ବୋହୂକୁ ନିର୍ଯାତନା ଓ ପୁଅକୁ ଅପହରଣ ଅଭିଯୋଗରେ ଦମ୍ପତି ଗିରଫ

ବେତନଟୀ: ବେତନଟୀ ଥାନା ଅଧୀନ ଛୋଟରାୟପୁର ଗ୍ରାମର ବାଇଧର ସିଂ ଓ ତାଙ୍କ ପତ୍ନୀ ଅବନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେତନଟୀ ପୁଲିସ। ସେମାନେ ନିଜ ବୋହୂକୁ ନିର୍ଯାତନା ଦେବାସହ ‌ପୁଅ-ବୋହୂଙ୍କୁ ଅଲଗା କରିବାକୁ ଚକ୍ରାନ୍ତ କରି ପୁଅକୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ମୁତାବକ ବାଇଧରଙ୍କ ପୁଅ ମୃତ୍ୟୁଞ୍ଜୟ ସେହି ଗ୍ରାମର ହାଡ଼ିବନ୍ଧୁ ସିଂଙ୍କ ଝିଅ ରୀତାଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ମୃତ୍ୟୁଞ୍ଜୟଙ୍କ ଘର ଲୋକେ ଏହାକୁ ବିରୋଧ କରିବା ସହ ରୀତାଙ୍କୁ କୁଆଡ଼େ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ମୃତ୍ୟୁଞ୍ଜୟ ଓ ରୀତା ବେତନଟୀ ରେଳ ଷ୍ଟେସନ ନିକଟରେ ବସିଥିବା ବେଳେ ହଠାତ୍‌ ଅଜା ଶ୍ବଶୁର ନେପୋଲିୟନ ମହାନ୍ତ ପହଞ୍ଚି ମୃତ୍ୟୁଞ୍ଜୟଙ୍କୁ ବଳପୂର୍ବକ ଅପହରଣ କରି ନେଇଥିବାର ରୀତା ଥାନାରେ ଅଭିଯୋଗ କରିଥିଲେ। ଅପହରଣ ପଛରେ ତାଙ୍କ ଶଶୂ, ଶ୍ବଶୁରଙ୍କ ହାତଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ବେତନଟୀ ପୁଲିସ କେସ୍‌ ନଂ ୯୨/୨୦୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶ୍ବଶୁର ବାଇଧର ଓ ଶାଶୂ ଅବନୀଙ୍କୁ ଗିରଫ କରିଛି। ହେଲେ ମୃତ୍ୟୁଞ୍ଜୟ ଓ ତାଙ୍କ ଅଜାଙ୍କର ଏଯାଏ ପତ୍ତା ମିଳିନି।

ସମ୍ବନ୍ଧିତ ଖବର