କଟକ: ‘ଏମିତି ରାତି ଏ ଯେ ଅଭୁଲା ସ୍ମୃତି..., ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର..., ବନପକ୍ଷୀ ଝୁରେରେ ମନପକ୍ଷୀ ଝୁରେ...’ ଭଳି କାଳଜୟୀ ସଂଗୀତର ସ୍ରଷ୍ଟା, ଲୋକପ୍ରିୟ ଗୀତିକବି, ନିର୍ଦ୍ଦେଶକ, ସଂଳାପକାର ବୃନ୍ଦାବନ ଜେନା ଆଉ ନାହାନ୍ତି। ବୁଧବାର ଅପରାହ୍ଣ ସାଢ଼େ ୧୨ଟାରେ ଏସ୍ସିବି ମେଡିକାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହୋଇଥିଲା। ମସ୍ତିଷ୍କାଘାତ ଜନିତ ସମସ୍ୟା ପାଇଁ ଶ୍ରୀ ଜେନା ଗତ ସେପ୍ଟେମ୍ବରରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ବହୁଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ୧୫ଦିନ ତଳେ ସେ ପୁଣି ଅସୁସ୍ଥ ହେବାରୁ ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିଲା। ଅନ୍ତିମ ସମୟରେ ପତ୍ନୀ ପ୍ରଜ୍ଞାପାରମିତା ଜେନା, ପୁତୁରା ସୁଶାନ୍ତ କୁମାର ସାମଲଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଏବେ କଟକ ବଡ଼ଡାକ୍ତରଖାନାର ଆନାଟୋମି ବିଭାଗରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ମରଶରୀରକୁ ଶେଷଦର୍ଶନ ପାଇଁ ସିଡିଏ ସେକ୍ଟର-୬ସ୍ଥିତ ବାସଭବନକୁ ନିଆଯିବ। ବାଙ୍ଗାଲୋରରେ ରହୁଥିବା ତାଙ୍କର ଏକମାତ୍ର ଝିଅ ସ୍ବାତୀ ଆସନ୍ତାକାଲି ସକାଳେ କଟକରେ ପହଞ୍ଚିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।
୧୯୪୪ ଜାନୁଆରି ୧୫ତାରିଖରେ ଜନ୍ମଗ୍ରହଣ କରିଥିବା ବୃନ୍ଦାବନ ଜେନା ୧୯୭୩ରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ବର୍ଣ୍ଣପଦକ ସହ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଟେଲିକମ୍ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରି ୨୦୦୪ରୁ ଅବସର ଗ୍ରହଣ କରିଥିଲେ। କିନ୍ତୁ ୧୯୬୫ରେ ସେ ଆକାଶବାଣୀରେ ସ୍ବୀକୃତିପ୍ରାପ୍ତ ଗୀତିକବି ଭାବେ ଗୀତ ରଚନା କରୁଥିଲେ। ଗୀତିକବି ଭାବେ ୩୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ଗୀତ ରଚନା କରିବା ସହ ଅନେକ ଚଳଚ୍ଚିତ୍ର ପାଇଁ ସଂଳାପ ମଧ୍ୟ ଲେଖିଛନ୍ତି। ଏହା ବ୍ୟତୀତ ସେ ୧୫ଟି ପୁସ୍ତକର ରଚୟିତା। ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ସେ ବାଟ ଅବାଟ, ଶାସ୍ତି, ହରପାର୍ବତୀ ପାଇଁ ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ଚିଳଚିତ୍ର ଘର ସଂସାର, ଅମର ପ୍ରେମ, କୁଳଚନ୍ଦ୍ରମା, ପତିପତ୍ନୀ, ବାଟ ଅବାଟ, ଦେବକୀ, ଶାସ୍ତି, ଶୁଭକାମନା, ହରପାର୍ବତୀ, ଭାଇ ଭାଇ ପାଇଁ ସେ ସଂଳାପ ମଧ୍ୟ ରଚନା କରିଛନ୍ତି। ସେ ଦୂରଦର୍ଶନରେ ପ୍ରସାରିତ ବହୁ ଧାରାବାହିକ ସମେତ ଅନେକ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ପୋଷାବାଘ, ରାଜସାକ୍ଷୀ, ସେ ଆସିବ ବୋଲି, ପାରିଧି, ବ୍ୟୂହ, ଶ୍ବାନ ଉପାଖ୍ୟାନ, ଶାହାଜାହାନ ଆଦି ମଞ୍ଚ ନାଟକର ସେ ନିର୍ଦ୍ଦେଶକ। ସାରସ୍ବତ ସାଧନା ସମେତ ନିର୍ଦ୍ଦେଶନା ପାଇଁ ଶ୍ରୀ ଜେନା ୨୦୦୫ରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ସମ୍ମାନ, ୨୦୦୯ରେ ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ, ଶାସ୍ତି ପାଇଁ ରାଜ୍ୟ ଚଳଚ୍ଚିତ୍ର ନିଗମ ସମ୍ମାନ, ଓଡ଼ିଆ ଗୀତିକବି ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଭଳି ବହୁ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଛନ୍ତି। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।