ମାଲକାନଗିରି(ପ୍ରେମେନ୍ଦ୍ର ପରିଛା): ପୂର୍ବ ଭଳି ଆଉ ଜନସମର୍ଥନ ମିଳୁନାହିଁ। ତେଣୁ ମାଲକାନଗିରି ଜିଲ୍ଲାରେ ପତିଆରା କମିଗଲାଣି। ସ୍ବାଭିମାନ ଅଂଚଳରେ ସଂଗଠନ ଦୁର୍ବଳ ହୋଇସାରିଛି। ନୂଆ ସଦସ୍ୟ ପାର୍ଟିକୁ ଆସୁନାହାନ୍ତି। ପୁଲିସ ଓ ବିଏସ୍ଏଫ୍ର ଘନ ଘନ ଚଢ଼ଉ ଚିନ୍ତାକୁ ବଢ଼ାଇ ଦେଇଛି। ଆତ୍ମସମର୍ପଣ ପରେ ‘ସମ୍ବାଦ’କୁ ଏମିତି କହିଛନ୍ତି ମାଓ ପ୍ରେମୀଯୁଗଳ କାନ୍ନା ଓ ରାକ୍କେ।
ଗୁରୁପ୍ରିୟା ସେତୁ ନକ୍ସଲ ସଂଗଠନ ଭୁଶୁଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏବେ ସ୍ବାଭିମାନ ଅଞ୍ଚଳରେ ହାତଗଣତି ସଦସ୍ୟ ରହିଛନ୍ତି। ଗୋଟିଏ ଗୋଷ୍ଠୀ ସୁରେଶ ଏବଂ ଅନ୍ୟ ଗୋଷ୍ଠୀ କ୍ରିଷ୍ଣା ଦ୍ବାରା ପରିଚାଳିତ। ଦୁଇ ଦଳରେ ମାତ୍ର ୧୦ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ମାଓ କମାଣ୍ଡର ରଣଦେବର ଗୋଷ୍ଠୀ ଆଉ ନାହିଁ। ରଣଦେବ ଏବେ ସେଣ୍ଟ୍ରାଲ କମିଟି ସଦସ୍ୟ ରାମକ୍ରିଷ୍ଣା ସହ ବୁଲୁଛି। ପୁଲିସ ଏବଂ ବିଏସ୍ଏଫ୍ ସ୍ବାଭିମାନ ଅଂଚଳକୁ କବ୍ଜାକୁ ନେବାପରେ କ୍ୟାଡର ମାଓବାଦୀ ଛତିଶଗଡ଼ରେ ଆତ୍ମଗୋପନ କରିଛନ୍ତି ବୋଲି କାନ୍ନା ମାଢ଼ି କହିଛନ୍ତି। ମାତ୍ର ୧୪ବର୍ଷ ବୟସରେ ସେ କାଲିମେଳା ଦଲମର କମାଣ୍ଡର ସୁକଦେବର ଡାକରାରେ ପାର୍ଟିରେ ଯୋଗ ଦେଇଥିଲା। ଏହା ପୂର୍ବରୁ ବଡ଼ଭାଇ ଏବଂ ଭଉଣୀ ମଧ୍ୟ ସଂଗଠନରେ ରହି ଖ୍ୟାତି ଅର୍ଜନ କରିଥିଲେ। ମିଲିସିଆରୁ କାମ ଆରମ୍ଭ କରି କାନ୍ନା ଏସିଏମ୍ କ୍ୟାଡର ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। କାଲିମେଳାର ସିନ୍ଧିପୁଟଠାରେ ପୁଲିସ ସହ ଗୁଳି ବିନିମୟ ପରେ ସେ ଇଷ୍ଟ୍ ଡିଭିଜନକୁ ଚାଲି ଯାଇଥିଲା। ୨୦୧୯ରେ ସ୍ବାଭିମାନ ଅଂଚଳକୁ ବଦଳି ହୋଇ ଆସିଥିଲା। ସ୍ବାଭିମାନ ଅଂଚଳରେ ମାଓ କମାଣ୍ଡର ସୁରେଶର ଗ୍ରୁପର ସଦସ୍ୟ ହୋଇ ରହିଲା। ସେଠାରେ ହିଁ ଲାକ୍କେ ପୁନମ ସହ ପ୍ରଥମ ଦେଖା ହୋଇଥିଲା। ଆଉ ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ି ଯାଇଥିଲେ। କିନ୍ତୁ କାହାକୁ କିଛି କହିନଥିଲେ। ତେବେ ଜଙ୍ଗଲରେ ଲୁଚିଛପି ବୁଲିବା ଭିତରେ ଦିନେ କାନ୍ନା ସାହସ ଜୁଟାଇ ଲାକ୍କେ ପାଖରେ ପହଞ୍ଚି ପ୍ରେମ ନିବେଦନ କରିଥିଲା।
କିନ୍ତୁ ଏହାପରେ ବଦଳି ଯାଇଥିଲା ଉଭୟଙ୍କ ଜୀବନ। କାରଣ ଦୁହିଁଙ୍କର ପ୍ରେମକୁ ସଂଗଠନ କୌଣସି ପରିସ୍ଥିତିରେ ବି ସ୍ବୀକୃତି ଦେବ ନାହିଁ ବୋଲି ଭଲ ରୂପେ ଜାଣିଥିଲେ। ସଂଗଠନର ଦଣ୍ଡ ଭୟ ମନରେ ରହିଥିବାରୁ ଲୁଚାଛପାରେ ଚାଲିଥିଲା ପ୍ରେମ। ତେବେ କୋଣ୍ଡାଯାତ୍ରାରେ ଯାହା ଘଟିଲା ଉଭୟଙ୍କୁ ଅଧିକ ଆତଙ୍କିତ କରିଥିଲା। ଯାତ୍ରାରେ ପୁଲିସ ସହ ଗୁଳି ବିନିମୟରେ କାନ୍ନା ପେଟରେ ଗୁଳି ବାଜିଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ପରେ ସେ ସୁସ୍ଥ ହେଲା ସତ କିନ୍ତୁ ସଂଗଠନ ପ୍ରତି ପୂର୍ବରୁ ରହିଥିବା ଆକର୍ଷଣ ତୁଟିବା ଆରମ୍ଭ ହୋଇଥିଲା। ସଂଗଠନରେ ପୂର୍ବ ଭଳି ଆଉ ନୂଆ ସଦସ୍ୟ ଭର୍ତ୍ତି ହେଉ ନଥିଲେ। ଅନ୍ୟପଟେ ପୁଲିସ ଏବଂ ବିଏସ୍ଏଫ୍ ଯୋଡ଼ାମ୍ବ ପର୍ଯ୍ୟନ୍ତ ମାଡ଼ି ଆସିଥିଲେ। ଥରେ ଗୋରାସେତୁ ଏବଂ ଯନ୍ତ୍ରୀ ପହଞ୍ଚିଗଲେ ମୃତ୍ୟୁ ନିଶ୍ଚିତ। ଏମିତି ସ୍ଥିତିରେ ଆତ୍ମସମର୍ପଣ ହିଁ ଗୋଟିଏ ବିକଳ୍ପ ସେମାନଙ୍କ ନିକଟରେ ରହିଥିଲା।
