ଭୁବନେଶ୍ବର: ଦେଶରେ ଏବେ କରୋନା ପୁଣିଥରେ କାୟା ମେଲାଇଛି। ଏଭଳି ପରିସ୍ଥିତିରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ ଯୁକ୍ତି ବାଢ଼ିଛନ୍ତି ଶିଶୁରୋଗ ବିଶେଷଜ୍ଞ। ଯଦିଓ ଦେଶରେ କେତେ ସଂଖ୍ୟକ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ମାତ୍ର ଶିଶୁମାନେ କରୋନାରେ ଆକ୍ରାନ୍ତ ହେବା ସଂଖ୍ୟାରେ ବୃଦ୍ଧି ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।
ନୂଆଦିଲ୍ଲୀସ୍ଥିତ ରେନ୍ବୋ ଚିଲଡ୍ରେନ୍ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା.ନୀତୀନ ବର୍ମା କହିଛନ୍ତି, ଗୋଟିଏ ମାସ ପୂର୍ବରୁ ଦିନକୁ ଗୋଟିଏ କରୋନା ଆକ୍ରାନ୍ତ ଶିଶୁ ହସ୍ପିଟାଲକୁ ଆସୁଥିବା ବେଳେ ଏବେ ପ୍ରତିଦିନ ୧୦ଟି ଶିଶୁ ଆସୁଛନ୍ତି। ସେମାନଙ୍କ ନିକଟରେ ସ୍ବଳ୍ପ ଲକ୍ଷଣ ଦେଖିବାକୁ ମିଳୁଛି। ଫରିଦାବାଦସ୍ଥିତ ଟ୍ରାନ୍ସଲେସନ୍ ହେଲ୍ଥ ସାଇନ୍ସ ଟେକନୋଲୋଜି ଇନଷ୍ଟିଚ୍ୟୁଟ୍(ଟିଏଚ୍ଏସ୍ଟିଆଇ) ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ କରୋନା ଆକ୍ରାନ୍ତ ଶିଶୁମାନେ ଶୀଘ୍ର ସୁସ୍ଥ ଲାଭ କରୁଛନ୍ତି। ହସ୍ପିଟାଲରେ ଭର୍ତି ହୋଇଥିବା ୨ହଜାର ଶିଶୁଙ୍କୁ ନେଇ ହୋଇଥିବା ଅଧ୍ୟୟନରେ ବିକଶିତ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ ଶିଶୁମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇଥିବା ଦେଖିବାକୁ ମିଳିଥିଲା। ବିକଶିତ ରାଷ୍ଟ୍ରଗୁଡ଼ିକରେ ଶିଶୁଙ୍କ ମୃତ୍ୟୁ ୧.୮-୨ ପ୍ରତିଶତ ଥିବା ବେଳେ ଦେଶରେ ଏହା ୧୮.୬ ପ୍ରତିଶତ ରହିଥିଲା। ସଂକ୍ରମଣକୁ ଟିକା ରୋକିପାରୁ ନ ଥିବା ବେଳେ ଏହା କେବଳ ଗୁରୁତର ହେବାରୁ ରକ୍ଷା କରିପାରୁଛି। ଦେଶରେ ୧୨ବର୍ଷରୁ ଅଧିକ ଶିଶୁମାନଙ୍କୁ କୋଭିଡ ଟିକାକରଣ କରାଯାଉଥିବା ବେଳେ ଆମେରିକାରେ ୬ମାସର ଶିଶୁକୁ ଏହି ଟିକା ଦିଆଯାଉଛି।
ମୁମ୍ବାଇସ୍ଥିତ ଫୋର୍ଟିସ ହସ୍ପିଟାଲର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା.ଜେସଲ ସେଠ୍ଙ୍କ ମତରେ ଟିକା ଦ୍ବାରା ଭଲ ହୋଇଥିବା ରୋଗ ପାଇଁ ଟିକା ଦେବାକୁ ଶିଶୁରୋଗ ଡାକ୍ତରମାନେ ପ୍ରାଥମିକତା ଦେଇଥାନ୍ତି। ମାତ୍ର ଏ କ୍ଷେତ୍ରରେ ଶିଶୁର ପିତାମାତାଙ୍କୁ ଏହାକୁ ଚୟନ କରିବାର ସୁଯୋଗ ଦିଆଯାଉ। ଶିଶୁମାନେ ତାଙ୍କ ଜେଜେ ବାପା ଓ ମା’ଙ୍କ ସହିତ ସମୟ ବିତାଇଥାନ୍ତି। ତେଣୁ ଶିଶୁଙ୍କଠାରୁ ବୟସ୍କମାନେ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେଣୁ ଯେଉଁ ଶିଶୁମାନେ ଅସୁସ୍ଥ ସେମାନଙ୍କୁ ସ୍କୁଲ ନ ପଠାଇବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏସ୍ଏଲ ରହେଜା ହସ୍ପିଟାଲର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଅସ୍ମିତା ମହାଜନଙ୍କ ମତରେ ପିଲାମାନେ ଫ୍ଲୁ ଟିକା ନେବା ଜରୁରୀ। ଯାହାଫଳରେ ପ୍ରବଳ ଜ୍ବରକୁ ରୋକାଯାଇପାରିବ।