ଘଟଗାଁ: ଗୋଚର ଜମିରେ ସାମାଜିକ ବନୀକରଣ ଯୋଜନାରେ ଗଛ ଲଗାଯାଇଥିଲା। ଗ୍ରାମବାସୀ ବନ ସୁରକ୍ଷା ସମିତି ଗଠନ କରି ଗଛଗୁଡ଼ିକର ସୁରକ୍ଷା କରୁଥିଲେ। ହେଲେ ଏବେ ଜଣେ ବିଜେଡି ନେତା ଉକ୍ତ ଜମିକୁ ଘରବାଡ଼ିରେ ପରିଣତ କରି ନିର୍ମାଣ କାମ ଆରମ୍ଭ କରିଛନ୍ତି। ଏହାକୁ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଘଟଗାଁ ଥାନା ଘେରାଉ କରିଥିଲେ।
ଗ୍ରାମବାସୀଙ୍କ କହିବା ଅନୁସାରେ, ୧୯୮୯-୯୦ ଆର୍ଥିକ ବର୍ଷରେ ବନ ବିଭାଗ ପକ୍ଷରୁ ସାମାଜିକ ବନୀକରଣ ଯୋଜନାର ଟିକିରା ଗ୍ରାମର ୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରାଯାଇଛି। ଏଠାରେ ଲାଗିଥିବା ଗଛ ଗୁଡ଼ିକ ୩୦ରୁ ୪୦ ଫୁଟ ଉଚ୍ଚ ହୋଇଛି। ତେବେ ଖଗେଶ୍ୱର ପଲେଇ ନାମକ ଜଣେ ବ୍ୟକ୍ତି ୨୦୦୫ ମସିହାରେ ଉକ୍ତ ଜମିର ପଟ୍ଟା କରାଇ ନେଇଥିଲେ। ପରେ ତାହାକୁ ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍କେ ଇମ୍ରାନ୍ଙ୍କୁ ବିକ୍ରି କରିଦେଇଥିଲେ। ସେ ଏହି ଜମିକୁ କିଣିବା ପରେ ତାହାକୁ ପରବର୍ତ୍ତୀ ସମୟରେ ଘରବାଡ଼ି କିସମରେ ରୂପାନ୍ତରିତ କରିଛନ୍ତି। ଏବେ ଉକ୍ତ ଜମିରେ ଇମ୍ରାନ ପାଚେରି ଓ ଗୃହ ନିର୍ମାଣ କାମ କରୁଛନ୍ତି।
ଗୁରୁବାର ସେ ଜେସିବି ଲଗାଇ ନିଅଁ ଖୋଳୁଥିବା ବେଳେ ଗ୍ରାମବାସୀ ସେଠାରେ ପହଞ୍ଚି ବିରୋଧ କରିଥିଲେ। ପରେ କଥା ଥାନାକୁ ଯାଇଥିଲା। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀ ଥାନା ଘେରାଉ କରିଥିଲେ। ମରିବୁ ପଛେ ଏହି ଜମି ଛାଡ଼ିବୁ ନାହିଁ ବୋଲି ନାରା ଦେଇଥିଲେ। ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ଏ ସମ୍ପର୍କରେ ଗ୍ରାମବାସୀ ଏବଂ ଜମି ପଟ୍ଟାଧାରୀଙ୍କ ସହ ଆଲୋଚନା କରିଥିଲେ। ଜମି ପଟ୍ଟାଧାରୀ ସମସ୍ତ କାଗଜପତ୍ର ଥାନା ଅଧିକାରୀଙ୍କୁ ଦେଖାଇ ଥିଲେ। ଅନ୍ୟପକ୍ଷରେ ୩୦ ବର୍ଷ ତଳୁ ବନୀକରଣ ହୋଇଥିବାରୁ ଏ ସମ୍ପର୍କିତ କାଗଜପତ୍ର ଗ୍ରାମବାସୀଙ୍କ ନଥିଲା। ତେଣୁ ଥାନା ଅଧିକାରୀ ଆପୋସ ସମାଧାନ ପାଇଁ ପରାମର୍ଶ ଦେଇଥିଲେ।