ଭୁବନେଶ୍ବର: ଖଣ୍ଡଗିରି ଘାଟିକିଆରେ ଅନ୍ତୁଡ଼ିଶାଳରେ ୩ ଦିନର ଶିଶୁକନ୍ୟାକୁ ଧରି ଶୋଇଥିବା ପତ୍ନୀଙ୍କୁ ଛୁରି ଭୁସି ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ଆସାମୀ ସଞ୍ଜିତ ଦାଶକୁ ଫାଶୀ ଦଣ୍ଡାଦେଶ ହୋଇଛି। ଗୁରୁବାର ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ବନ୍ଦନା କର ଏହି ମାମଲାକୁ ବିରଳତମ ହତ୍ୟାକାଣ୍ଡ ଭାବେ ବିବେଚିତ କରି ନୃଶଂସ ସ୍ବାମୀ ସଞ୍ଜିତକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଆସାମୀକୁ ଫାଶୀ ଖୁଣ୍ଟରେ ଝୁଲାଇ ରଖିବାକୁ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିବା ପରେ କଲମ ନିବ୍‌ ଭାଙ୍ଗି ଦେଇଛନ୍ତି। ଅନ୍ତୁଡ଼ିଶାଳରେ ପ୍ରସୂତିଙ୍କୁ ହତ୍ୟା କରିବା ସହିତ ୬ ବର୍ଷର ଝିଅକୁ ତଣ୍ଟିକାଟି ହତ୍ୟା ଉଦ୍ୟମ କରିବା ଭଳି ଘଟଣା ବିରଳତମ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ନରପିଶାଚ ସଞ୍ଜିତ ପାଇଁ ୨ ଶିଶୁକନ୍ୟାଙ୍କ ସମେତ ତିନି ତିନିଟି ଜୀବନ ବିପଦରେ ପଡ଼ିଥିଲା।

Advertisment

୨୦୨୨ ଜୁନ୍‌ ୯ରେ ଘଟିଥିବା ଏହି ବୀଭତ୍ସ ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ଖଣ୍ଡଗିରି ଥାନା ପୁଲିସ ଗୁରୁତ୍ବର ସହ ନେଇଥିଲା। ଦଫା ୩୦୨, ୩୦୭, ୩୨୬ରେ ପୁଲିସ ମାମଲା ରୁଜୁ କରିବା ପରେ ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରି ତୁରନ୍ତ ଦୃଢ଼ ଚାର୍ଜସିଟ୍‌ ଦାଖଲ କରିଥିଲା। ପୁଲିସ ପକ୍ଷରୁ କୋର୍ଟଙ୍କୁ ୧୫ ଜଣ ସାକ୍ଷୀ ଓ ୧୮ ଦସ୍ତାବିଜ ଯୋଗାଇ ଦିଆଯାଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ଫିଙ୍ଗର୍‌ ପ୍ରିଣ୍ଟ୍‌, ରକ୍ତଭିଜା ପୋଷାକପତ୍ରର ଫୋରେନ୍‌ସିକ୍‌ ରିପୋର୍ଟ ଭଳି ସମସ୍ତ ପ୍ରମାଣ ଯୋଗାଡ଼ କରିବାରେ ପୁଲିସ ଲାଗିପଡ଼ିଥିଲା। ତଦନ୍ତର କୌଣସି କଡ଼ି ପୁଲିସ ଛାଡ଼ିନଥିଲା। ନୃଶଂସ ନରଘାତକକୁ ଯେମିତି କଠୋରରୁ କଠୋର ଦଣ୍ଡ ମିଳିବ ଏବଂ ଅଭିଯୁକ୍ତ ଯେମିତି ଖସିବାର ରାସ୍ତା ପାଇବ ନାହିଁ, ସେଥିପ୍ରତି ପୁଲିସ ବେଶ୍ ଯତ୍ନବାନ ଥିଲା।

