ଚନ୍ଦ୍ରଶେଖରପୁର: ବର୍ତ୍ତମାନ ସମୟ ଆସିଛି ଆମକୁ ଗୋରକ୍ଷା କରିବାକୁ ପଡ଼ିବ। ଏଥିସହ ମା’, ଭଉଣୀ, ଝିଅ ଓ ସ୍ତ୍ରୀ ରୂପୀ ସମସ୍ତ ନାରୀଙ୍କୁ ସୁରକ୍ଷା ଦେବାକୁ ହେବ। ତେବେ ଯାଇ ନାରୀଶକ୍ତି ସଶକ୍ତ ହେବା ସହ ଦେଶ ଉନ୍ନତି କରିବ ବୋଲି ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ୍ବର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ କହିଛନ୍ତି। ଶୈଳଶ୍ରୀବିହାର ଦୁର୍ଗାପୂଜା ପଡ଼ିଆଠାରେ ଅନୁଷ୍ଠିତ ହିନ୍ଦୁରାଷ୍ଟ୍ର ମହାଅଧିବେଶନରେ ଉଦ୍‌ବୋଧନ ଦେଇ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଲେ ସବୁ କ୍ଷେତ୍ରରେ ମହିଳାଙ୍କୁ ସମାନ ସୁବିଧା, ସୁଯୋଗ ଓ ସୁରକ୍ଷା ମିଳିବା ଆବଶ୍ୟକ। ତାହା ହେଲେ ଦେଶର ସମ୍ମାନ ବଢ଼ିବା ସହ ଦେଶ ବିଦେଶରେ ଉଜ୍ଜଳ ହେବ।

Advertisment

ଜଗଦ୍‌ଗୁରୁ କହିଲେ, ଆଜି ଆମ ଦେଶରେ ନାରୀ ସୁରକ୍ଷିତ ନାହାନ୍ତି। ଗୋ’ମାତାଙ୍କ ହତ୍ୟା ବଢ଼ି ଚାଲିଛି। ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର ଗଠନ କରିବା ପୂର୍ବରୁ ପ୍ରଥମେ ହିନ୍ଦୁତ୍ବକୁ ବଞ୍ଚାଇବାକୁ ପଡ଼ିବ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ହିନ୍ଦୁସ୍ଥାନ କୁହାଯାଏ। ଭାରତ ଭୂଖଣ୍ଡ ଏକ ହିନ୍ଦୁ ରାଷ୍ଟ୍ର ହୋଇ ରହିଛି, ଆଗକୁ ମଧ୍ୟ ରହିବ। ଆମର କୌଣସି ବ୍ୟକ୍ତିଗତ ଅଭିଯାନ ନାହିଁ, ବରଂ ଯାହା ଭାବୁ ତାହା ହିଁ ହୋଇଥାଏ। ସେହି ଦୃଷ୍ଟିରୁ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆମେ ସମସ୍ତଙ୍କୁ ଶପଥ ନେବାକୁ ହେବ। ଗୋହତ୍ୟା ରୋକିବାକୁ ବହୁ ଆଗରୁ ଉଦ୍ୟମ କରାଯାଉଛି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ମୋତେ କହିଥିଲେ ଯେ ଗୋହତ୍ୟା ରୋକିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ। ଇତିମଧ୍ୟରେ ୧୧ ବର୍ଷ ହେଲା ସେ ଦାୟିତ୍ବରେ ଅଛନ୍ତି। ହେଲେ କେବେ ପଦକ୍ଷେପ ନେଇନାହାନ୍ତି। ବରଂ, ନିର୍ବାଚନ ସମୟରେ ଗୋହତ୍ୟାକାରୀଙ୍କଠାରୁ ଚାନ୍ଦା ନିଆଯାଉଛି ବୋଲି କହି ଆଜି ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦ୍‌ଗୁର ଉଦ୍‌ବେଗ ପ୍ରକାଶ କରିଥିଲେ।

ଇସ୍କନ୍‌ ପକ୍ଷରୁ ଅଦିନିଆ ରଥଯାତ୍ରା ସମ୍ପର୍କିତ ଏକ ପ୍ରଶ୍ନରେ ଶଙ୍କରାଚାର୍ଯ୍ୟ କହିଥିଲେ, ପ୍ରଶ୍ରୟ ଦିଆଯିବାରୁ ସେମାନେ ଏବେ ମୁଣ୍ଡରେ ବସିଲେଣି। ପ୍ରଥମେ ଇସ୍କନ୍‌ର କାର୍ଯ୍ୟକଳାପକୁ ପ୍ରଶଂସା କରାଯାଉଥିଲା। ଯେମିତି ଛୁଆଙ୍କୁ କାନ୍ଧରେ ବସାଇଲେ ସିଏ ମୁଣ୍ଡକୁ ଚଢ଼ିଥାନ୍ତି, ଠିକ୍‌ ସେହିଭଳି ଅବସ୍ଥା ହୋଇଛି। ଏବେ ପତ୍ର ଲେଖିଲେ କିମ୍ବା ତାଗିଦ୍‌ କଲେ କ’ଣ ହେବ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ସମ୍ପର୍କିତ ନିଷ୍ପତ୍ତି ନେବା ସମୟରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ। ମାତ୍ର ସମିତିର କର୍ମକର୍ତ୍ତା ମୋ ପାଖକୁ ଆସୁନାହାନ୍ତି କି ପଚାରୁନାହାନ୍ତି। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ଧର୍ମାବଲମ୍ବୀ, ସନାତନଧର୍ମୀ, ଗୋମାତା ସୁରକ୍ଷାକାରୀ ଅଂଶଗ୍ରହଣ କରିଥିଲେ। ମହାଅଧିବେଶନରେ ଗୋବର୍ଦ୍ଧନ ମଠର ଅନ୍ୟାନ୍ୟ ସାଧୁସନ୍ଥ ଓ ପୂଜା ସେବକମାନେ ଯୋଗ ଦେଇଥିଲେ।