ଛତ୍ରପୁର : ଗଞ୍ଜାମରେ ଶିଳ୍ପର ବିକାଶ ପାଇଁ ବାଟ ଖୋଲୁଛି। ରାଜ୍ୟ ସରକାର ଏ ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଏଠାରେ ଦେଶର ପ୍ରଥମ ଇଲେକ୍ଟ୍ରୋନିକ୍ ସେମିକଣ୍ଡକ୍ଟର୍ ଚିପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ ଲକ୍ଷ କୋଟି ଟଙ୍କା ବିନିମୟରେ ଆଗାମୀ ୨ରୁ ୩ ବର୍ଷ ମଧ‌୍ୟରେ ଏହି ୟୁନିଟ୍ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ବ୍ରିଟେନ୍‌ର କନଗ୍ଲୋମେରେଟ୍ ଏସ୍‌ଆରଏମ୍ ଏବଂ ଏମଆରଏଏମ୍ ଟେକ୍ନୋଲଜିଜ୍ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ଚୁକ୍ତିପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି।

Advertisment

ଏହି ୟୁନିଟ୍ ପ୍ରତିଷ୍ଠା ହେଲେ ଓଡ଼ିଶା ସମେତ ସମଗ୍ର ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ। ଏହା ରାଷ୍ଟ୍ର ନିର୍ମାଣ ଓ ସେମିକଣ୍ଡକ୍ଟର୍ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ। ସ୍ମାର୍ଟଫୋନ୍, ଟିଭି, କମ୍ପ୍ୟୁଟର, ଲାପ୍‌ଟପ୍, ଶୀତତାପନିୟନ୍ତ୍ରିତ ଯନ୍ତ୍ର ଓ ଏଟିଏମ୍ ଆଦି ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକ ପଡ଼ୁଥିବା ସେମିକଣ୍ତକ୍ଟର୍ ଚିପ୍ ଉତ୍ପାଦିତ ହୋଇପାରିବ। ସେମିକଣ୍ତକ୍ଟର ଫ୍ୟାବ୍ ପ୍ରୋଜେକ୍ଟ୍ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ ସ୍ବାକ୍ଷରିତ କରିଥିବା ଏସଆରଏଏମ୍ ଏବଂ ଏମଆରଏଏମ୍ ଟେକ୍ନୋଲଜି ସଂସ୍ଥା ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କା ବିନିଯୋଗ କରିବ। ୟୁନିଟ୍ ପ୍ରତିଷ୍ଠା ପାଇଁ ସଂସ୍ଥା ପକ୍ଷରୁ ନିତୀନ୍‌ ଗୁପ୍ତାଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ଶ୍ରୀ ଗୁପ୍ତାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି। ୟୁନିଟ୍ ପ୍ରତିଷ୍ଠା ଲାଗି ଆବଶ୍ୟକ ଜମି, ପାଣି ଏବଂ ବିଦ୍ୟୁତ୍ ସମେତ ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ସଂକ୍ରାନ୍ତରେ ଜିଲ୍ଲାପାଳଙ୍କଠୁ ତଥ୍ୟ ସଂଗ୍ରହ କରିଥିଲେ। ଜିଲ୍ଲାପାଳଙ୍କ ଅଫିସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବିଦ୍ୟୁତ୍ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚନ୍ଦନ କୁମାର ଦାଶ, ଛତ୍ରପୁର ନିର୍ବାହୀଯନ୍ତ୍ରୀ ସୁଦର୍ଶନ ବେହେରା, ଟାଟା ଏସ୍‌ଇଜେଡ୍, ଗୋପାଳପୁର ବନ୍ଦରର କର୍ତ୍ତୃପକ୍ଷ, ଡିଆଇସି ଜିଏମ୍ ଲୋକନାଥ ଦଳବେହେରା, ପ୍ରଦୂଷଣ ବୋର୍ଡ଼ର ଆ‌ଞ୍ଚଳିକ ଅଧିକାରୀ, ଓଡ଼ିଶା ଜୀବିକା ମିସନ୍ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନବୀନ ସେନାପତି ଓ ମିସନ୍ ଶକ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶାଶ୍ବତ କୁମାର ସାହୁଙ୍କ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।