ରାୟଗଡ଼ା : ଲକ୍ଷ୍ୟ ଆଇଏଏସ୍ ହେବେ। କିନ୍ତୁ ପଛୁଆବର୍ଗର ଯୁବକ ସଦାନନ୍ଦ ଭତ୍ରାଙ୍କ ଏପରି ସ୍ବପ୍ନ ଆଗରେ ବାଧକ ସାଜିଛି ଅର୍ଥ। ବାପା ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିବାରୁ ଆଇଏଏସ୍ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହାୟତା ନିବେଦନ କରିଛନ୍ତି ସଦାନନ୍ଦ।

Advertisment

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିଙ୍ଗାରି ପଞ୍ଚାୟତ ମେଲେକାଜୁବା ଗ୍ରାମର ଯୁବକ ସଦାନନ୍ଦ। ବାପା ସୁରମାଳି ଭତ୍ରା ବୃତ୍ତିରେ ଗାଈ ଚରାଳି। ମା ହାରାବତୀ ଜଙ୍ଗଲ ଜମିରେ କାମ କରି ପରିବାର ପ୍ରତିପୋଷଣରେ ସହାୟତା କରୁଛନ୍ତି। ବାରମ୍ବାର ଆବେଦନ ସତ୍ତ୍ବେ ଏହି ଗରିବ ପରିବାରକୁ ବିଜୁ ପକ୍କା ଘର କିମ୍ବା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନି। ଜରାଜୀର୍ଣ୍ଣ ଆଜବେ‌ଷ୍ଟ୍ ଘରେ ପରିବାର ମୁଣ୍ଡ ଗୁଞ୍ଜିଥିବା ବେଳେ ରାସନ କାର୍ଡ ବାବଦରେ ଯାହା ଚାଉଳ ମିଳୁଛି ତାକୁ ନେଇ ତେଲ ଲୁଣର ସଂସାର ଚଳାଇଛନ୍ତି ସୁରମାଳି। ଅଭାବ, ଅନଟନ, ବାଧାବିଘ୍ନ ସତ୍ତ୍ବେ ଜୀବନରେ ଭଲ ମଣିଷ ହେବାର ଆଶା, ଆକାଂକ୍ଷା ନେଇ ପାଠ ପଢ଼ି ଚାଲିଛନ୍ତି ସଦାନନ୍ଦ। ମାଟ୍ରିକ୍ ପରୀକ୍ଷାରେ ୮୫ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ। ରାୟଗଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟରେ +୨ କଳା ବିଭାଗରେ ୪୫୫ ନମ୍ବର ରଖି କଲେଜ ଟପର୍ ହୋଇଥିଲେ। ଏହା ପରେ ଯୁକ୍ତ ତିନି ପରୀକ୍ଷାରେ ଚଳିତ ବର୍ଷ ୮୨ ପ୍ରତିଶତ ମାର୍କ ରଖି ସଫଳତାର ସହ କୃତକାର୍ଯ୍ୟ ହେବା ପରେ ଆଇଏଏସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସଦାନନ୍ଦ।
ଭୁବନେଶ୍ବରରେ ରହି କୋଚିଂ ନେବାକୁ ଇଚ୍ଛା ରହିଛି। ହେଲେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହାୟତା ପାଇଁ ନିବେଦନ କରିଛନ୍ତି। ସଦାନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ନିବେଦନ ପତ୍ରକୁ ଟୁଇଟ୍ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଫୋନ୍ ମାଧ୍ୟମରେ ସଦାନନ୍ଦଙ୍କୁ ଯୋଗାଯୋଗ କରାଯାଇଛି। ସୋମବାର ରାୟଗଡ଼ା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ସଦାନନ୍ଦଙ୍କୁ ପରାମର୍ଶ ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଯାହା ସଦାନନ୍ଦଙ୍କ ମନରେ ଉତ୍ସାହ ଭରିଛି।