ସେହିଭଳି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପିପି ସଲିଳ ମିଶ୍ର ମଧ୍ୟ ପ୍ରତିପକ୍ଷ ଓକିଲଙ୍କ ସମସ୍ତ ଯୁକ୍ତିକୁ ଖଣ୍ଡନ କରିଥିଲେ ଏବଂ ଆସାମୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ବିଚାରପତିଙ୍କୁ ନିବେଦନ କରିଥିଲେ। ରାୟ ପରେ ଆଜି କୋର୍ଟ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲା। ବହୁ ସମୟ ପର୍ଯ୍ୟନ୍ତ ଏକ ଗଭୀର ନିରବତା ଛାଇଯାଇଥିଲା। ନିର୍ଣ୍ଣାୟକ ହେଲା ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ନାବାଳିକାଙ୍କ ସାକ୍ଷ୍ୟ ବିଚାର ପ୍ରକ୍ରିୟାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା ସେଦିନର ଅଘଟଣରୁ ବଞ୍ଚିଯାଇଥିବା ଝିଅର ସାକ୍ଷ୍ୟ। ସେଦିନ ସଞ୍ଜିତ କିଭଳି ତାଙ୍କୁ ବି ହତ୍ୟା ଉଦ୍ୟମ କରିଥିଲା, ସେ ବିଷୟରେ ନାବାଳିକା କୋର୍ଟଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲା। ଅନ୍ତୁଡ଼ିଶାଳରେ ପତ୍ନୀ ସରସ୍ବତୀଙ୍କ କୋଳରୁ ୩ ଦିନର ଛୁଆକୁ ବାହାର କରିନେଇ ସଞ୍ଜିତ ତାଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ବାରମ୍ବାର ଛୁରି ଭୁସିବା ଯୋଗୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ମା’ର ବିକଳ ଚିତ୍କାର ଶୁଣି ପାଖ ଘରେ ଶୋଇଥିବା ସଞ୍ଜିତର ୬ ବର୍ଷର ଝିଅର ନିଦ ଭାଙ୍ଗିଯାଇଥିଲା। ନିଦ ମଳମଳ ଆଖିରେ ସେ ଅନ୍ତୁଡ଼ିଶାଳ ଘରକୁ ଧାଇଁ ଆସିଥିଲା। ସେତେବେଳ ପର୍ଯ୍ୟନ୍ତ ବି ରକ୍ତମୁଖା ସଞ୍ଜିତ, ନିଶ୍ଚଳ ହୋଇପଡ଼ିଥିବା ସରସ୍ବତୀଙ୍କ ପେଟରେ ଛୁରି ଭୁସି ଚାଲିଥିଲା। ଝିଅକୁ ଦେଖିବା ପରେ ନରପିଶାଚ ପାଲଟିସାରିଥିବା ସଞ୍ଜିତ ସରସ୍ବତୀଙ୍କୁ ଛାଡ଼ି ଝିଅକୁ ଧରିଥିଲା ଏବଂ ବଡ଼ ନିର୍ଦ୍ଦୟ ଭାବେ ତା’ ବେକରେ ଛୁରି ଚଲାଇଦେଇଥିଲା। ଗଳାକଟା ଅବସ୍ଥାରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଶିଶୁଟି ଚଟାଣରେ ପଡ଼ି ଛଟପଟ ହେଉଥିବା ବେଳେ ସଞ୍ଜିତ ଫେରାର୍ ହୋଇଯାଇଥିଲା। ସୌଭାଗ୍ୟକୁ ସଞ୍ଜିତଙ୍କ ଭାଇ, ଭାଉଜ ପାଟିଶୁଣି ଧାଇଁ ଆସିଥିଲେ ଏବଂ ତୁରନ୍ତ ନାବାଳିକାକୁ ନେଇ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ପ୍ରାୟ ମାସକର ଚିକିତ୍ସା ପରେ ନାବାଳିକା ସୁସ୍ଥ ହୋଇଥିଲେ। ବଡ଼ବାପା ଓ ବଡ଼ବୋଉଙ୍କ ଲାଗି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲା ନାବାଳିକା। ସେ କୋର୍ଟରେ ଏହି ଲୋମଟାଙ୍କୁରା କାହାଣୀ ବର୍ଣ୍ଣନା କଲା ବେଳେ ସମସ୍ତଙ୍କ ଛାତି ଥରିଉଠିବା ସହ ଆଖିରେ ଲୁହ ଭରିଯାଇଥିଲା।

