ଯୁବକଙ୍କୁ ପିଟି ହତ୍ୟା‌ ପରେ ପୋତିଦେଲେ ଦମ୍ପତି: କାଜୁ ବଗିଚାରୁ ମାଟିତଳୁ ବାହାରିଲା ଶବ

ଅଭିଯୁକ୍ତ ଗିରଫ, ଲୁହାରଡ଼୍ ଜବତ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରାଉତି ପଞ୍ଚାୟତ ଅଧୀନ ମଳିଙ୍ଗି ଗ୍ରାମ ଗୁଡ଼ିତୋଟା କାଜୁ ବଗିଚା ଭିତରୁ ଆଜି ଜଣେ ନିଖୋଜ ଯୁବକଙ୍କ ଶବକୁ ଗାତ ଭିତରୁ ଉଦ୍ଧାର କରାଯାଇଛି। ମୃତକଜଣକ ହେଲେ, କୁମ୍ପାପଡ଼ା ପଞ୍ଚାୟତ ସୁଗୁମୁ ଗ୍ରାମର ଯୋଗେନ୍ଦ୍ର ନାଇକଙ୍କ ପୁଅ ମାଧବ (୧୯)। ମାଧବ ଗତ ୭ ତାରିଖରୁ ନିଖୋଜ ଥିଲେ। ତେବେ ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ପୁଲିସ ଅଭିଯୁକ୍ତ ସୁଗୁମୁ ଗ୍ରାମର ରମେଶ ନାଇକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ଠାରୁ ଲୁହାରଡ଼୍ ଓ ଶାବଳ ଜବତ ହୋଇଛି।

ରମେଶ ନିଜ ଦୋଷ ସ୍ବୀକାର କରି କହିଛି, ମାଧବ ତା’ର ପତ୍ନୀକୁ ଖରାପ ନଜରରେ ଦେଖିବା ସହ ତା’ ଘରୁ କିଛି ସୁନା ଅଳଙ୍କାର ଚୋରି କରି ନେଇଯାଇଥିଲା। ଚୋରି ଘଟଣା ବିଷୟରେ ପଚାରିବାରୁ ତାକୁ ଓ ପତ୍ନୀକୁ ମାରିଦେବାକୁ ଧମକ ଦେଇଥିଲା। ଫଳରେ ମାଧବକୁ ସେ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା। ଗତ ୭ ତାରିଖ ୧୧ଟାରେ ମାଧବଙ୍କୁ ରମେଶ ତାଙ୍କୁ ଘରୁ ମଦ ପିଇବା ପାଇଁ ଡାକିଥିଲା। ମଳିଙ୍ଗି ଗ୍ରାମ ଗୁଡ଼ିତୋଟା କାଜୁ ବଗିଚାକୁ ନେଇ ମାଧବଙ୍କୁ ମଦ ପିଆଇବା ସହ ସାଙ୍ଗରେ ଆଣିଥିବା ଏକ ଲୁହାରଡ଼୍‌ରେ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲା। ରାତିରେ ପତ୍ନୀ ରେବତୀ ସହ ଶାବଳ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା। ଦମ୍ପତି ସେଠାରେ ମିଶି ଏକ ବିରାଟ ଗାତ ଖୋଳି ମାଧବଙ୍କ ଶବକୁ ପୋତି ଦେଇ ପଳାଇଥିଲେ। ସେପଟେ ମାଧବ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ବ୍ୟସ୍ତବିବ୍ରତ ହୋଇ ଉଠିଥିଲେ। ପଚରାଉଚରା ପରେ ରମେଶ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲା। ଏହାସହ ବନ୍ଧୁବାନ୍ଧବଙ୍କୁ ଯୋଗାଯୋଗ କରାଯାଇଥିଲେ ବି ମାଧବଙ୍କ କୌଣସି ଖୋଜ୍‌ଖବର ମିଳି ନଥିଲା। ଶେଷରେ ଗତକାଲି ପୁଅ ନିଖୋଜ ଥିବା ସଂକ୍ରାନ୍ତରେ ବାପା ଯୋଗେନ୍ଦ୍ର ଜଗନ୍ନାଥପ୍ରସାଦ ଥାନାରେ ଗତକାଲି ଏତଲା ଦେଇଥିଲେ।

ଗତକାଲି ସନ୍ଧ୍ୟାରେ ପୁଲିସ ରମେଶକୁ ତା’ର ଘରକୁ ଉଠାଇ ଆଣି ପଚରାଉଚରା କରିବା ପରେ ସେ ମାଧବଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲା। ୧୨ କିଲୋମିଟର ଦୂର କାଜୁ ବଗିଚାରେ ଶବକୁ ପୋତିଥିବା କହିବା ସହ ଗାତକୁ ଦେଖାଇଥିଲା। ତେବ‌େ ରାତି ଅଧିକ ହୋଇଯିବାରୁ ଗାତ ଖୋଳାଯାଇ ପାରି ନଥିଲା। ଆଜି ସକାଳୁ ତହସିଲଦାର ତଥା ମାଜିଷ୍ଟେଟ୍ ମନୋଜ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ଏସଆଇ ସୁଶାନ୍ତ କୁମାର ପ୍ରଧାନ, ଭାଗୀରଥି ନାୟକ ଓ ଓମ୍‌ପ୍ରକାଶ ପାତ୍ର ମୃତକଙ୍କ ପରିବାରଙ୍କ ସହାୟତାରେ ମାଧବଙ୍କ ଗଳିତ ଶବକୁ ମାଟି ତୋଳୁ ଖୋଳି ବାହାର କରିଥିଲେ। ଶବକୁ ପରିବାରବର୍ଗ ଚିହ୍ନଟ କରିବା ପରେ କେସ୍ ନମ୍ବର ୩୭୭ ଅନୁସାରେ ହତ୍ୟା ମାମଲା ରୁଜୁ ସହ ଅଭିଯୁକ୍ତ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଭଞ୍ଜନଗରଏସଡିପିଓ ସୁଧାଂଶୁ ଶେଖର ମିଶ୍ର
ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଶବକୁ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଯାଇଛି। ତେବେ ଏଥିରେ ଆଉ କିଏ ସଂପୃକ୍ତ ଅଛି କି ନାହିଁ, ଏନେଇ ଅଧିକ ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧିତ ଖବର