ଭୁବନେଶ୍ବର: ଓଡ଼ିଶାରେ ନିର୍ମାଣ ଚାଲିଛି ଦେଶର ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ। ଆସାମର ବୋଜିବିଲ୍ ବ୍ରିଜ୍ ପରେ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନରେ ଏହି ସେତୁ ନିର୍ମାଣ ହେଉଥିବା ଭାରତୀୟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳ ପ୍ରକଳ୍ପ ଅନ୍ତର୍ଗତ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ନିର୍ମାଣାଧୀନ ଏହି ସେତୁର ଲମ୍ବ ୪.୭୭ କିଲୋମିଟର ରହିଛି। ୧୮୨ ସ୍ପାନ୍ ସହ ନିର୍ମାଣ ହେଉଥିବା ଏହି ସେତୁର ଖୁଣ୍ଟଗୁଡ଼ିକ ବେଶ ସୁଦୃଢ଼ ହୋଇଛି। ୮ ମିଟରରୁ ଆରମ୍ଭ କରି ସର୍ବାଧିକ ୨୬.୩ ମିଟର ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ଖୁଣ୍ଟ ନିର୍ମାଣ ହେଉଛି। ଏବେ ସୁଦ୍ଧା ୯୮ଟି ଖୁଣ୍ଟର ଭିତ୍ତିଭୂମି ପଡ଼ିଥିବା ବେଳେ ୬୨ଟି ବେଡ୍ ବ୍ଲକ୍ ସହ ୪୧ଟି ସ୍ପାନ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଭିତରେ ନିର୍ମାଣ ଚାଲିଛି
ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ପ୍ରକଳ୍ପ ମଧ୍ୟରେ ରହିଛି
ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନର ମୋଟ ୩୦୧ କିମି ରେଳ ସେକ୍ସନ୍ ମଧ୍ୟରୁ ୨୪୦ କିମି ସମ୍ପୂର୍ଣ୍ଣ ହେବା ସହ ଟ୍ରେନ୍ ପରିଚାଳନା ପାଇଁ ଉପଯୁକ୍ତ ହୋଇଛି। ଖୋର୍ଦ୍ଧାରୋଡ୍ରୁ ଦଶପଲ୍ଲା ମଧ୍ୟରେ ୧୦୬ କିମି ଏବଂ ବଲାଙ୍ଗୀରରୁ ପୁରୁଣାକଟକ ମଧ୍ୟରେ ୧୨୦ କିମି କାର୍ଯ୍ୟକ୍ଷମ ହୋଇଛି। ପୁରୁଣାକଟକରୁ ଆଢ଼େନିଗଡ଼ ପର୍ଯ୍ୟନ୍ତ ୭୫ କିମି କାମ ବାକି ରହିଛି। ଯେଉଁଥିରେ ଅଧିକାଂଶ ଅଞ୍ଚଳ ପର୍ବତମାଳା ଓ ଘଞ୍ଚ ଜଙ୍ଗଲ ରହିଛି। ବାଣୀଗୋଚ୍ଛାରୁ ଅଢେଣିଗଡ଼ ମଧ୍ୟରେ ପରିବେଶ ସନ୍ତୁଳନ ରକ୍ଷା କରି ଏହି ସେତୁ ନିର୍ମାଣ ଓ ପ୍ରକଳ୍ପ ମଧ୍ୟରେ ୭ଟି ସୁଡ଼ଙ୍ଗ ନିର୍ମାଣ ବଡ଼ ଆହ୍ବାନ ଭାବେ ଉଭା ହୋଇଥିଲା। ତେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରେଳ ଅଧିକାରୀମାନଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ କାର୍ଯ୍ୟଶୈଳୀ ଦ୍ବାରା ଆଜି ଓଡ଼ିଶାବାସୀଙ୍କ ତିନି ଦଶନ୍ଧିର ସ୍ବପ୍ନ ସାକାର ହେବାକୁ ଯାଉଛି। ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଥିବା ଏହି ଅଞ୍ଚଳରେ ସେତୁ ନିର୍ମାଣ ପର୍ଯ୍ୟଟନ ଶିଳ୍ପକୁ ସମ୍ପୃଦ୍ଧି କରିବାରେ ବେଶ ସହାୟକ ହେବ। ରେଳ ଯାତ୍ରା ସମୟରେ ଯାତ୍ରୀମାନେ ଟ୍ରେନ୍ ଭିତରୁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଅନୁଭବ କରିବେ। କାରଣ ଏହି ସେତୁର ଗୋଟିଏ ପାର୍ଶ୍ବରେ ପାହାଡ଼ ରହିଛି।
ଆଉ ଅପରପାର୍ଶ୍ବରେ ବୃତ୍ତଙ୍ଗ ନଦୀ ଉପରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ମଞ୍ଜାରୀ ଗାଁର ମାଈ ଓ ଢାବଲଦେଇ ପାହାଡ଼କୁ ସଂଯୋଗ କରି ନିର୍ମାଣ ହେବାକୁ ଥିବା ଏହି ଜଳଭଣ୍ଡାର ଦ୍ବାରା ନୟାଗଡ଼ବାସୀଙ୍କ ୪ ଦଶନ୍ଧିର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ୨୦୨୪ ଜୁଲାଇରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମତି ମିଳିଥିଲା। ଏହାପରେ ଜଳସେଚନ ପ୍ରକଳ୍ପ କାମ ଆଗେଇ ନେବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଭାରତୀୟ ରେଳବାଇ ପକ୍ଷରୁ ଅନୁରୂପ ଭାବେ ପଦକ୍ଷେପ ନିଆଯାଇଛି। ଜଳଭଣ୍ଡାର ଭିତରେ ଯେହେତୁ ଏହି ସେତୁ ରହିବ ତାହାକୁ ନଜରରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ସହ ନିୟମିତ ବୈଠକ କରାଯାଇ ରେଳବାଇ ପକ୍ଷରୁ ରୂପରେଖ ପ୍ରସ୍ତୁତ ହୋଇଛି। ପ୍ରତିକୂଳ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ଇଞ୍ଜିନିୟରମାନଙ୍କ ଦ୍ବାରା ଚାଲିଥିବା କାର୍ଯ୍ୟ ବେଶ ଆଖିଦୃଶିଆ ହୋଇଛି। ସେତୁର ଖୁଣ୍ଟଗୁଡ଼ିକ ଉନ୍ନତମାନର ହୋଇଛି। ଘଣ୍ଟା ପ୍ରତି ୧୬୦ କିମି ବେଗରେ ଟ୍ରେନ୍ ଗଡ଼ିବା ଭଳି ଭିତ୍ତିଭୂମି ରହିଛି। ତେବେ ନିୟମିତ ଭାବେ ଟ୍ରେନ୍ଗୁଡ଼ିକ ଶହେ କିମି ବେଗରେ ଯାଉଥିବାରୁ ସେଥିପ୍ରତି ଗୁରୁତ୍ବ ଦିଆଯାଇଥିବା ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି କହିଛନ୍ତି। ସୂଚନା ଅନୁଯାୟୀ ଆସାମର ବୋଜିବିଲ୍ ବ୍ରିଜ୍ ଦେଶର ସବୁଠାରୁ ଦୀର୍ଘତମ ରେଳ ସେତୁ ମାନ୍ୟତା ହାସଲ କରିଛି। ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଏହି ସେତୁ ତିନିସୁକିଆଠାରୁ ନହରଲାଗୁନ୍କୁ ସଂଯୋଗ କରୁଛି।