ସେଦିନର ଗାଁ ସ୍ବର ଫଳବତୀ ହେଲା
ସେଦିନ ସକାଳର ସିନ୍ଦୁରା ଫାଟିବା ବେଳକୁ ଘାଟିକିଆ ଗାଁ ସ୍ତବ୍ଧ ହୋଇଯାଇଥିଲା। ମଦ, ବ୍ରାଉନ୍‌ସୁଗାର ଭଳି ଜହର କବଳରେ ରହୁଥିବା ସଂଜିତ ତାଙ୍କ ସ୍ତ୍ରୀ ସରସ୍ବତୀଙ୍କୁ ଛୁରି ଭୁସି ହତ୍ୟା କରିବା ସହ ୬ ବର୍ଷର ଝିଅର ଗଳାକୁ କାଟି ଦେଇଥିଲା। ଗାଁ ଝିଅ ସରସ୍ବତୀଙ୍କୁ ଭଲପାଇ ବାହା ହୋଇଥିଲେ ବି ପରେ ସଞ୍ଜିତ ନିଶାସକ୍ତ ହୋଇ ନିର୍ଯାତନା ଦେବାକୁ ଲାଗିଲା। ନିଶା ପାଇଁ ସେ ବହୁ ସମ୍ପତ୍ତି ବିକି ଦେବାରୁ ଆର୍ଥିକ ସଂକଟ ଦେଖାଗଲା ଏବଂ ସରସ୍ବତୀ ଘରୁ ଗୋଡ଼ କାଢ଼ି ଏକ ଘରୋଇ ହସ୍ପିଟାଲ୍‌ରେ ଚାକିରି କରିବାକୁ ବାଧ୍ୟ ହୋଇଥିଲେ। ସରସ୍ବତୀ ଦ୍ବିତୀୟ ସନ୍ତାନ ଜନ୍ମ କରି ଅନ୍ତୁଡ଼ିଶାଳରେ ଥିଲେ। ‌ସଞ୍ଜିତ ନିଶା ପାଇଁ ତାଙ୍କୁ ୧୦୦୦ ଟଙ୍କା ମାଗିଥିଲା। ଏଭଳି ଅବସ୍ଥାରେ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏତିକି କଥାରେ ବ୍ରହ୍ମଚଣ୍ଡାଳ ପାଲଟିଗଲା ସଞ୍ଜିତ। ସକାଳୁ ସକାଳୁ ଗାଁଟିଯାକର ଲୋକେ ଘଟଣାସ୍ଥଳକୁ ଛୁଟିଥିଲେ। ସମସ୍ତଙ୍କ ମୁହଁରୁ ବାହାରିଆସିଥିଲା, ‘ ପାପୀକୁ ଫାଶି ମିଳୁ।’

୧୯ ବର୍ଷ ପରେ ଦ୍ବିତୟ ଫାଶୀଦଣ୍ଡ
ଭୁବନେଶ୍ବର କୋର୍ଟରେ ଏହା ଥିଲା ଦ୍ବିତୀୟ ଫାଶୀ ଦଣ୍ଡାଦେଶ। ୨୦୦୫ ମସିହାରେ ତତ୍କାଳୀନ ବିଚାରପତି ମହେନ୍ଦ୍ର ପଟ୍ଟନାୟକ ଦାରା ସିଂହଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। କେନ୍ଦୁଝର ଜିଲ୍ଲା ମନୋହରପୁରରେ ଘଟିଥିବା ଗ୍ରାହାମ ଷ୍ଟେନସ୍‌ ଓ ତାଙ୍କ ୨ ଶିଶୁପୁତ୍ରଙ୍କୁ ଗାଡ଼ି ଭିତରେ ପୋଡ଼ି ହତ୍ୟା କରାଯାଇଥିଲା। ଏହି ମାମଲାର ମୁଖ୍ୟ ଦାରା ସିଂହକୁ କୋର୍ଟ ମୃତ୍ୟୁ ଦଣ୍ଡ ଦେଇଥିଲେ।