ଭିନ୍ନ ଭାବନା ଓ ପ୍ରକୃତିର ବୈଚିତ୍ର୍ୟରୁ ସାହିତ୍ୟର ସୃଷ୍ଟି: ଅର୍ଚ୍ଚନା

ତାଳପଦେଶ୍ବରୀ ସାହିତ୍ୟ ଆସରର ରଜତ ଜୟନ୍ତୀ ଉଦ୍‌ଯାପନୀ ସମାରୋହ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତ୍ତକୋତ୍ତର ପରିଷଦ ସଭାଗୃହରେ ଆଜି ତାଳପଦେଶ୍ବରୀ ସାହିତ୍ୟ ଆସରର ରଜତ ଜୟନ୍ତୀ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କୁଳପତି ସବିତା ଆଚାର୍ଯ୍ୟ ଏହାକୁ ଉଦ୍‌ଘାଟନ କରି କହିଲେ, ଏହି ଅନୁଷ୍ଠାନ ଦ୍ବାରା ବହୁ ତରୁଣ କବି, ଗାଳ୍ପିକ, ସାହିତ୍ୟିକଙ୍କ ମଧ୍ୟରେ ପରିପକ୍ବତା ଆସିପାରିଛି। ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏହାର ଦାୟିତ୍ବ ନେଇ ଏହାକୁ ଆଗେଇ ନେବାକୁ ପ୍ରୟାସ ଜାରି ରଖୁ।

ଶବ୍ଦ, ବର୍ଣ୍ଣରେ ତିଆରି ସୌଧ ସବୁବେଳେ ଅକ୍ଷୁଣ୍ଣ: ଗୌରହରି

ଅମୂଲ୍ୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକା ଅର୍ଚ୍ଚନା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଆମ ସାହିତ୍ୟର ଆରମ୍ଭ ଭାଷା, ସମବେଦନା, ଶ୍ରଦ୍ଧା ଓ ଅନୁକମ୍ପାରୁ। ମଣିଷର ଭିନ୍ନ ଭାବନା, ଭିନ୍ନ ଅନୁଭୂତି ଓ ପ୍ରକୃତିର ବୈଚିତ୍ର୍ୟରୁ ସାହିତ୍ୟ ସୃଷ୍ଟି ହୁଏ। ଅନୁଭବ ଓ ସୃଜନଶୀଳତାଭରା ସାହିତ୍ୟ ହିଁ ଶ୍ରେଷ୍ଠ ରଚନା ଭାବେ ବିବେଚିତ ହୋଇଥାଏ।

ମୁଖ୍ୟବକ୍ତା କଥାକାର ‌ଗୌରହରି ଦାସ କହିଲେ, ସତ୍ୟ ସହ ଜିଜ୍ଞାସାର ସମ୍ପର୍କରୁ ଦର୍ଶନର ସୃଷ୍ଟି, ସତ୍ୟ ସହ ପ୍ରରୋଚନାର ସମ୍ପର୍କରୁ ବିଜ୍ଞାନର ସୃଷ୍ଟି ଓ ସତ୍ୟ ସହ ଆନନ୍ଦର ସମ୍ପର୍କରୁ ସାହିତ୍ୟର ସୃଷ୍ଟି। ସତ୍ୟ, ସମ୍ବେଦନଶୀଳତା, ସହାନୁଭୂତି, ଅନୁକମ୍ପା ଆଦିରୁ ମଧ୍ୟ ସାହିତ୍ୟର ସୃଷ୍ଟି ହୋଇଥାଏ। ମଣିଷ ଜାତିର ସାମୂହିକ ଅନୁଭୂତି ଓ ସ୍ବପ୍ନରୁ ମଧ୍ୟ ସାହିତ୍ୟର ଆବିଷ୍କାର ହୋଇଥାଏ। ଶବ୍ଦଗୁଡ଼ିକ ସାହିତ୍ୟ ଭାଷାରେ ହିଁ କଥାବାର୍ତ୍ତା ହୁଅନ୍ତି। ସେଥିପାଇଁ କୁହାଯାଇଛି, ଇଟା ପଥରରେ ତିଆରି ସୌଧ କ୍ଷୁଣ୍ଣ ହୋଇଯାଏ। ହେଲେ ଶବ୍ଦ, ବର୍ଣ୍ଣରେ ତିଆରି ସୌଧ କେବେ କ୍ଷୁଣ୍ଣ ହୋଇନଥାଏ।

ଅନୁଷ୍ଠାନର ପୃଷ୍ଠପୋଷକ ଡା. ଇନ୍ଦ୍ରମଣି ଜେନା ଅନୁଷ୍ଠାନର ପରିଚାଳନା ଅନୁଭୂତି ବଖାଣିଥିବା ବେଳେ ସମ୍ପାଦକ ସୁଧାଂଶୁ ସାହୁ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ୨୦୨୧ ପାଇଁ ଜ୍ଞାନୀ ଦେବାଶିଷ ମିଶ୍ର ଓ ୨୦୨୨ ପାଇଁ ଅଧ୍ୟାପକ ସତ୍ୟଜିତ ଦାସଙ୍କୁ ‘ପ୍ରଫେସର୍‌ ବିଜୟିନୀ ମହାନ୍ତି ତାଳପଦେଶ୍ବରୀ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପରେ ଶ୍ରୀ ମିଶ୍ରଙ୍କ ଦୁଇଟି ପୁସ୍ତକ ‘ତଥାପି ଜୀବନ’ ଓ ‘ଦାଗ’ ଏବଂ ହିମାଦ୍ରୀ ତନୟା ମିଶ୍ରଙ୍କ ‘ଅନ୍ତରଙ୍ଗ ଉଚ୍ଛ୍ବାସ’ ଉନ୍ମୋଚିତ କରାଯାଇଥିଲା।

ପ୍ରଫେସର ସଂଘମିତ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଷ୍ଣୁପ୍ରିୟା ଓତା ସ୍ବାଗତ ଭାଷଣ ଦେଇଥିଲେ। ବିଭୁଦତ୍ତ ଦାଶ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସରିତା ଆଚାର୍ଯ୍ୟ ସ୍ବାଗତ ବନ୍ଦନା ଗାନ କରିଥିଲେ। ସନ୍ଦୀପ ମହାପାତ୍ର ମଞ୍ଚ ପରିଚାଳନା ଓ ଅସିତ୍‌ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଉତ୍ସବର ଦ୍ବିତୀୟ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ରମେଶ ଚନ୍ଦ୍ର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରସନ୍ନ ସ୍ବାଇଁ ଯୋଗ ଦେଇଥି‌ଲେ। ସଂଯୋଜନା କରିଥିଲେ ପ୍ରୀତମ ରାଉତ।

ସମ୍ବନ୍ଧିତ ଖବର