲି ପ୍ରମାଣ ଦେବାକୁ ପଡ଼ୁଛି। ଯାହା ଉପରୁ ଲଦି ଦିଆଯାଉଛି ତାହା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଆମେ ବି ବିନା ପ୍ରତିବାଦରେ ତାହା ଗ୍ରହଣ କରିନେଉଛୁ। ଆଜି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ‘ସେତୁ ପକ୍ଷରୁ ଆୟୋଜିତ ଘନଶ୍ୟାମ ଦାଶ ବକ୍ତୃତାମାଳାରେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ବିଶିଷ୍ଟ ଲେଖକ ତୁଷାର ଅରୁଣ ଗାନ୍ଧୀ ଏହା କହିଛନ୍ତି।

ଶ୍ରୀଗାନ୍ଧୀ ଆହୁରି ମଧ୍ୟ କହିଥିଲେ, ସତ୍ୟ ହିଁ ଈଶ୍ୱର। ଈଶ୍ୱର ହିଁ ସତ୍ୟ। କିନ୍ତୁ, ସତ୍ୟ ଉପରେ ଏବେ ପ୍ରଶ୍ନ ଉଠିଲାଣି। ସତ୍ୟକୁ ବି ଏହା ପ୍ରମାଣିତ କରିବାକୁ ପଡ଼ୁଛି। ବାପୁ ସତ୍ୟର ସନ୍ଧାନରେ ତାଙ୍କ ଜୀବନ ବିତାଇ ଦେଇଥିଲେ। ବୁଦ୍ଧଦେବ ମଧ୍ୟ ତାହା ହିଁ କରିଥିଲେ। ଆମେ ସତ୍ୟନିଷ୍ଠ ହେବା ଆବଶ୍ୟକ। ବାପୁ ଆମକୁ ସତ୍ୟନିଷ୍ଠ କରାଇନପାରିବା ହେଉଛି ତାଙ୍କର ଏକ ବିଫଳତା ବୋଲି ମୁଁ ବିବେଚନା କରେ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥି‌େଲ, ଆମେ ପ୍ରଶ୍ନ କରିବା ଶିଖିନାହୁଁ । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ବି ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ କରିବା ଶିଖାଯାଉନାହିଁ। ଶିକ୍ଷା ଉଭୟ କେନ୍ଦ୍ର ଓ ରାଜ୍ୟର ଅଧିକାର କ୍ଷେତ୍ରରେ ଆସୁଛି। ହେଲେ, ବାସ୍ତବତା କିନ୍ତୁ ଭିନ୍ନ। ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ନାହିଁ, ସେମାନେ ଏବେ ଆଗାମୀ ପିଢ଼ି କଣ ପଢ଼ିବେ, ଶିକ୍ଷକମାନେ କଣ ପଢ଼ାଇବେ, ତାହା ସ୍ଥିର କରୁଛନ୍ତି ବୋଲି ସେ କହିଥିଲେ।

ଆୟୋଜକ ‘ସେତୁ’ର ସଭାପତି ଡ. ମୀନକେତନ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୌଦାମିନୀ ନନ୍ଦ ଆଜି ତୁଷାର ଗାନ୍ଧିଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ‘ସେତୁ’ ସଂପାଦକ ସୁକାନ୍ତ କର ସଭା ସଂଯୋଜନା ଓ ଅତିଥି ପରିଚୟ ଦେଇଥିବା ବେଳେ ଉପସଭାପତି ଡ. ନୀଳେନ୍ଦ୍ରି ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର