ଦେଶର ୧୪ ଟାଇଗର ରିଜର୍ଭ ବିଶ୍ୱମାନର; ତାଲିକାରେ ନାହିଁ ଶିମିଳିପାଳ, ସାତକୋଶିଆ

ଭୁବନେଶ୍ବର : ଦେଶର ୧୪ ଟାଇଗର ରିଜର୍ଭ ବିଶ୍ବମାନର ବୋଲି ଚିହ୍ନଟ ହୋଇଛି। ମାତ୍ର ଏହି ତାଲିକାରେ ଓଡ଼ିଶାର କୌଣସି ଟାଇଗର ରିଜର୍ଭ ସ୍ଥାନ ପାଇ ନାହିଁ। ବାଘ ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ଆନ୍ତର୍ଜାତୀୟ ସଙ୍ଗଠନ ଗ୍ଲୋବାଲ ଟାଇଗର ଫୋରମ୍ (ଜିଟିଏଫ୍) ଓ ୱାର୍ଲ୍ଡ ୱାଇଲ୍ଡ ଲାଇଫ୍ ଫଣ୍ଡ ଇଣ୍ଡିଆର ମିଳିତ ଉଦ୍ୟମ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି।

ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ)ର ଅଂଶୀଦାର ଭାବେ ଉକ୍ତ ଦୁଇ ସଂସ୍ଥା ଟାଇଗର ରିଜର୍ଭରେ ବାଘ ସଂରକ୍ଷଣର ଗୁରୁତ୍ବ ଓ ସ୍ଥିତି, ପରିଚାଳନା, ସମ୍ପ୍ରଦାୟର ଅଂଶଗ୍ରହଣ, ପର୍ଯ୍ୟଟନ, ସୁରକ୍ଷା, ବାସସ୍ଥାନ ପରିଚାଳନା ଓ ବାଘ ସଂଖ୍ୟାକୁ ଆକଳନ କରି ଏଭଳି ରିପୋର୍ଟ ପ୍ରଦାନ କରିଛି। କନ୍‌ଭରଭେସନ ଆସିଓର୍ଡ ଆଣ୍ଡ ଟାଇଗର ଷ୍ଟାଣ୍ଡାର୍ଡ ଇଣ୍ଟରନ୍ୟାସନାଲ ଏକ୍ସ୍ୟୁକେଟିଭି କମିଟି ବୈଠକରେ ୧୪ଟିକୁ ବିଶ୍ବମାନର ‌ବୋଲି ଦର୍ଶାଯାଇଛି। ଏ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଟୁଇଟ୍‌ କରି ସୂଚନା ଦେବା ସହ ବାଘ ଦିବସରେ ଦେଶ ପାଇଁ ଖୁସି ଖବର ବୋଲି ଉଲ୍ଲେଖ କରିଛନ୍ତି। ଦେଶର ସମସ୍ତ ୫୧ଟି ଟାଇଗର ରିଜର୍ଭ ବିଶ୍ବମାନର ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ଭାରତର ୧୪ଟି ରିଜର୍ଭ ସମେତ ନେପାଳ, ଭୂଟାନ ଓ ରୁଷିଆର ଗୋଟିଏ ଲେଖାଏ ଟାଇଗର ରିଜର୍ଭକୁ ବିଶ୍ବମାନର ମାନ୍ୟତା ପ୍ରଦାନ କରାଯାଇଛି। ଦେଶର ୧୪ଟି ଟାଇଗର ରିଜର୍ଭଗୁଡ଼ିକ ହେଲା ଆସାମର ମାନସ, କାଜିରଙ୍ଗା, ଓରଙ୍ଗ, ପଶ୍ଚିମବଙ୍ଗର ସୁନ୍ଦରବନ, ବିହାରର ବାଲ୍‌ମିକି, ଉତ୍ତରପ୍ରଦେଶର ଦୁଦ୍ବା, ମଧ୍ୟପ୍ରଦେଶର ପାନ୍ନା, କାହ୍ନା, ସାତପୁଡ଼ା, ପେଞ୍ଚ, ତାମିଲନାଡ଼ୁର ଅନାମଲାଇ, ମୁଦୁମଲାଇ, କେରଳର ପରମ୍ବିକୁଲମ୍ ଓ କର୍ଣ୍ଣାଟକର ବାନ୍ଦିପୁର। ଓଡ଼ିଶାର କୌଣସି ଗୋଟିଏ ରିଜର୍ଭ ସ୍ଥାନ ପାଇ ନ ଥିବା ବେଳେ ଦେଶର ତିନିଟି ପ୍ରସିଦ୍ଧ ଟାଇଗର ରିଜର୍ଭ ଯଥା ବାନ୍ଧବଗଡ, କରବେଟ୍ ଓ ରଣଥାମ୍ବୋର ମଧ୍ୟ ତାଲିକାରେ ସ୍ଥାନ ପାଇ ନାହିଁ। ଏହି ୩ଟି ସ୍ଥାନକୁ ସର୍ବାଧିକ ପର୍ଯ୍ୟଟକ ଆସୁଥିବାରୁ ତାଲିକାରୁ ବାଦ୍‌ ପଡ଼ିଥିବା ଜଣାପଡ଼ିଛି।

ବିଶେଷଜ୍ଞଙ୍କ କହିବା କଥା ହେଉଛି ଶିମିଳିପାଳ ଓ ସାତକୋଶିଆ ଟାଇଗର ରିଜର୍ଭରେ ବାଘ ସୁରକ୍ଷିତ ନୁହଁନ୍ତି। ଏଠାରେ ବାଘ ବଂଶ ବୃଦ୍ଧି ସମ୍ଭବପର ନୁହେଁ। ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ଉପଯୋଗୀ ବି ହୋଇପାରି ନାହିଁ। ଯେଉଁଥିପାଇଁ ଆଜି ଦେଶର ୧୪ଟି ଟାଇଗର ରିଜର୍ଭକୁ ବିଶ୍ବମାନର ମାନ୍ୟତା ମିଳିଥିବା ବେଳେ ଏଥିରୁ ଓଡ଼ିଶାର ଦୁଇଟି ରିଜର୍ଭ ବାଦ୍‌ ପଡ଼ିଛି। ଗୋଟିଏ ପଟେ ରାଜ୍ୟର ଆଉ ଦୁଇଟି ଅଭୟାରଣ୍ୟକୁ ଟାଇଗର ରିଜର୍ଭ ମାନ୍ୟତା ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଆଉ ଅନ୍ୟପଟେ ଏଭଳି ଖବର ବ୍ୟାଘ୍ର ଦିବସରେ ନିରାଶା ଖେଳାଇ ଦେଇଛି। ବିଶ୍ବମାନର ମାନ୍ୟତା ଚୟନକୁ ନେଇ ପ୍ରଶ୍ନ ଉଠୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ବାଘ ବଂଶ ବୃଦ୍ଧି, ଲୋକଙ୍କୁ ଜଙ୍ଗଲ ସହ ଯୋଡ଼ିବା, ସାତକୋଶିଆ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ପୁଣିଥରେ କାର୍ଯ୍ୟକାରୀ କରାଯିବାର ଗୁରୁତ୍ବ ରହିଛି।

ସମ୍ବନ୍ଧିତ ଖବର