ସେମାନେ ଆହୁରି କହିଥିଲେ ଯେ, ସଂଗଠନରେ ବେଣୁ ବୋଲି କେହି ସଂପାଦକ ନାହାନ୍ତି। ୫ଦିନ ତଳେ କାନ୍ନା ଏବଂ ଲାକ୍କେ ନାମରେ ଗଣମାଧ୍ୟମକୁ ଦେଇଥିବା ଚିଠିରେ ସଂପାଦକ ବେଣୁ ଲେଖାଥିବା ନେଇ ପଚାରିବାରୁ ଚିଠି ହୁଏତ ରଣଦେବ ନଚେତ କ୍ରିଷ୍ଣା ଲେଖିଥିବା ପ୍ରକାଶ କରିଥିଲେ। ସେହିପରି ସଂଗଠନରେ ଆନ୍ଧ୍ର କ୍ୟାଡରଙ୍କ ଦବଦବା, ନିର୍ଯାତନା ଏବଂ ମାନସିକ ଚାପ ବଢ଼ାଉଥିବାରୁ ଆଗକୁ ମଧ୍ୟ ବହୁ ସାଥୀ ମୁଖ୍ୟସ୍ରୋତକୁ ଫେରିବେ। ଏହାପଛର ପ୍ରମୁଖ କାରଣ ହେଲା ସଂଗଠନ କୌଣସି ଆଦର୍ଶ ଓ ଲକ୍ଷ୍ୟ ନେଇ ଏବେ କାମ କରୁନାହିଁ। ଲୋକେ ଏବେ ନକ୍ସଲ କହିଲେ ରାଗି ଯାଉଛନ୍ତି। ପୁଲିସ ଗୁଳିରୁ ବଂଚିଗଲେ ମଧ୍ୟ ଗ୍ରାମବାସୀ କବଳରେ ପଡ଼ିଲେ ମାରିଦେବେ। ଅଳ୍ପ ବୟସରେ ସେମାନେ ଯେଉଁ ଭୁଲ କରିଥିଲେ ସେଥିପାଇଁ ପଶ୍ଚାତାପ କରୁଛନ୍ତି। ସଂଗଠନରେ ରହିବା ସମୟରେ ରାତିରେ ଶୋଇ ପାରୁ ନଥିଲେ। ଦିନରେ ଲକ୍ଷ୍ୟହୀନ ଭାବେ ମାଇଲ ମାଇଲ ବାଟ ଚାଲିବାକୁ ପଡ଼ୁଥିଲା। ସଂଗଠନ ପାଇଁ ଖାଦ୍ୟ ଅଭାବ ମଧ୍ୟ ଲାଗି ରହିଛି। କେବଳ ବୈଠକ ଦିନ ହିଁ ଗୋରୁ ମାରି ଭୋଜି ହୋଇଥାଏ। ବାକି ଦିନ ଶୁଖିଲା ଖାଦ୍ୟ ଦିଆଯାଉଛି। ତେଣୁ ସଂଗଠନ ତିଷ୍ଠିବା କଷ୍ଟକର। ସଂଗଠନକୁ ଭୁଶୁଡ଼ିବା ପାଇଁ ଆଉ ବେଶୀ ଦିନ ଲାଗିବ ନାହିଁ। ଏମିତି ଘଡ଼ିସନ୍ଧି ସମୟରେ ମୁଖ୍ୟସ୍ରୋତରେ ସାମିଲ ହୋଇ ସେମାନେ ବହୁତ ଖୁସି ବୋଲି ଦୁହେଁ ସ୍ବୀକାର କରିଛନ୍ତି। ଜଂଗଲରେ ଚାଲି ଚାଲି ନୟାନ୍ତ ହୋଇସାରିଥିଲୁ। ବାକି ଜୀବନ ସୁଖରେ କଟାଇବୁ। ମୁଖ୍ୟସ୍ରୋତରେ ରହି ଲୋକଙ୍କ ସମସ୍ୟାକୁ ସମାଧାନ କରିବୁ ବୋଲି କହିଥିଲେ। ପ୍ରଶାସନ ତରଫରୁ ଏତେ ସହଯୋଗ ମିଳିବ ବୋଲି ଆମେ ଜାଣିନଥିଲୁ। ବିଳମ୍ବରେ ହେଲେ ମଧ୍ୟ ନିଜ ଭୁଲକୁ ବୁଝିପାରିଛୁ। ଆଗକୁ ବିବାହ କରି ସୁଖ ସ୍ବଚ୍ଛନ୍ଦରେ ରହିବେ ବୋଲି ଦୁହେଁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sfsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfh.jpg)