ପାଟଣାଗଡ଼: କେସିଙ୍ଗା-ଟିଟିଲାଗଡ଼ ରେଳ ଷ୍ଟେସନ ମଧ୍ୟରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଉଦ୍ଧାର କରିଥିବା ଦମ୍ପତି ତାକୁ ନିଜ ପାଖରେ ରଖିବାକୁ ଚାହୁଥିଲେ ମଧ୍ୟ ଚାଇଲ୍‌ଡଲାଇନ୍ ସେମାନଙ୍କଠାରୁ ନେଇଯାଇଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଫଟାମୁଣ୍ଡା ପଞ୍ଚାୟତ ଠେଲକୋଛାପର ଗାଁର ସୁଶୀଳ ଦୀପ ଓ ବାସନ୍ତୀ ଦୀପ ପରିବାର ସହ ସିକନ୍ଦରାବାଦକୁ ଦାଦନ ଖଟି ଯାଇଥିଲେ। ବୁଧବାର ସେଠାରୁ ଟ୍ରେନ୍‌ ଯୋଗ‌େ ନିଜ ଗାଁକୁ ଫେରୁଥିଲେ। କେସିଙ୍ଗା ଓ ଟିଟିଲାଗଡ଼ ରେଳ ଷ୍ଟେସନ ମଝିରେ ଏକ ନବଜାତ ଶିଶୁପୁତ୍ରକୁ ଟ୍ରେନ୍‌ ଭିତରେ କେହି ଛାଡ଼ି ଦେଇଥିବା ସେମାନେ ଦେଖିବାକୁ ପାଇଥିଲେ।

Advertisment

ଶିଶୁପୁତ୍ରଟିକୁ ଗୋଟିଏ ଦିନ ହୋଇଥିବା ଜଣାପଡୁଥିଲା। କେହି ଦମ୍ପତି ତାକୁ ‌ଛାଡ଼ି ଚାଲିଯାଇଥିବା ଅନୁମାନ କରାଯାଉଥିଲା। ଶିଶୁପୁତ୍ରକୁ ଉଦ୍ଧାର କରି ସେମାନେ ନିଜ ଗାଁ ଠେଲକୋଛାପରରେ ପହଞ୍ଚିଥିଲେ। ଗାଁର ଆଶାକର୍ମୀ ବୈଦେହୀ ଭୋଇଙ୍କୁ ଏ ବିଷୟରେ ଜଣାଇଥିଲେ। ଆଶାକର୍ମୀଙ୍କଠାରୁ ସୂଚନା ପାଇ ଫଟାମୁଣ୍ଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ସ୍ବାସ୍ଥ୍ୟକର୍ମୀ ତାଙ୍କ ଘରକୁ ଯାଇ ଶିଶୁପୁତ୍ରର ଚିକିତ୍ସା କରିବା ସହିତ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗ‌େ ଘସିଏନ ସିଏଚ୍‌ସିକୁ ନେଇଥିଲେ। ସେଠାରେ ତା’ର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡାକ୍ତର ପରୀକ୍ଷା କରି ଜାଣି ପାରିଥିଲେ। ଖବର ପାଇ ଘସିଏନ୍‌ ସିଏଚ୍‌ସିକୁ ପୁଲିସ ଓ ଚାଇଲ୍‌ଡଲାଇନ କର୍ମକର୍ତ୍ତା ପହଞ୍ଚି ଶିଶୁପୁତ୍ରକୁ ବଲାଙ୍ଗୀର ନେଇଥିଲେ। ଫଳରେ ଉଦ୍ଧାର କରିଥିବା ଦମ୍ପତି ମନଦୁଖ କରିଥିବା ଜଣାପଡ଼ିଛି।